ଜୟପୁର: ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ପାତ୍ରପୁଟ ପୋଲ ନିକଟରେ ଜୟପୁର ସଦର ପୁଲିସ ଚୋରା ଚାଲାଣ ହେଉଥିବା ୨୦୮ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଲେ, ହରିୟାଣା ଅନ୍ତର୍ଗତ ସୋନିପତ ଜିଲ୍ଲାର ୩୨ ବର୍ଷିୟ ପ୍ରଦୀପ, ଉତ୍ତରପ୍ରଦେଶ ଅନ୍ତର୍ଗତ ଶାମିଲ ଜିଲ୍ଲାର ୩୨ ବର୍ଷିୟ ମୋନୁ କୁମାର ଏବଂ ଖନ୍ଧାଲା ଜିଲ୍ଲାର ୨୪ ବର୍ଷିୟ ମହମ୍ମଦ ଆବିଦ।

ବାରିପଦା ପଟୁ ଜୟପୁର ସହର ଆଡ଼କୁ ‘ୟୁପି-୧୨-ଟି-୪୮୧୨’ ନମ୍ବର ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କଥା ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ. ମହାକୁଡ଼ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇଥିଲେ। ଏହି ସୂଚନା ଆଧାରରେ ଥାନା ଅଧିକାରୀ ମହାକୁଡ଼ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଏନ୍‌. କେ. ଟୋପ୍ପୋଙ୍କୁ ନେଇ ସଦଳବଳ ପାତ୍ରପୁଟ ପୋଲ ନିକଟରେ ପହଞ୍ଚି ସମ୍ପୃକ୍ତ ଟ୍ରକ୍‌କୁ ଅଟକାଇଥିଲେ। ଜଣେ ଏକ୍ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଏବଂ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ ସେ ଟ୍ରକ୍‌କୁ ଯାଞ୍ଚ କରାଯିବା ବେଳେ ସେଥିରୁ ୨୦୮ କିଲୋ ୩୦୦ ଗ୍ରାମ୍‌ ଗଞ୍ଜେଇ ମିଳିଥିଲା। ଏହି ଗଞ୍ଜେଇ ଉତ୍ତର ପ୍ରଦେଶକୁ ଯାଉଥିବା ଜଣାପଡ଼ିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ।

publive-image Image Courtesy of The Sierra Nevada Ally

ଗଞ୍ଜେଇ ସହ ପୁଲିସ ଉକ୍ତ ଟ୍ରକ୍‌, ୫୩୫ ପ୍ୟାକେଟ୍‌ ମଶାରି ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ମଧ୍ୟ ପୁଲିସ ନଗଦ ୩୨୦୦ ଟଙ୍କା ଏବଂ ୩ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି।

ଗଞ୍ଜେଇ ଚୋରା ଚାଲାଣ ଦମନ କରିବାକୁ କୋରାପୁଟ ପୁଲିସ ଚୋରାଚାଲାଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ଏହା ଆଗାମୀ ଦିନରେ ଜାରି ରହିବ ବୋଲି ପୁଲିସ କହିଛି।