ଭୁବନେଶ୍ବର: ସ୍ପେସାଲ କ୍ଲାସ୍ ଠିକାଦାରଙ୍କୁ ଓ୍ଵାର୍କ ଅର୍ଡର ଦେବା ନାଁରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ଠକେଇ ମାମଲାରେ ଫେରାର ଥିବା ଅଭିଯୁକ୍ତ ବିକାଶ ମହାରଣା ଆତ୍ମସମର୍ପଣ କରିଛି। ଭୁବନେଶ୍ବର ଏସଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ପରେ ବିକାଶକୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ସ୍ପେସାଲ କ୍ଲାସ୍ ଠିକାଦାର ଧନୁର୍ଦ୍ଧର ଚମ୍ପତ୍ତିରାୟଙ୍କୁ ବରକୂଳ ଓ ପାନ୍ଥ ନିବାସ ଓ୍ଵାର୍କ ଅର୍ଡର ଦେବା ନାଁରେ ପ୍ରାୟ ୩ କୋଟି ଟଙ୍କା ଠକେଇ ହୋଇଥିଲା।
ଅଭିଯୁକ୍ତ ବିଜୟାନନ୍ଦ ଚୌଧୁରୀ ଓରଫ୍ ସ୍ବାମୀ ବିଜୟାନନ୍ଦ ମହାରାଜ, ଚନ୍ଦନ ଆକାଶ ମହାନ୍ତି ଓ ବିକାଶ ମହାରଣା ମିଶି ଠକେଇ କରିଥିଲେ। କରୋନା ସମୟରେ ଠିକାଦାର ଧନୁର୍ଦ୍ଧର କାମ ସନ୍ଧାନରେ ଥିବା ବେଳେ ଠକେଇ ଜାଲରେ ପଡ଼ିଥିଲେ। ପୂର୍ବରୁ ବିଜୟାନନ୍ଦ ଓ ଚନ୍ଦନ ଆକାଶଙ୍କୁ ଇଓଡବ୍ଲୁ ଗିରଫ କରିଥିଲା। ବିକାଶ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୨୨ ତାରିଖରେ ବିକାଶ ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲା। ସେହିପରି ପୁରୀରେ ହୋଟେଲ ନୀଳାଚଳ ଅଶୋକ ବିକ୍ରି ନାଁରେ ବ୍ୟବସାୟୀ ତପନ କୁମାର ମହାନ୍ତିଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଠକେଇ ମାମଲାରେ ମଧ୍ୟ ଉପରୋକ୍ତ ଅଭିଯୁକ୍ତମାନେ ସମ୍ପୃକ୍ତ ରହିଛନ୍ତି।