ତିନି ଭାଇଙ୍କୁ ହତ୍ୟା ଘଟଣା: ୬ ଅଭିଯୁକ୍ତ ଗିରଫ

ଆହୁରି ୭ ଜଣଙ୍କୁ ଖୋଜୁଛି ପୁଲିସ, ଦୋକାନ ଭିତରେ ଏବେ ବି ପଡ଼ିଛି ମାରଣାସ୍ତ୍ର

ପୁରୀ: ପୁରୀ-ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥର ପଟ୍ଟନାୟିକିଆ ଛକରେ ଘଟିଥିବା ଟ୍ରିପଲ୍‌ ମର୍ଡର ଘଟଣାରେ ପୁଲିସ ଅଟକ ରଖିଥିବା ୬ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ଆସନ୍ତାକାଲି ସତ୍ୟବାଦୀ ଥାନା ପୁଲିସ ସେମାନଙ୍କୁ କୋର୍ଟଚାଲାଣ କରିବ। ହତ୍ୟାକାଣ୍ଡରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା କେତେକ ମାରଣାସ୍ତ୍ରକୁ ପୁଲିସ ଜବତ କରିଥିବା ପୁରୀ ଏସ୍‌ପି ଡ. ଉମାଶଙ୍କର ଦାଶ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଭିକାରୀ ବେହେରା, ହରିହର ବେହେରା, ମନୁଆ ବେହେରା, ସହଦେବ ବେହେରା, ସୁବଳ ବେହେରା ଓ ଶଙ୍କର ବେହେରା।

ଅଭିଯୁକ୍ତମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଜିଲ୍ଲା ବାହାରୁ ଗିରଫ କରାଯାଇଥିବା ବେଳେ ଜଣକୁ ଘଟଣାସ୍ଥଳରୁ ଏବଂ ଅନ୍ୟ ଦୁଇ ଜଣଙ୍କୁ ନିକଟସ୍ଥ ଅଞ୍ଚଳରୁ ଧରାଯାଇଥିବା ଏସ୍‌ପି କହିଛନ୍ତି। ହତ୍ୟାକାଣ୍ଡରେ ମୋଟ୍‌ ୧୩ ଜଣ ସଂପୃକ୍ତ ଥିବା ବେଳେ ସେଥିରୁ ଗିରଫ ହୋଇଥିବା ୬ ଅଭିଯୁକ୍ତ ଅଛନ୍ତି। ଅନ୍ୟ ୭ ଜଣଙ୍କୁ ଧରିବା ପାଇଁ ପୁଲିସ ଚାରିଆଡ଼େ ଜାଲ ବିଛାଇଛି। ୧୩ ଜଣଙ୍କ ମଧ୍ୟରୁ ତିନିଜଣ ସିଧାସଳଖ ହତ୍ୟାକାଣ୍ଡରେ ସମ୍ପୃକ୍ତ। ଅନ୍ୟମାନେ ଷଡ଼ଯନ୍ତ୍ର ଓ ଯୋଜନାରେ ସାମିଲ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ଘର ଏବଂ ଦୋକାନ ପୋଡ଼ି ଦିଆଯାଇଥିବାରୁ ପୁଲିସ ଆଉ ଏକ ମାମଲା ରୁଜୁ କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ରକ୍ତ ନମୁନା ସହିତ ଅନ୍ୟାନ୍ୟ ଜିନିଷପତ୍ରକୁ ଜବତ କରିଛି। ଜାତୀୟ ରାଜପଥ କଡ଼ରେ ଥିବା ଅଭିଯୁକ୍ତଙ୍କ ଦୋକାନକୁ ପୋଡ଼ି ଦିଆଯାଇଥିବା ବେଳେ ଏହାକୁ ପୁଲିସ ଭଲ ଭାବେ ଯାଞ୍ଚ କରିନାହିଁ। ଏହି ଦୋକାନରେ ଏବେ ବି ମାରଣାସ୍ତ୍ର ପଡ଼ିଥିବାର ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘ ବର୍ଷ ଧରି ତିକ୍ତତା ଚରମସୀମାରେ ଥିଲେ ମଧ୍ୟ ପୁଲିସ ଏହାକୁ ଆଦୌ ଗୁରୁତ୍ବ ଦେଇନଥିଲା। ଯାହାର ପରିଣାମ ସ୍ବରୂପ ଗତ ୧୪ ତାରିଖରେ ଏଠାରେ ଏକକାଳୀନ ତିନି ଭାଇଙ୍କର ମୁଣ୍ଡ ଗଡ଼ିଥିଲା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

ଖୋଦ୍‌ ଏସ୍‌ପି ମଧ୍ୟ ସ୍ବୀକାର କରିଛନ୍ତି, ଦୁଇ ପରିବାର ମଧ୍ୟରେ ବିବାଦ ଆଜିକାଲିର ନୁହେଁ, ବର୍ଷ ବର୍ଷର। ଏହି ଘଟଣାକୁ ନେଇ ସତ୍ୟବାଦୀ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। ଉଭୟ ପରିବାର ମଧ୍ୟରେ ଜମି ବିବାଦ ଏବଂ ଆଧିପତ୍ୟ ବିସ୍ତାର ପାଇଁ ଦୀର୍ଘ ବର୍ଷ ହେଲା ଛକାପଂଝା ଲାଗି ରହିଥିଲା। ଏଭଳି ପରିସ୍ଥିତିରେ ପୁଲିସ କ’ଣ କରୁଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ହତ୍ୟାକାଣ୍ଡର ଶିକାର ତିନି ଭାଇଙ୍କର ଆଉ ଜଣେ ଭାଇ ଅଜୟ ବେହେରା ଯିଏକି ସରପଞ୍ଚ ଥିଲେ, ତାଙ୍କୁ ମଧ୍ୟ ୮ ମାସ ତଳେ ହତ୍ୟା କରାଯାଇଥିଲା। ହତ୍ୟା ପରେ ଅଜୟଙ୍କ ଶବକୁ ରେଳ ଲାଇନ ଉପ‌ରେ ପକାଇ ଦିଆଯାଇଥିବା ବେଳେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ଏ ନେଇ ଜିଆର୍‌ପି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଏହି ଘଟଣାର ପୁନଃତଦନ୍ତ ପାଇଁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର