ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ରାଜ୍ୟ କଂଗ୍ରେସରେ ସଂଗଠନିକ ଅଦଳବଦଳ ହେବା ଚର୍ଚ୍ଚା ଏବେ ଜୋର ଧରିଛି। କଂଗ୍ରେସର ରାଜ୍ୟ ପ୍ରଭାରୀ ବଦଳିବା ପରେ ତିନି ଜଣ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା ଆସିଛି । ଓଡ଼ିଶା କଂଗ୍ରେସର ୩ ବରିଷ୍ଠ ନେତା ଚିରଂଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ ଓ ନବ ଦାସ ଦିଲ୍ଲୀ ଯିବେ । ନୂଆ କରି ଦାୟିତ୍ୱ ନେଇଥିବା ଓଡିଶା ପ୍ରଭାରୀ ଜୀତେନ୍ଦ୍ର ସିଂହ ଦଳୀୟ ବ୍ୟାପାର ନେଇ ଏମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ ଆସନ୍ତା ୧୯ରେ ଏହି ୩ ନେତା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସର ନବକଳେବର ଓ ପିସିସି ନେତୃତ୍ୱ ପରିବର୍ତନ ଚର୍ଚ୍ଚା ଭିତରେ ଏହି ୩ ନେତାଙ୍କ ଦିଲ୍ଲୀ ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଛି । କିଛି ଦିନ ପୂର୍ବରୁ ଓଡିଶା କଂଗ୍ରେସରେ ଆମୂଳଚୂଳ ପରିବର୍ତନ ନେଇ ସଂକେତ ଦେଇଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ବୁଥରୁ ବ୍ଲକ ସ୍ତର ଯାଏ ସାଂଗଠନିକ ପୁର୍ନବିନ୍ୟାସ ନେଇ ଏହି ବୈଠକରୁ ମୂଳଦୂଆ ପଡିବ ବୋଲି ଆକଳନ କରାଯାଉଛି ।