ଶିଶୁ ବିକ୍ରି ଅଭିଯୋଗରେ ୩ ଗିରଫ: ଅଭିଯୁକ୍ତକୁ ପିଟିଲେ ଉତ୍ତ୍ୟକ୍ତ ଲୋକେ

ସାରସକଣା/ରାଇରଙ୍ଗପୁର : ଜଣେ ବିଧବା ମହିଳାଙ୍କର ମାସକର ଶିଶୁପୁତ୍ରକୁ ବିକ୍ରି ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଝାଡ଼ପୋଖରିଆ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଉଦ୍ଧାର ଶିଶୁପୁତ୍ରକୁ ତା ମାଆ ଜିମା ଦିଆଯାଇଥିବା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକଙ୍କ ସୂତ୍ରରୁ ଜଣାପଡ଼ିଛି।

ପୁଲିସ ସୂଚନା ମୁତାବକ, ଝାଡ଼ପୋଖରିଆ ଥାନା ଦାନାଦର ଗାଁର ବିଧବା ମାଳତୀ ଦିଗାରଙ୍କର ମାସକ ତଳେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଗତକାଲି ମାଳତୀ ଶିଶୁପୁତ୍ରକୁ ନେଇ ସାରସକଣା ଡାକ୍ତରଖାନା ଆସିଥିବାବେଳେ ତାଙ୍କ ଅସହାୟତାର ସୁଯୋଗ ନେଇ ତପନ ଦଣ୍ଡପାଟ ନାମକ ଜଣକ ବ୍ୟକ୍ତି ଶିଶୁପୁତ୍ରକୁ ମାଳତୀଙ୍କଠାରୁ ନେଇଯିବା ସହ ୨୦୦୦ ଟଙ୍କାରେ ସାରସକଣା ଅଞ୍ଚଳର ପ୍ରହଲ୍ଲାଦ ପ୍ରତିହାରୀ ଓ ତାଙ୍କ ପତ୍ନୀ ଲିଜା ପ୍ରତିହାରୀଙ୍କୁ ବିକ୍ରି କରି ଦେଇଥିଲେ। ସୂଚନାଥାଉକି, ପ୍ରହଲ୍ଲାଦ ରାଇରଙ୍ଗପୁରସ୍ଥିତ ଶ୍ବଶୁର ଘରେ ରହୁଛନ୍ତି। ଆଜି ମାଳତୀ ସାରସକଣା ବଜାରକୁ ଆସି ନିଜ ଶିଶୁପୁତ୍ରକୁ ଖୋଜିବା ସହ କାନ୍ଦୁଥିଲେ। ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ତାଙ୍କୁ ପଚାରି ବୁଝିବା ପରେ ତପନଙ୍କୁ ଧରି ପିଟାମରା କରିଥିଲେ।

ଖବର ପାଇ ଝାଡ଼ପୋଖରିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ଶିଶୁପୁତ୍ରଟିକୁ ମାଳତୀଙ୍କ ଜିମା ଦିଆଯାଇଛି। ଏ ନେଇ ଥାନା କେସ୍ ନଂ ୧୮୩/୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତପନ, ପ୍ରହଲ୍ଲାଦ ଓ ଲିଜାଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର