‌ଗୋଟିଏ ପରିବାର ୩ ଦଳ ପାଇଁ ଆଶାୟୀ : ଭୁବନେଶ୍ବରେ ଡେରା ପକାଇଛନ୍ତି ବାପା, ୨ ଝିଅ

ମାଲକାନଗିରି : ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡ଼ିକର ପ୍ରାର୍ଥୀ ଚୟନ କସରତ ଚାଲିଛି। ଆଶାୟୀ ଏବଂ ସମର୍ଥକ ଭୁବନେଶ୍ବରରେ ଡେରା ପକାଇଛନ୍ତି। ଅନ୍ୟପଟେ ଦଳ ଡିଆଁ ପର୍ବ ଏବଂ ଇସ୍ତଫା ପ୍ରକ୍ରିୟା ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି। କାହାର ଟିକଟ କଟୁଛି, କିଏ ହେବ ନୂଆ ମୁହଁ। ଏମିତି କଳ୍ପନା ଜଳ୍ପନା ମଧ୍ୟରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ରୋଚକ ଖବର ଆସିଛି। ଗୋଟିଏ ପରିବାରର ୩ ଜଣ ସଦସ୍ୟ ପରସ୍ପରର ପ୍ରତିଦ୍ବନ୍ଦ୍ବୀ ହେବ ବୋଲି ଶୁଣିବାକୁ ମିଳୁଛି। ଯଦି ଏହି ଶୁଣା କଥା ଭବିଷ୍ୟତରେ ବାସ୍ତବ ରୂପ ନେବ ତାହାହେଲେ ଓଡ଼ିଶା ରାଜନୀତିରେ ନୂଆ ଇତିହାସ ଲେଖାଯିବ।

ମାଲକାନଗିରି ଜିଲ୍ଲା ରାଜନୀତିରେ ମାଥିଲି ବ୍ଲକର ବାକା ପରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଭିନ୍ନ କାରଣରୁ ଏହି ପରିବାର ଏବେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି। ସରକାରୀ ଚାକିରିରୁ କିଛି ଦିନ ତଳେ ହିଁ ପୂର୍ଣ୍ଣଚନ୍ଦ୍ର ବାକା ଅବସର ନେଇଛନ୍ତି। ଏହାପରେ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ବର୍ତମାନ ସେ ବିଜେଡିର ବିଧାୟକ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ସେହିପରି ପୂର୍ଣ୍ଣଙ୍କ ବଡ଼ ଝିଅ ଶାନ୍ତିଲତା ବାକା (ମାଝୀ) ରାଷ୍ଟ୍ରୀୟ ଦଳ ବିଜେପିର ଜଣେ ନାରୀନେତ୍ରୀ ଭାବେ ଜଣାଶୁଣା। ଗତ ପଞ୍ଚାୟତ ନିର୍ବାଚନରେ ମାଥିଲି ଜୋନ-୨ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ଏଥର ଦଳ ତାଙ୍କୁ ଟିକଟ ଦେବ ବୋଲି ସେ ଆଶା କରୁଛନ୍ତି। ସାନ ଝିଅ ଲକ୍ଷ୍ମୀପ୍ରିୟା ବାପା (ନାୟକ) ମଧ୍ୟ ନିର୍ବାଚନ ରାଜନୀତିରେ ବେଶ ସଫଳ। ଗତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ ବର୍ତମାନ ମାଥିଲି ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ସେ ମଧ୍ୟ କଂଗ୍ରେସ ଦଳରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଆଶାୟୀ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଟିକେଟ ପାଇଁ ପୂର୍ଣ୍ଣ ଏବଂ ଦୁଇ ଝିଅ ଭୁବେନଶ୍ବରରେ ଡେରା ପକାଇଛନ୍ତି। ୩ ଜଣ ଯାକ ଟିକଟ ପାଇବେ ନା’ ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଏହା ଜଣାପଡ଼ିବା ପରେ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଯଦି ବାପା ଓ ଦୁଇ ଝିଅ ଟିକଟ ପାଇବେ ନିର୍ବାଚନ ବେଶ ସଂଘର୍ଷପୂର୍ଣ୍ଣ ଏବଂ ରୋଚକ ହେବ ବୋଲି ମତ ପ୍ରକାଶ ପାଇଛି। ପରସ୍ପର ସହ ମୁକାବିଲା କରିବାକୁ କିଏ କେମିତି ରଣନୀତି ଗ୍ରହଣ କରିବେ ଏବଂ ପରସ୍ପର ବିରୋଧରେ କ’ଣ କହି ଭୋଟରଙ୍କୁ ନିଜ ପକ୍ଷରେ ନେବେ- ତାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର