ବାମରା: ବାମରା ନିକଟ ହରିପଡ଼ା ରେଲୱେ ଫାଟକଠାରେ ଏକ ଚଳନ୍ତା ମାଲଗାଡ଼ିର ପଛ ପଟୁ ୩ଟି ବଗି ଅଲଗା ହୋଇ ଯାଇଥିଲା। ଫଳରେ ୧ ଘଣ୍ଟା ଧରି ରେଲୱେ ରୁଟ୍‌ ବ୍ୟାହତ ହୋଇଥିଲା।

Advertisment

ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନ ୧୦ ଟାରେ ଛତିଶଗଡ଼ ପଟୁ ଏକ କୋଇଲା ବୋଝେଇ ମାଲ ଗାଡ଼ି ଧାରୁଆଡିହି ଷ୍ଟେସନ ଅତିକ୍ରମ କରିଥିଲା। ଏହାର ପ୍ରାୟ ୬ କିମି ଅତିକ୍ରମ କଲା ପରେ ହରିପଡ଼ା ଫାଟକ ପାଖରେ ହଠାତ୍‌ ମାଲଗାଡ଼ିର ପଛ ପଟେ ଥିବା ୩ଟି ବଗି କୌଣସି କାରଣରୁ ଖୋଲି ଯାଇଥିଲା।

ଉକ୍ତ ମାଲ ଗାଡ଼ିରେ କାର୍ଯ୍ୟରତ ଗାର୍ଡ ତୁରନ୍ତ ଲୋକେ ପାଇଲଟ୍‌ ଓ ଷ୍ଟେସନ ମ୍ୟାନେଜରଙ୍କୁ ଫୋନରେ ସମ୍ପର୍କ କରିଥିଲେ। ଟ୍ରେନ ଡ୍ରାଇଭର ତୁରନ୍ତ ଟ୍ରେନ୍‌କୁ ଅଟକାଇ ପୁଣି ଓଲଟା ଦିଗକୁ ନେଇ ଅନ୍ୟ ରେଳ କର୍ମଚାରୀଙ୍କ ସହାୟତାରେ ବଗି ସଂଯୋଗ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଡାଉନ ଲାଇନ୍‌ରେ ମୁମ୍ବାଇ--ହାଓଡ଼ା ରେଳ ମାର୍ଗ ଦୀର୍ଘ ୧ ଘଣ୍ଟା ପର୍ଯ୍ୟନ୍ତ ବ୍ୟାହତ ହୋଇଥିଲା। ବିଦେଶକୁ ରପ୍ତାନି ହେଉଥିବା ଉତ୍କୃଷ୍ଟ କୋଇଲା ବୋଝେଇ ଏହି ଟ୍ରେନଟି ସଂଧ୍ୟାରେ ପଶ୍ଚିମବଙ୍ଗ ରାଜ୍ୟର ହଲଦିଆ ଡକୟାର୍ଡ ଅଭିମୁଖେ ବାହାରିଥିଲା।