ନିଯୁକ୍ତି, ଉଦ୍ୟୋଗ ନେଇ ଘେରିଲେ ୩ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର : ନିଯୁକ୍ତି ଠାରୁ ଆରମ୍ଭ କରି ଉଦ୍ୟୋଗ ପ୍ରତିଷ୍ଠା ପର୍ଯ୍ୟନ୍ତ। ସବୁଥିରେ ବିଫଳତା ଓ ଅପାରଗତାର ଲମ୍ବା ତାଲିକା ଦେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ତିନି କେନ୍ଦ୍ର ମନ୍ତ୍ରୀ। ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସରକାର ଉପରେ ମନଇଚ୍ଛା ବର୍ଷିଛନ୍ତି। ଆରୋପ ବି ଲଗାଇଛନ୍ତି, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାତକୁ ନିଆଯାଉଥିବା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇଥିଲା। ହେଲେ କେହି ବି ଆସିଲେନି। ଜଣେ ମାତ୍ର ପ୍ରତିନିଧି ଭାବେ ଯୋଗଦେଇଛନ୍ତି। ସବୁବେଳେ ରାଜ୍ୟ ସରକାରଙ୍କ ଏଭଳି ଗୋଡ଼ ଟଣା ପ୍ରକୃତି ରହିଛି। ବିକାଶ କାମ ବେଳେ ବି ସହଯୋଗ କରୁନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ଶାଳ ମଞ୍ଜି, ହରିଡ଼ା, ବାହାଡ଼ା, ଅଁଳା, ମହୁଲ ଆଦି ସାମଗ୍ରୀର ବଜାର ସୁବିଧା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ୫୦ କୋଟି ଟଙ୍କାର ଅଟକଳ ମଧ୍ୟ ହୋଇଛି। ଜନଜାତି ବ୍ୟାପାର କଲ୍ୟାଣ ମନ୍ତ୍ରଣାଳୟର ଦୁଇ ଜଣ ବରିଷ୍ଠ ଅଧିକାରୀ ଏଠାକୁ ଆସି ଆଲୋଚନା କରିଥିଲେ ମଧ୍ୟ ରାଜ୍ୟ ସରକାର ଆନ୍ତରିକତା ଦେଖାଇ ନାହାନ୍ତି। ଚାଷୀଙ୍କ ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉନାହାନ୍ତି। ଏଥିପାଇଁ ୯୦% ସବ୍‌ସିଡ୍‌ ଦେବାକୁ ଆମେ ରାଜି ଅଛୁ। ହେଲେ ରାଜ୍ୟ ସରକାର ଧ୍ୟାନ ହିଁ ଦେଉ ନାହାନ୍ତି। ବରଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜର ଯୋଜନା କହି ଡେଙ୍ଗୁରା ପିଟୁଛନ୍ତି। ଆଦିବାସୀଙ୍କ ପାଇଁ ଥିବା ଟିଡିସିସିକୁ ପୁନରୁଦ୍ଧାର କରୁନାହାନ୍ତି। କେବଳ ବଡ଼ ବଡ଼ କମ୍ପାନିଙ୍କୁ ଡାକି ଆଣୁଛନ୍ତି। ଏଣିକି ଆଉ ଏଭଳି ଚାଲିବନି। ଅଭିଜ୍ଞତା ନ ଥିଲା ବୋଲି ୧୯୯୬-୯୭ରେ ଭୁଲ୍‌ରେ ତୁମକୁ ଡାକି ଆଣି ଏକ ନମ୍ବର ସିଟ୍‌ରେ ବସାଇଥିଲୁ। ସେ ସିଟ୍‌ କାହା ପାଇଁ ସଂରକ୍ଷିତ ନୁହେଁ। ତାହାକୁ କେହି ବି ଅକ୍ତିଆର କରିପାରିବେ। ସିଟ୍‌ଟା ଏବେ ହଲୁଛି। ସାବଧାନ ରୁହ। ଆଗାମୀ ଦିନରେ ଲୋକେ ତାହାର ଜବାବ ଦେବେ।

କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗିରିରାଜ ସିଂହ ଅଭିଯୋଗ ଆଣିଥିଲେ, ଓଡ଼ିଶା ଉପକୂଳରେ ଥିବା ୪୮୦ କିମି ଅଞ୍ଚଳରେ ପ୍ଲାଣ୍ଟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏମ୍‌ଏସ୍‌ଏମ୍‌ଇ ସଚିବ ଏଠାକୁ ଆସି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ। ହେଲେ ରାଜ୍ୟ ସରକାର କହିଲେ ଆମେ କରିବୁ। କିନ୍ତୁ ଏପର୍ଯ୍ୟନ୍ତ କିଛି ବି କରିନାହାନ୍ତି। ତଥାପି ଆମେ ଚୁପ୍‌ ବସିବୁନି। ଯୋଜନା କରୁଛୁ। ଖୁବ୍‌ଶୀଘ୍ର ପଦକ୍ଷେପ ନେବୁ ବୋଲି ସେ ଦୃଢ଼ତାର ସହ କହିଥିଲେ।

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବକ ଯୁବତୀଙ୍କ ନିଯୁକ୍ତିକୁ ନେଇ ବିଷୋଦଗାର କରିଥିଲେ। ସେ କହିଲେ, ପ୍ରତିଟି ଓଡ଼ିଆଙ୍କୁ ରାଜ୍ୟ ଭିତରେ ନିଯୁକ୍ତି ମିଳିବା ଦରକାର। କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜି ଅଛନ୍ତି। କେବଳ ରାଜ୍ୟ ସରକାରଙ୍କ ସହଯୋଗ ଦରକାର। ଚାକିରି ପାଇଁ ଓଡ଼ିଶାର ଏକ ତୃତୀୟାଂଶ ଲୋକ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦକୁ କାମ କରିବାକୁ ଯାଉଛନ୍ତି। ମୁଦ୍ରା ଓ ଷ୍ଟାର୍ଟଅପ୍‌ ମାଧ୍ୟମରେ ରୋଜଗାର ସୁଯୋଗ ସୃଷ୍ଟି କରାଯାଉଛି। କେତେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅନୁମତି ଏଥିରେ ବାଧକ ସୃଷ୍ଟି କରୁଛି। ବହୁ ଲୋକ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କିଏ ୨୦ ବର୍ଷ ଶାସନ କଲେଣି ତ କାହାର ପରିବାର ୪୦ ବର୍ଷ ଶାସନ କଲେଣି। ସ୍ଲୋଗାନ୍‌ରେ ଆଦିବାସୀଙ୍କ ବିକାଶ ହେବନି। ଏଥି ପାଇଁ ହୃଦୟରେ ଦରଦ ରହିବା ଆବଶ୍ୟକ ବୋଲି ସେ କହିଥିଲେ।

ତେବେ ଏହି ବୈଠକରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍‌ ଏନ୍‌ ଗୁପ୍ତା ଓଡ଼ିଶା ସରକାରଙ୍କ ନିଯୁକ୍ତି ଉପରେ ତଥ୍ୟ ରଖିଥିଲେ। ସେ କହିଥିଲେ, ରାଜ୍ୟରେ ନିଯୁକ୍ତି ଉପରେ ପ୍ରାଥମିକତା ଦିଆଯାଉଛି। ବର୍ତମାନ ସୁଦ୍ଧା ଏମ୍‌ଏସ୍‌ଏମ୍‌ଇରେ ୧୬ ଲକ୍ଷ ଲୋକ ନିୟୋଜିତ ରହିଛନ୍ତି। ଗତ ୪ ବର୍ଷରେ ୬ ଲକ୍ଷ ଲୋକଙ୍କୁ ରୋଜଗାର ଦିଆଯାଇଛି। ଫୁଲବାଣୀରେ ହଳଦୀରେ ୫୧ଟି ପ୍ରାଥମିକ ସୋସାଇଟି ପ୍ରତିଷ୍ଠା ହୋଇଛି। ସେଠାରେ ୧୧ ହଜାର ଲୋକଙ୍କୁ ରୋଜଗାର ମିଳିଛି। ପ୍ରତ୍ୟେକ ଜିଲ୍ଲାରେ କ୍ଲଷ୍ଟର ପ୍ରତିଷ୍ଠା ହେଉଛି।

ସମ୍ବନ୍ଧିତ ଖବର