ଚୋରା ସୁନା କିଣିଥିବା ଦୋକାନୀ ସମେତ ୩ ଗିରଫ

ଦଶରଥପୁର : କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ବିଭିନ୍ନ ସୁନା ଦୋକାନରୁ ଚୋରି ସହ ଯାଜପୁର ଜିଲ୍ଲାର ମଙ୍ଗଳପୁର ଓ ବିଂଝାରପୁର ଥାନା ଅଞ୍ଚଳରୁ ଚୋରି ଘଟଣାରେ ସମ୍ପୃକ୍ତ ମଙ୍ଗଳପୁର ଥାନା ଅଞ୍ଚଳର ୨ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି। ରାଜକନିକା ପୁଲିସ ଓ ମଙ୍ଗଳପୁର ପୁଲିସର ମିଳିତ ଚଢ଼ଉରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁଣ୍ଠୁଣିପଡ଼ା ଗ୍ରାମର ରବୀନ୍ଦ୍ର ଦାସଙ୍କ ପୁଅ ବାପି ଓରଫ କାଳିଆ ଏବଂ ଇଚ୍ଛାପୁର ଗ୍ରାମର ନିରାକାର ସାହାଣିଙ୍କ ପୁଅ ଶିବୁ। ଅନ୍ୟଜଣେ ଅଭିଯୁକ୍ତ ଇଚ୍ଛାପୁର ଗ୍ରାମର ପୁରସ୍ତମ ଦାସଙ୍କ ପୁଅ ବିଶ୍ୱଜିତ ଓରଫ ବିଟୁ ଫେରାର ହୋଇଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ଚୋରାସୁନା କିଣିଥିବା ମଙ୍ଗଳପୁର ବଜାର ବିଜୁ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖ ତାରିଣୀ ସୁନା ଦୋକାନ ମାଲିକ କପିଳ ସେନାପତିଙ୍କ ପୁଅ ରବୀନ୍ଦ୍ରକୁ ମଧ୍ୟ ପୁଲିସ ଗିରଫ କରିଛି। ପୁଲିସ ଏହି ସୁନା ଦୋକାନରେ ଚଢ଼ଉ କରି ଚୋରା ସୁନା ଜିନିଷ ଜବତ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତ ଶନିବାର ସନ୍ଧ୍ୟାରେ ରାଜକନିକା ପୁଲିସ୍ ଓ ମଙ୍ଗଳପୁର ପୁଲିସ୍ ବଜାରର ମା ତାରିଣୀ ଜୁଏଲର୍ସ ଉପରେ ଚଢ଼ଉ କରି ଏହାର ମାଲିକ ରବୀନ୍ଦ୍ରକୁ ଉଠାଇ ନେଇଥିଲା। ରାଜକନିକା ଥାନା ଅଞ୍ଚଳର ଏକ ଡକାୟତି ମାମଲାରେ ଧରା ପଡ଼ିଥିବା ଜଣେ ଅଭିଯୁକ୍ତକୁ ସେଠାକାର ପୁଲିସ ସାଙ୍ଗରେ ଆଣିଥିଲା। ତା’ ସୂଚନା ଆଧାରରେ ତାରିଣୀ ସୁନା ଦୋକାନରେ ଚଢ଼ଉ କରାଯାଇଥିଲା। ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରୁ ଲୁଟ୍‌ କରୁଥିବା ସୁନାକୁ ମା ତାରିଣୀ ଜୁଏଲର୍ସରେ ବିକି ଥାଆନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଗତ ୩ ଦିନ ତଳେ ବିଂଝାରପୁର ଥାନା ଅନ୍ତର୍ଗତ ବିଂଝାରପୁର ବଜାରର ଏକ ସୁନା ଦୋକାନରୁ ଚୋରି ହୋଇଥିଲା। ଅନ୍ୟଏକ ଘଟଣାରେ ଏହି ଅଞ୍ଚଳର ଜଣେ ସୁନ‌ା ଦୋକାନୀଙ୍କୁ କିଛି ଦୁର୍ବୃତ୍ତ ହତ୍ୟାକରି ସୁନା ଗହଣା ବ୍ୟାଗ୍ ଲୁଟି ନେଇଥିଲେ। ଏହି ଘଟଣାଗୁଡ଼ିକରେ ଗିରଫ ଅଭିଯୁକ୍ତଙ୍କର ସମ୍ପୃକ୍ତି ଥିବା ମଙ୍ଗଳପୁର ଥାନା ଆଇଆଇସି ରିନାରାଣୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର