ନୂଆପଡ଼ା ମାଓ ଆକ୍ରମଣ ଘଟଣା: ରାଜ୍ୟରେ ପ୍ରଥମ କରି ରକେଟ୍‌ ଲଞ୍ଚର ବ୍ୟବହାର କରିଛନ୍ତି ମାଓବାଦୀ

ମାଷ୍ଟରମାଇଣ୍ଡ ଦଶରୁ ନେତୃତ୍ବରେ ହୋଇଥିଲା ଯୋଜନା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ସୁନାବେଡ଼ା ଅଭୟାରଣ୍ୟ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଆକ୍ରମଣରେ ୩ ଯବାନ ସହିଦ ହେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଚିନ୍ତାର ପକାଇଦେଇଛି। ତେବେ, ଏହି ଆକ୍ରମଣ ଘଟଣାରେ ଜଣେ ମାଓବାଦୀ ଦଶରୁ ମାଷ୍ଟରମାଇଣ୍ଡ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ସେ ନିଜେ ଏହି ଆକ୍ରମଣରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲା କି ନାହିଁ, ସେଥିନେଇ ପୁଲିସ୍‌ ବାହିନୀ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ। କିନ୍ତୁ ଦଶରୁଙ୍କ ନେତୃତ୍ବରେ ଯବାନଙ୍କ ଉପରକୁ ଆକ୍ରମଣର ଯୋଜନା କରାଯାଇଥିବା ପୁଲିସ୍‌ ପ୍ରଶାସନ ନିକଟରେ ପ୍ରମାଣ ରହିଥିବା ଜଣାପଡ଼ିଛି।

ପାଟଦରା ଠାରେ ନୂଆ କ୍ୟାମ୍ପ ହେବା ଦିନଠାରୁ ଯବାନଙ୍କ ଗତିବିଧି ଉପରେ ଦଶରୁ  ତୀକ୍ଷ୍ଣ ନଜର ରଖିଥିଲା। ଏଥିସହ ଯବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ସୁଯୋଗ ଅପେକ୍ଷାରେ ରହିଥିଲା‌। କେବଳ ସେତିକି ନୁ‌ହେଁ, ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା କାର୍ତ୍ତିକ ଓରଫ ରାମଚନ୍ଦ୍ର ଓ ଦଶରୁ ସମସ୍ତ ଯୋଜନାର ତଦାରଖ କରୁଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି। ବୁଧବାର ସିଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଆହୁରି ମଧ୍ୟ ଜଣାଯାଇଛି ଯେ, ଦଶରୁର ନେତୃତ୍ବରେ ଗତ ୨ ମାସ ହେବ ଏହି ଆକ୍ରମଣର ଯୋଜନା କରାଯାଉଥିଲା।

ଦଶରୁ ବର୍ତ୍ତମାନ ଗରିଆବନ୍ଦ ଓ ନୂଆପଡ଼ା ଡିଭିଜନର ନେତୃତ୍ବ ନେଉଛି। କହାଯାଉଛି ଯେ, ମଙ୍ଗଳବାର ଦଶରୁର ନେତୃତ୍ବରେ ୨୦ରୁ ୩୦ ଜଣ ମାଓବାଦୀ ଏହି ଆକ୍ରମଣରେ ସାମିଲ ‌ଥିଲେ। ଭଇଁଷାଦାନୀ ଓ ପାଟଦରା ସିଆରପିଏଫ କ୍ୟାମ୍ପର ମଝିରେ କଂକ୍ରିଟ ରୋଡ଼ କାମ ଚାଲିଥିଲା। ଏହି ସମୟରେ ସିଆରପିଏଫ ଯବାନମାନେ ରାସ୍ତା ଓପନିଂ ପାର୍ଟି ଭାବେ (ଆର୍‌ଓପି, ରୋଡ଼ କ୍ଲିୟରାନ୍ସ) କାର୍ଯ୍ୟ କରୁଥିଲେ। ଏହି  ସମୟରେ ବର୍ଷା ହେବା ଫଳରେ ୩ ଜଣ ଯବାନ ଏକ ଗଛ ତଳେ ରହିବା ପାଇଁ ତାରପୋଲିନ୍ ବ୍ୟବସ୍ଥା କରୁଥିବା ସମୟରେ ୨୦ରୁ ୩୦ ଜଣ ମାଓବାଦୀ ହଠାତ୍ ଗୁଳି  ଚାଳନା କରିବା ସହ ରକେଟ୍‌ ଲଞ୍ଚରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଯବାନମାନଙ୍କ ମୃତ୍ୟୁ ଘଟିଥିଲା।

ମାଓବାଦୀମାନେ ମୃତ ଯବାନଙ୍କ ପାଖକୁଯାଇ ଏକେଏମ୍‌ -୭୯, ଏକେ-୪୭ ସହ ଆଧୁନିକ ଅସ୍ତ୍ର ୟୁବିଜିଏଲକୁ ନେଇ ଯାଇଥିଲେ। ପରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିବା ବେଳେ  ୩ରୁ ୪ଟି ରକେଟ ଲଞ୍ଚର ମାଡ଼ କରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଆକ୍ରମଣସ୍ଥଳରେ ୩ଟି ରକେଟ୍‌ ଲଞ୍ଚର ରହିଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ପ୍ରଥମ କରି ମାଓବାଦୀମାନେ ରକେଟ ଲଞ୍ଚର ମାଧ୍ୟମରେ ଆକ୍ରମଣ କରିଥିବାରୁ ରାଜ୍ୟ ପୁଲିସ୍‌ ବାହିନୀ ପାଇଁ ଚିନ୍ତାର କାରଣ ପାଲଟିଛି।

ବୁଧବାର ଘଟଣାସ୍ଥଳରେ ନୂଆପଡ଼ା ୨୧୬ ସିଆର୍‌ପିଏଫ୍‌ ବାଟାଲିୟନ ଅଧିକାରୀ ଓ ଯବାନମାନେ ପହଞ୍ଚି ଆକ୍ରମଣସ୍ଥଳର ଅନୁଧ୍ୟାନ କରିଥିଲେ। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ନୂଆପଡ଼ା ପହଞ୍ଚି ପୁଲିସ୍‌ ଅଧିକାରୀ ଓ ସିଆରପିଏଫ ଅଧିକାରୀଙ୍କୁ ନେଇ ଏହା ଉପରେ ବୈଠକ କରିବା ସହ ବୋଡ଼େନକୁ ଯାଇଥିବା ଜଣାପଡ଼ିଛି। ଡିଆଇଜି ରାଜେଶ ପଣ୍ଡିତଙ୍କ ସହିତ ସିଆରପିଏଫ ଅତିରିକ୍ତ ଡିଜି ନିତିନ ଅଗ୍ରୱାଲ ସିଆରପିଏଫର ଭଇଁଷାଦାନୀ ଓ ପାଟଦରା କ୍ୟାମ୍ପ ଏବଂ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ପ୍ରକାଶଥାଉ କି, ଗତ ମଇ ମାସରେ ବିଭିନ୍ନ ଗଣମାଧ୍ୟମରେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଏକଜୁଟ ହେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର ମାଓବାଦୀ ଏବଂ ଗୋପନରେ ଚାଲିଛି ବୈଠକ ଖବର ପ୍ରକାଶ ପରେ ମଧ୍ୟ ଜିଲ୍ଲା ପୁଲିସ୍‌ ଏହା ଉପରେ ଗୁରୁତ୍ବ ଦେଇନଥିଲା। ଯାହାଫଳରେ ନୂଆପଡ଼ା ଜିଲ୍ଲାରେ ପୁଣି ମାଓବାଦୀ ଉପସ୍ଥିତି ଜାହିର କରିବା ସହ ୩ ଜଣ ଯବାନଙ୍କୁ ନର୍ମମ ଭାବେ ହତ୍ୟାକରି ପୁଲିସକୁ ଚାଲେଞ୍ଜ କରିଛନ୍ତି।  ଜିଲ୍ଲାରେ ୫ରୁ ୬ ବର୍ଷ ହେଲା ମାଓବାଦୀଙ୍କ ଗତିବିଧି ନଥିବା ବେଳେ ପୁଣି  ସୁନାବେଡ଼ା ଅଭୟାରଣ୍ୟରେ ସେମାନେ ସଂଗଠିତ ହେଉଛନ୍ତି।  ଏହା ଉପରେ ସରକାର ଗୁରୁତ୍ବ ନଦେଲେ ପୁଣି ସୁନାବେଡ଼ା ଅଭୟାରଣ୍ୟ ମାଓବାଦୀଙ୍କ କବ୍‌ଜାକୁ ଚାଲିଯିବ ବୋଲି ଆଲୋଚନା ହେଉଛି।

ଆକ୍ରମଣରେ ବ୍ୟବହାର ହୋଇଛି ହାତ ତିଆରି ରକେଟ ଲଞ୍ଚର

ଯବାନଙ୍କୁ ଆକ୍ରମଣ ଘଟଣାରେ ମାଓବାଦୀ ରକେଟ ଲଞ୍ଚର ବ୍ୟବହାର କରିବା ପୁଲିସ ପ୍ରଶାସନର ନିଦ ହଜାଇ ଦେଇଛି। ସୁନାବେଡ଼ାରେ ମାଓବାଦୀମାନେ ଏହି ରକେଟ୍‌ ଲଞ୍ଚରକୁ ନିଜ କୌଶଳରେ ତିଆରି କରୁଥିବା ଜଣାପଡ଼ିଛି। ତେବେ ଆନ୍ଧ୍ର ମାଓବାଦୀଙ୍କ ଦ୍ବାରା ଏହି ରକେଟ ଲଞ୍ଚର ତିଆର କରାଯାଉଥିବା ଜଣାପଡ଼ିଛି।

୨୦୦୫ ମସିହାରେ ମାଓବାଦୀମାନେ ଆନ୍ଧ୍ରରେ ପ୍ରଥମେ ରକେଟ ଲଞ୍ଚର ବ୍ୟବହାର କରିଥିଲେ। ଛତିଶଗଡ଼ର ସୁକୁମାରେ ମାଓବାଦୀମାନେ ଏଭଳି ରକେଟ ଲଞ୍ଚରକୁ ବହୁଳ ଭାବରେ ବ୍ୟବହାର କରିଥିଲେ। ଓଡ଼ିଶାରେ ମାଓବାଦୀ ରକେଟ ଲଞ୍ଚରରେ ଆକ୍ରମଣ କରିବା ଏହା ପ୍ରଥମ  ଘଟଣା ବୋଲି ଜଣାପଡ଼ିଛି। ମଙ୍ଗଳବାର ମାଓବାଦୀ ରକେଟ ଲଞ୍ଚର ମାଡ଼ କରିଥିବାରୁ ଗଛରେ ବାଜିଥିବା ସ୍ଥାନ ଗୁଡ଼ିକ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସେମାନେ  ଯବାନଙ୍କ ଅସ୍ତ୍ରଶସ୍ତ୍ର ଧରି ପଲାଉଥିବା ବେଳେ ୩ଟି ରକେଟ ଲଞ୍ଚର ମାଡ଼ କରିଥିବା ବେଳେ ତାହା ମାଟିତଳେ ପଶିଯାଇଛି। ଆକ୍ରମଣର ୨୪ ଘଣ୍ଟା ପରେ ମଧ୍ୟ ଏହି ରକେଟ ଲଞ୍ଚରକୁ ଯବାନମାନେ ଉଦ୍ଧାର କରିନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର