ପୁରୀ: ଅର୍ପଣ ରଥ ଦାନ ପରିମାଣ ଆଜି ସୁଦ୍ଧା ୩ କୋଟି ଡେଇଁଛି। ଅଦ୍ୟାବଧି ଦାନ ଅର୍ଥ ସଂଗ୍ରହ ଜାରି ରହିଥିବାରୁ ଦାନ ପରିମାଣ ବଢ଼ିପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରେ ଅର୍ପଣ ରଥ ବୁଲିଥିଲା। ମହାପ୍ରଭୁଙ୍କ ଭକ୍ତମାନେ ଅରୁଆ ଚାଉଳ ଓ ଗୁଆ ଆଦି ଦେଇଥିଲେ। ଦାନ ଅର୍ଥ ବି ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାନ ସୂଚନା ମୁତାବକ, ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆସିଥିବା ଅର୍ଥ ମନ୍ଦିର ପ୍ରଶାସନ ତରଫରୁ ଗତ ଜାନୁଆରି ୨୨ ତାରିଖରୁ ସଂଗ୍ରହ ଓ ଗଣତି ଆରମ୍ଭ ହୋଇଥିଲା। ୩୦ଟି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ଯଥା, ଜିଲ୍ଲାପାଳ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ମହାନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ଗ୍ରାମ ପଞ୍ଚାୟତରୁ ଏହି ଦାନ ଅର୍ଥ ସଂଗ୍ରହ ହୋଇଥିଲା। ଫେବ୍ରୁଆରି ୭ ସୁଦ୍ଧା ଏହି ଦାନ ଅର୍ଥ ୩ କୋଟି ୬ଲକ୍ଷ ୬୨ହଜାର ୮୧୩ ଟଙ୍କାରେ ପହଞ୍ଚିଛି।

Advertisment

ଏହି ଦାନ ଅର୍ଥ ସଂଗ୍ରହ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଡେସ୍କ ଖୋଲାଯାଇଛି। ଏକାଧିକ ଅଧିକାରୀ ଓ କର୍ମଚାରୀଙ୍କୁ ଅର୍ଥ ଗ୍ରହଣ ଓ ଗଣତି ପାଇଁ ନିୟୋଜିତ କରାଯାଇଛି। ପୂର୍ବରୁ ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାନ ଅର୍ଥ, ଅରୁଆ ଚାଉଳ ଆଦି ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ବଦଳି ପରେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଏଣୁ ଯେଉଁ ଦାନ ଅର୍ଥ ସଂଗ୍ରହ ହୋଇଥିଲା, ଜିଲ୍ଲାସ୍ତରରୁ ନ ଆସି କେତେବେଳେ ପଞ୍ଚାୟତ କାର୍ଯ୍ୟାଳୟ ତ କେତେବେଳେ ପଞ୍ଚାୟତ ସମିତି ଅବା ଅନ୍ୟ କାର୍ଯ୍ୟାଳୟରୁ ଲୋକେ ନେଇ ଆସୁଛନ୍ତି। ଯେଉଁଥିପାଇଁ କେଉଁ ଜିଲ୍ଲାରୁ କେତେ ଟଙ୍କା ଆସୁଛି, ସହଜରେ ତାଲିକା ପ୍ରସ୍ତୁତ କରିବା ସମ୍ଭବପର ହେଉନି ବୋଲି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ କହିଛନ୍ତି।