୨ ଅଘଟଣ: ପୋଖରୀରେ ବୁଡ଼ିଗଲେ ୨ଶିଶୁପୁତ୍ର-୨ଶିଶୁକନ୍ୟା, ଜଣେ ଉଦ୍ଧାର

କେନ୍ଦ୍ରାପଡ଼ା/କେନ୍ଦ୍ରାପଡ଼ା: ପୋଖରୀରେ ବୁଡ଼ିଯାଇ ଆଜି ରାଜ୍ୟରେ ୩ ଜଣ ଶିଶୁଙ୍କର ସଲୀଳ ସମାଧୀ ହୋଇଛି। ଭିନ୍ନ ଭିନ୍ନ ଅଘଟଣରେ ୨ ଜଣ ଶିଶୁକନ୍ୟା ଓ ଜଣେ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ପ୍ରଥମ ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଅନ୍ୟଟି ଭଦ୍ରକ ଜିଲ୍ଲା ଆରଡି ଅଂଚଳରେ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳ ଫାଣ୍ତି ଅଧୀନ ଯଅଁରାବାରିମୂଳ ଗ୍ରାମରେ ଆଜି ଦୁଃଖଦ ଘଟଣା ଘଟିଛି। ଯୋରରେ ଭାସୁଥିବା ଡ଼ଙ୍ଗା ସଂଗ୍ରହ କରିବାକୁ ଯାଇ ଦୁଇ ଭଉଣୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଯଅଁରାବାରିମୂଳ ଗ୍ରାମର ବିପିନ ମଳିକଙ୍କ ଦୁଇ ଝିଅ ଶୁଭସ୍ମିତା(୩) ଓ ମଧୁସ୍ମିତା (୨) ଘର ପାଖରେ ଥିବା ଯୋରରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭସାଯାଇଥିବା କାଗଜ ଡଙ୍ଗା ସଂଗ୍ରହ କରିବାକୁ ପାଣି ଭିତରକୁ ପଶି ଯାଇଥିଲେ। କିଛି ବୁଝିବା ପୂର୍ବରୁ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ନ ଫେରିବାରୁ ଘର ଲୋକେ ସେମାନଙ୍କୁ ଖୋଜାଖୋଜି କରିଥିଲେ। ଯୋରରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ପାଣିରୁ ଉଦ୍ଧାର କରି ଏକ ଘରୋଇ ହସ୍‌ପିଟାଲ୍‌କୁ ନେଇଥିଲେ। ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ବିପିନ ଚାନ୍ଦୋଳ ଫାଣ୍ତିରେ ଲିଖିତ ଅଭିଯୋଗ କରିବା ପରେ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା(୩୦/୨୧)ରୁଜୁ କରାଯାଇଛି। ଡେରାବିଶ ତହସିଲଦାର ନମିତା ବାରିକଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ରାଜସ୍ବ ନିରୀକ୍ଷିକ ସ୍ବାଗତିକା ମଲ୍ଲ ଘଟଣାର  ତଦନ୍ତ କରିଛନ୍ତି।

ସେହିପରରିି ଆଜି ସନ୍ଧ୍ୟା ୫ଟା ସମୟରେ ଭଦ୍ରକ ଜିଲ୍ଲାର ଆରଡିପୀଠ ପାଗୁଲ ପାଢୀଙ୍କର ୭ବର୍ଷର ପୁଅ ଗଣେଶ ଓ ସୁମନ୍ତ ପାଢୀଙ୍କର ୪ବର୍ଷର ପୁଅ ସାଈ ସୋଲ ଡଙ୍ଗା  ଗୋଟାଇବାକୁ ଯାଇ ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ପହଞ୍ଚିଥିଲେ। ସେଠାରେ ଉଭୟଙ୍କର ଗୋଡ ଖସିଯିବାରୁ ବୁଡି ଯାଇଥିଲେ। କିଛି ଲୋକ ଦେଖି ଗଣେଶକୁ ଉଦ୍ଧାର କରିଥିଲେ। କିନ୍ତୁ ସାଈ ଗଭୀରକୁ ଚାଲିଯାଇଥିବାରୁ ଦୀର୍ଘ ସମୟ ପରେ ଉଦ୍ଧାର କରି ପ୍ରଥମେ ଆରଡି ମେଡିକାଲ ଓ ପରେ ଧୁଷୁରୀ  ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ସାଈକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗଣେଶ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛି।

ସମ୍ବନ୍ଧିତ ଖବର