ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ୩ଟି ବଡ଼ ସେତୁ ନିର୍ମାଣ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂଆ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନ ସହଜ ହେବା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Advertisment

ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ବରପାଲିରେ ଗୋଟିଏ ସେତୁ ରହିଛି। ବରପାଲିର ଜିଲୋଟ ନାଳ ଉପରେ ଏକ ସେତୁ ନିର୍ମାଣ କରାଯିବ। ୧୨୦ ମିଟର ଦୀର୍ଘ ଏହି ସେତୁ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବରଗଡ଼ ଓ ବରପାଲି ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିବା ସହିତ ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗର ସୁବିଧା ସୃଷ୍ଟି କରିବ। ଏହା ଦ୍ୱାରା ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଉପକୃତ ହେବେ। ସେହିପରି ବରଗଡ଼ ପୌରାଞ୍ଚଳ ଆଗାଁ ନଳା ଉପରେ ୬୦ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହା ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସହିତ ବରପାଲି ଓ ଭେଡେନ ବ୍ଲକ ମୁଖ୍ୟାଳୟକୁ ଯୋଡ଼ିବ। ଏହା ଦ୍ୱାରା ଅଢ଼େଇ ଲକ୍ଷ ଲୋକ ଉପକୃତ ହେବେ। ତୃତୀୟ ସେତୁଟି ସରଳା ନାଳ ଉପରେ ନିର୍ମାଣ କରାଯିବ। ୧୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣରେ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଭଟଲି ବ୍ଲକ ମୁଖ୍ୟାଳୟକୁ ବରଗଡ଼ ଓ ଅତାବିରା ବ୍ଲକ ମୁଖ୍ୟାଳୟକୁ ଯୋଡ଼ିବ। ଏହା ଦ୍ୱାରା ଅଢ଼େଇ ଲକ୍ଷ ଲୋକ ଉପକୃତ ହେବେ। ସୂଚନାଯୋଗ୍ୟ ଯେ ୫-ଟି ସଚିବ ଭି. କେ. ପାଣ୍ଡିଆନ ଗତ ଜୁନ୍ ମାସରେ ବରଗଡ଼ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକମାନେ ସେତୁର ଆବଶ୍ୟକତା ସମ୍ପର୍କରେ କହିଥିଲେ।