ଝାରସୁଗୁଡା: ଗତକାଲି ଦ୍ବିତୀୟ ଦିନ ସଟ୍ଡାଉନ୍ ଶୃଙ୍ଖଳିତ ଭାବରେ ଶେଷ ହୋଇଥିବାର ଖବର ମିଳିଛି। ଝାରସୁଗୁଡ଼ା ସହର ସମେତ ସାରା ଜିଲ୍ଲାରେ ଲୋକେ ଏହି ସଟ୍ଡାଉନ୍ ବେଳେ ସହଯୋଗ କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ କିଛି ସ୍ଥାନରେ ଅମାନିଆ ମାନେ ପୁଲିସକୁ ନାକେଦମ୍ କରିଥିବା ଜଣାଯାଇଛି।
ତେବେ ଏସ୍ପି ରାହୁଲ ପିଆର୍ଙ୍କ ନେତୃତ୍ବରେ ଜିଲ୍ଲା ପୁଲିସର ବଛାବଛା ଅଫିସରମାନେ ଏହି ଅମାନିଆଙ୍କୁ ସାବାଡ଼ କରିବାରେ ସଫଳ ହୋଇଥିଲେ। ସଂପୂର୍ଣ୍ଣ ଯାନବାହନ ଚଳାଚଳ ବନ୍ଦ ଥିବା ବେଳେ ଦୋକାନ ବଜାର ବନ୍ଦ ରହିଥିଲା। ପୁଲିସ ପକ୍ଷରୁ ବିଭିନ୍ନ ରାସ୍ତାକୁ ସିଲ୍ କରି ଜଗି ରହିଥିଲା। ସଟ୍ଡାଉନ୍ ଚାଲିଥିବା ବେଳେ କୋଭିଡ୍ ନିୟମକୁ ଉଲଙ୍ଘନ କରି କ୍ଲିନିକଗୁଡ଼ିକରେ ଗହଳି କରି ସାମାଜିକ ଦୂରତା ମାନୁ ନ ଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ସହରରେ ଥିବା ୩ ଗୋଟି ନର୍ସିଂ ହୋମକୁ ସିଲ୍ କରାଯାଇଥିଲା।
ମଙ୍ଗଲବଜାର ଠାରେ ଥିବା ଡା. ପ୍ରଭାତ ଜୈନଙ୍କ ଆର୍କେ ମଲ୍ଟି କେୟାର, ଡା. ଆର୍କେ ସିଂଙ୍କ ବେହେରାମାଲ ସ୍ଥିତ ଲକ୍ଷ୍ୟ କିଓର ଏଣ୍ଡ କେୟାର ଏବଂ ମଙ୍ଗଲବଜାର ଠାରେ ଡା. ଡି.ପି.ଅଗ୍ରୱାଲଙ୍କ ଅଗ୍ରୱାଲ ନର୍ସିଂ ହୋମ୍କୁ ସିଲ କରାଯାଇଥିଲା। ମାଜିଷ୍ଟ୍ରେଟ୍ ଗୋଲକ ବିହାରୀ ମଙ୍ଗରାଜଙ୍କ ଉପସ୍ଥିତିରେ ପୁଲିସ ଏହି ସିଲ୍ କରିଥିବା ଜଣାଯାଇଛି।ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ୩ ଗୋଟି ନର୍ସିଂ ହୋମକୁ ସିଲ୍ କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।