ଜାତୀୟ ରାଜପଥରେ ତିନି ଭାଇଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କ ଘର ଜାଳିଦେଲେ

୧୩ ଜଣଙ୍କ ନାମରେ ଏତଲା, ଅଟକ ତିନି ଜଣଙ୍କୁ ଅଲଗା ଅଲଗା ଜେରା, ସଦାନନ୍ଦପୁରରେ ପୁଲିସ ଫୋର୍ସ ମୁତୟନ

ସାକ୍ଷୀଗୋପାଳ/ପୁରୀ : ଗତକାଲି ଦିନ ଦ୍ବିପ୍ରହରରେ ୩୧୬ ନମ୍ବର ଜାତୀୟ ରାଜପଥର ପଟ୍ଟନାୟିକିଆ ଛକରେ ଘଟିଥିବା ଲୋମଟାଙ୍କୁରା ତ୍ରିପଲ ମର୍ଡର ଘଟଣାକୁ ନେଇ ଆଜି ସତ୍ୟବାଦୀ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ହତ୍ୟାର ଶିକାର ହୋଇଥିବା ତିନି ଭାଇ ପୂର୍ଣ୍ଣଚନ୍ଦ୍ର ବେହେରା, ପଞ୍ଚୁ ବେହେରା ଓ କୃଷ୍ଣଚନ୍ଦ୍ର ବେହେରାଙ୍କ ଶବକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହଗୁଡିକୁ ପରିବାର ଜିମା ଦେଇଥିଲା ପୁଲିସ। ପରିବାର ଲୋକେ ତିନୋଟି ଯାକ ଶବକୁ ଏକ ଶୋଭାଯାତ୍ରାରେ ନେଇ ସ୍ବର୍ଗଦ୍ବାରଠାରେ ଅନ୍ତିମ ସଂସ୍କାର କରିଛନ୍ତି। ଅନ୍ୟପଟେ ହତ୍ୟା ମାମଲାର ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ଘରକୁ କେହି ନିଆଁ ଲଗାଇ ଜାଳି ଦେଇଛି। ସଦାନନ୍ଦପୁର ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ଗୋଟିଏ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ମାମଲାର ତଦନ୍ତକାରୀ ଅଧିକାରୀ ଇନସ୍ପେକ୍ଟର ତପନ ରାଉତ ଆଜି ସାଇଣ୍ଟିଫିକ୍ ଟିମକୁ ନେଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଅଟକ ରହିଥିବା ତିନି ଜଣଙ୍କୁ ପୁଲିସ ଅଲଗା ଅଲଗା ସ୍ଥାନରେ ରଖି ପଚରାଉଚରା କରିବା ସହ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି। ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ତିନୋଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ ଗୋଟିଏ ଟିମ୍‌ର ନେତୃତ୍ବ ନେଉଥିବା ବେଳେ ସତ୍ୟବାଦୀ ଥାନା ଆଇଆଇସି ତପନ ରାଉତ ଅନ୍ୟ ଟିମ୍‌ର ନେତୃତ୍ବ ନେଉଛନ୍ତି। ତୃତୀୟ ଟିମ୍‌କୁ ଖୋଦ ଏସ୍‌ପି ପରିଚାଳନା କରୁଛନ୍ତି। ଖୁବ୍ ଶୀଘ୍ର ଅଭିଯୁକ୍ତମାନେ ପୁଲିସ ହାତରେ ଧରାପଡ଼ିବେ ବୋଲି ଏସ୍‌ପି ଡ. ଉମାଶଙ୍କର ଦାଶ କହିଛନ୍ତି।

ଗତକାଲି ଅପରାହ୍ନ‌ରେ ପଟ୍ଟନାୟିକିଆ ଛକରେ ତିନି ଭାଇଙ୍କୁ ହତ୍ୟା କରାଯିବା ବେଳେ ସେଠାରେ ଥିବା ଟ୍ରାଫିକ୍ ଆଉଟପୋଷ୍ଟରେ ପୁଲିସ ମୁତୟନ ଥିଲେ। ଅଭିଯୁକ୍ତମାନଙ୍କ ହାତରେ ବିଭିନ୍ନ ମାରଣାସ୍ତ୍ର ଦେଖି ପୁଲିସ ମଧ୍ୟ ନିଜ ଜୀବନ ବଞ୍ଚାଇବାକୁ ଯାଇ ସେଠାରୁ ଛତ୍ରଭଙ୍ଗ ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯଦି ଏହି ଅଭିଯୋଗର ସତ୍ୟାସତ୍ୟ ରହିଥାଏ ତେବେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ଡିପିଓ ଶ୍ରୀ ବରାଳ କହିଛନ୍ତି। ପଟ୍ଟନାୟିକିଆ ଛକରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୁଲିସ ଜବତ କରି ଏହାକୁ ତନ୍ନତନ୍ନ କରି ଯାଞ୍ଚ କରୁଛି। ଗତକାଲିର ଏହି ହତ୍ୟାକାଣ୍ଡକୁ ନେଇ ପୁଲିସ ତିନୋଟି ମାମଲା ରୁଜୁ କରିଛି। ହତ୍ୟାକାଣ୍ଡକୁ ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ରାସ୍ତାରୋକକୁ ନେଇ ଦ୍ବିତୀୟ ମାମଲା ଏବଂ ଅଭିଯୁକ୍ତଙ୍କ ଘରକୁ ନିଆଁ ଲଗାଇ ଜାଳିଦେବାକୁ କେନ୍ଦ୍ର କରି ତୃତୀୟ ମାମଲା ରୁଜୁ ହୋଇଛି।

ସଦାନନ୍ଦପୁର ଗାଁର ଲକ୍ଷ୍ମୀଧର ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୫ଟା ସମୟରେ ସେ (ପ୍ରଶାନ୍ତ) ଏବଂ ତାଙ୍କ ଦାଦା ପୂର୍ଣ୍ଣଚନ୍ଦ୍ର ବେହେରା ଓ ପଞ୍ଚୁ ବେହେରା ଗାଁରୁ ଚାଲିଚାଲି ପଟ୍ଟନାୟିକିଆ ଛକରେ ଥିବା ତାଙ୍କ ଢ଼ାବାକୁ ଯାଉଥିଲେ। ଏହି ସମୟରେ ସେଠାରେ ଥିବା ସଦାନନ୍ଦପୁର ଗାଁର ଡୁଙ୍ଗ ବେହେରା, ତାଙ୍କ ଦୁଇ ପୁଅ ମିଟୁ ବେହେରା ଓ ନିରଞ୍ଜନ ବେହେରା, ଫକିର ବେହେରାଙ୍କ ତିନି ପୁଅ ଚରଣ ବେହେରା, ଶଙ୍କର ବେହେରା ଓ ରବି ବେହେରା ଏବଂ ଅନ୍ୟ ଦୁଇଜଣ ସୁବଳ ବେହେରା, ପୁନିଆ ବେହେରା ସେମାନଙ୍କୁ ଅଟକାଇଥିଲେ। ପୂର୍ବ ଶତ୍ରୁତାକୁ ନେଇ ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଡୁଙ୍ଗ ବେହେରା ତାଙ୍କ କ୍ୟାବିନ୍‌ରେ ରଖିଥିବା ଖଣ୍ଡା, ଭୁଜାଲି, ବାଡ଼ି ଓ କଟୁରୀ ଆଦି ଆଣି ଅନ୍ୟମାନଙ୍କୁ ଦେବା ପରେ ସମସ୍ତେ ସଂଘବଦ୍ଧ ହୋଇ ତିନି ଭାଇଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କ ଖଣ୍ଡା ଚୋଟରେ ପ୍ରଥମେ ପୂର୍ଣ୍ଣଚନ୍ଦ୍ର ଟଳିପଡ଼ିଥିଲେ। ପରେ ପଞ୍ଚୁଆଙ୍କୁ ମାରଣାସ୍ତ୍ରରେ ହାଣି ମାରି ଦେଇଥିଲେ ଅଭିଯୁକ୍ତ। ଏହା ଦେଖି ପ୍ରଶାନ୍ତ ସେଠାରୁ ଜୀବନବିକଳରେ ଦୌଡ଼ି ପଳାଇବା ବେଳେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ହାଣିବା ପାଇଁ ଗୋଡ଼ାଇଥିଲେ। ହେଲେ କୌଣସି ପ୍ରକାରେ ବର୍ତ୍ତିଯାଇଥିଲେ ପ୍ରଶାନ୍ତ। ପରେ ମଟର ସାଇକେଲରେ କୃଷ୍ଣଚନ୍ଦ୍ର ପହଞ୍ଚିଥିଲେ। ତାଙ୍କୁ ଦେଖି ଅଭିଯୁକ୍ତମାନେ ଖଣ୍ଡା, ଭୁଜାଲି ଓ ଚାପଡ଼ରେ ତାଙ୍କୁ ହାଣି ପକାଇଥିଲେ। ସଂଘବଦ୍ଧ ଆକ୍ରମଣରେ ଏହି ତିନି ଜଣ ଛଟପଟ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ଥିବାରୁ ସେମାନଙ୍କୁ ଅଟକାଇବାକୁ କେହି ସାହାସ କରିପାରିନଥିଲେ। ଫଳରେ ଅଭିଯୁକ୍ତମାନେ ସହଜରେ ଖସିଯିବାରେ ସକ୍ଷମ ହୋଇଥିଲେ। ହତ୍ୟାକାଣ୍ଡ ଘଟଣାରେ ଭିକାରୀ ବେହେରା, ଟୁନା ବେହେରା, ମନୁଆ ବେହେରା, ଅଭିରାମ ବେହେରା, ହର ବେହେରା ପ୍ରମୁଖ ସହଯୋଗ କରିଥି‌ବା ପ୍ରଶାନ୍ତ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର