ବନ୍ଦ ହେଲା କେନ୍ଦୁଝର ଜିଲ୍ଲାର ୩ଟି ବଡ ଖଣି

ଦେଲେନି ଜୋରିମାନା ଟଙ୍କା

ହଜାର ହଜାର ଶ୍ରମିକଙ୍କ ଦାନାପାଣି ବନ୍ଦ

ଯୋଡା : ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜୋରିମାନା ଟଙ୍କା ଦେଇ ନ ପାରିବାରୁ ଯୋଡା ଖଣି ମଣ୍ଡଳର ୩ଟି ଖଣିକୁ ବନ୍ଦ କରିବା ପାଇଁ ଆଜି ଖଣି ବିଭାଗ ପକ୍ଷରୁ ନୋଟିସ୍‌ ଦିଆଯାଇଛି। ଏହି ଖଣିଗୁଡିକ ହେଲା ବଳଦାରେ ଥିବା ସିରାଜୁଦ୍ଦିନ୍‌ ଖଣି, ରୋଇଡାଠାରେ ଥିବା ମେସ୍କୋ ଓ ଆଇଡିସି ଖଣି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ୩ଟି ଖଣିରୁ ଉତ୍ତୋଳନ ଓ ପରିବହନ ବନ୍ଦ ରହିବ ବୋଲି ଉପରୋକ୍ତ ୩ଟି ଖଣି କମ୍ପାନିକୁ ନୋଟିସ୍‌ ଦିଆଯାଇଥିବା ଯୋଡା ଖଣି ଉପନିର୍ଦ୍ଦେଶକ ସୁଶାନ୍ତ କୁମାର ନାୟକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଲିଜ୍‌ ଏରିଆ ବାହାରେ ଅଧିକ ଖଣିଜ ଉତ୍ତୋଳନ ପାଇଁ ସୁପ୍ରିମ୍‌କୋର୍ଟ ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ଜୋରିମାନା ଟଙ୍କା ସରକାରଙ୍କ ନିକଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୋରିମାନା ନ ଦେଲେ ଖଣି ବନ୍ଦ ହେବ ବୋଲି ସୁପ୍ରିମ୍‌ କୋର୍ଟଙ୍କର କଡା ନିର୍ଦ୍ଦେଶ ରହିଥିଲା। ଯୋଡା ଖଣି ମଣ୍ଡଳର ୬୯ଟି ଖଣିରୁ ଜୋରିମାନା ଆଦାୟ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଏଥି ମଧ୍ୟରୁ ୩୨ଟି ଖଣି ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ଅର୍ଥ ପୈଠ କରିଛନ୍ତି। ଯୋଡା ଖଣି ମଣ୍ଡଳରୁ ସମୁଦାୟ ୧୨୧୫୯ କୋଟି ଜୋରିମାନା ଅର୍ଥରୁ ୪୩୧୮ କୋଟି ଟଙ୍କା ଆଦାୟ ହୋଇଛି। କାର୍ଯ୍ୟକ୍ଷମ ଥିବା ସିରାଜୁଦ୍ଦିନ, ମେସ୍କୋ ଓ ଆଇଡିସି ଖଣି ଆଜିଠାରୁ ବନ୍ଦ ହେବା ଦ୍ଵାରା ସରକାର ବିପୁଳ ରାଜସ୍ୱ ହରାଇବା ସହିତ ହଜାର ହଜାର ଶ୍ରମିକ ମଧ୍ୟ କାମଧନ୍ଦାରୁ ବଞ୍ଚିତ ହୋଇଛନ୍ତି। ଏହାଛଡା ଉକ୍ତ ୩ଟି ଖଣି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଶ୍ରମିକ, ସ୍ଥାନୀୟ ଲୋକେ ଓ ହଜାର ହଜାର ଟ୍ରକ ମାଲିକଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର