ଶ୍ବାସରୁଦ୍ଧ ହୋଇ ୩ ଭାଇ ମୃତ: ଭୂତଳ କୋଠରିକୁ ପଶି ଜଣକ ପରେ ଜଣେ ପ୍ରାଣ ହରାଇଲେ

ମୋହନା/ଅଡ଼ବା: ଗଜପତି ଜିଲ୍ଲା ମୋହନା ବ୍ଳକ ଅଡ଼ବା ଥାନା ବିରିକୋଟ ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଏକ ନିର୍ମାଣାଧୀନ କୋଠାଘର ପରିସରରେ ଥିବା ଛଅ ଫୁଟ ଗଭୀର ଅଣ୍ଡର୍‌ଗ୍ରାଉଣ୍ଡ୍‌ ଷ୍ଟୋର୍‌ ଘରକୁ ନିଶୁଣିରେ ଓହ୍ଲାଇଥିବା ତିନି ଭାଇ ଜଣକ ପରେ ଜଣେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଅଣ୍ଡର୍‌ଗ୍ରାଉଣ୍ଡ୍‌ ପାଣି ଟାଙ୍କି ଢାଞ୍ଚାରେ ନିର୍ମିତ ଏହି ଭୂତଳ ଘରେ ଢାଙ୍କୁଣି ଖୋଲି ନିଶୁଣି ପକାଇ ଏକ ଟ୍ରଙ୍କ ମଧ୍ୟରୁ ଏଟିଏମ୍‌ କାର୍ଡ଼ ଆଣିବାକୁ ନିଶୁଣିରେ ଓହ୍ଲାଇଥିବା ପରିବାର ଲୋକ କହୁଛନ୍ତି। ତେବେ ଭିତରେ ବାଷ୍ପରୁଦ୍ଧ ହୋଇ ତିନି ଭାଇଙ୍କ ଜୀବନ ଯାଇଛି। ଜଣଙ୍କୁ ବଞ୍ଚେଇବାକୁ ଯାଇ ପରେ ପରେ ଆଉ ୨ ଭାଇ ବଳି ପଡ଼ିଛନ୍ତି। ମୃତକମାନେ ହେଲେ ଜୁଆନ ମାଝୀଙ୍କ ୩ ପୁଅ ବିକ୍ରମ ମାଝୀ (୩୫), ସଞ୍ଜୀବ ମାଝୀ (୨୭), ଓ ଜିତୁ ମାଝୀ ( ୨୫)। ଜୁଆନଙ୍କ ପରିବାର ବସବାସ କରୁଥିବା ନିର୍ମାଣଧୀନ ଘର ଭିତରେ ଏକ ଛଅ ଫୁଟର ବିଶାଳ ଭୂତଳ କୋଠରି ରହିଛି।

ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଏହା ଭିତରୁ କିଛି ଜିନିଷ ବାହାର କରିବା ପାଇଁ ପ୍ରଥମେ ମଝିଆ ଭାଇ ସଞ୍ଜୀବ କଂକ୍ରିଟ ଢାଙ୍କୁଣି ଖୋଲି ନିଶୁଣି ପକାଇ ଭିତରକୁ ଓହ୍ଲାଇଥିଲେ। ସେ ଭିତରେ ସେ ଅଚେତ ହୋଇ ରହିଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ କିଛି ସ୍ବରଶବ୍ଦ ନ ଶୁଭିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ବଡ଼ଭାଇ ବିକ୍ରମ ଭିତରକୁ ଓହ୍ଲାଇଥିଲେ। ସେ ମଧ୍ୟ ବହୁ ସମୟ ପର୍ଯ୍ୟନ୍ତ ଆଉ ବାହାରକୁ ବାହାରି ନଥିଲେ। ସେ ବି ଶ୍ବାସରୁଦ୍ଧ ହୋଇ ଅଚେତ ହୋଇ ଭିତରେ ଥିଲେ। ଶେଷରେ ଦୁଇ ଭାଇଙ୍କୁ ଡାକିବା ସତ୍ତ୍ବେ ନ ଶୁଣିବାରୁ ଉଦ୍ଧାର କରିବାକୁ ସାନ ଭାଇ ଜିତୁ ମଧ୍ୟ ଭିତରକୁ ନିଶୁଣିରେ ଓହ୍ଲାଇଥିଲେ। ସେ ମଧ୍ୟ ଅଚେତ ହୋଇ ରହିଲେ। କେହି ବାହାରକୁ ନବାହାରିବା ଏବଂ ଡାକ ପକାଇଲେ ନଶୁଣିବାରୁ ଭୟଭୀତ ହୋଇ ଭଉଣୀ ତାରକା ମାଝୀ ଯାଇ ମା’ ଙ୍କୁ ଜଣାଇଥିଲା। ତୁରନ୍ତ ବାପା ଜୁଆନ ମାଝୀ ଓ ପରିବାର ଲୋକେ ରଶି ଲଗାଇ ଭୂତଳ କୋଠରି ଭିତରୁ ତିନି ଭାଇଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବିରିକୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ତୁରନ୍ତ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଶ୍ୱାସରୁଦ୍ଧ ହେବା କାରଣରୁ ୩ ଭାଇଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର