ପୁରୀ : ସମ୍ବଲପୁରର ହୁମା ମନ୍ଦିର ଭଳି ପୁରୀର କଣାସ ବ୍ଲକ୍‌ରେ ରହିଛି ୩ଟି ବକ୍ର ମନ୍ଦିର। ଢଳି ରହିଥିବା ଦୃଷ୍ଟିରୁ ହୁମା ମନ୍ଦିର ଅନନ୍ୟ ପରିଚୟ ଲାଭ କରିଥିବା ବେଳେ କଣାସ ବ୍ଲକ୍‌ର ପାଖାପାଖି ୩ଟି ଗ୍ରାମରେ ପ୍ରାଚୀନ ବକ୍ର ମନ୍ଦିର ଦେଖିବାକୁ ମିଳିଛି। କଣାସ ବ୍ଲକ୍‌ର ପାଟ୍ଟଯୋଶୀପୁର, ମଇନ୍ଦିପୁର ଓ ସୋଧରପୁର ଗ୍ରାମରେ ଥିବା ମଧ୍ୟଯୁଗୀୟ ମନ୍ଦିରରେ ବାହାରକୁ ଢଳି ରହିବା ନେଇ କାରଣ ସ୍ପଷ୍ଟ ହୋଇନଥିଲେ ହେଁ ହୁମା ବକ୍ର ମନ୍ଦିରର ସାମଞ୍ଜସ୍ୟ ଦେଖିବାକୁ ମିଳିଛି। ରିଡିସ୍କଭରି ଲଷ୍ଟ୍‌ ହେରିଟେଜ୍‌ ଗ୍ରୁପ ପକ୍ଷରୁ ଚାଲିଥିବା ଧାରାବାହିକ ଗବେଷଣା କାଳରେ ଏହି ସାମଞ୍ଜସ୍ୟ ଚିହ୍ନଟ କରିଛନ୍ତି ଗ‌ବେଷକ।

Advertisment

କଣାସ ବ୍ଲକ୍‌ର ପାଟ୍ଟଯୋଶୀପୁର ଗ୍ରାମରେ ବାଲୁଙ୍କେଶ୍ବର ଦେବ, ମଇନ୍ଦିପୁରରେ ନାରାୟଣ ଦେବ ଓ ସୋଧରପୁରରେ ଅର୍ଜୁନେଶ୍ବର ଦେବ ମଧ୍ୟ ବକ୍ର ମନ୍ଦିରେ ପୂଜା ପାଇ ଆସୁଛନ୍ତି। ପୁରୁଣା ଜଗନ୍ନାଥ ସଡ଼କରୁ ପୁରୀ ଯାଇଥିବା ରାସ୍ତାର ଦକ୍ଷିଣ ପାର୍ଶ୍ବରେ ଏହି ମନ୍ଦିର ଦେଖିବାକୁ ମିଳିଛି। ଜାତୀୟ ରାଜପଥ ୧୬ର ରାମେଶ୍ବର ଛକଠାରୁ ୧୨ କିଲୋମିଟର ଦୂରରେ ଥିବା ଏହି ମନ୍ଦିରରେ ଏବେ ବି ପ୍ରାଚୀନ ମୂର୍ତ୍ତି ପୂଜା ପାଉଛନ୍ତି। ଏନେଇ ଇନ୍‌ଟାକ (ଇଣ୍ଡିଆନ୍‌ ନ୍ୟାସନାଲ୍‌ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ୍‌ କଲ୍‌ଚରାଲ୍‌ ହେରିଟେଜ୍‌)ର ଗବେଷକ ଦୀପକ କୁମାର ନାୟକ କହିଛନ୍ତି, ମନ୍ଦିର ଓ ମନ୍ଦିରରେ ପୂଜା ପାଉଥିବା ଠାକୁର ପୂର୍ବ ଗଙ୍ଗବଂଶ ସମୟର ହୋଇଥିବା ଅନୁମାନ କରାଯାଉଛି। ତେବେ ସ୍ଥାନର ଐତିହାସିକ ଗୁରୁତ୍ବ ଥିବା ସତ୍ତ୍ବେ ସରକାରୀ ସ୍ତରରେ ସଂରକ୍ଷଣ ନେଇ ଏହାକୁ ପ୍ରାଧାନ୍ୟ ଦିଆଯାଇନାହିଁ। ବହୁ ପ୍ରାଚୀନ ମନ୍ଦିର ହୋଇଥିଲେ ହେଁ ରାଜ୍ୟ ପ୍ରତ୍ନତତ୍ତ୍ବ ସଂରକ୍ଷଣ ତାଲିକାରେ ଏହାର ନାଁ ନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହୁମା ବକ୍ର ମନ୍ଦିରର ଗଠନ ଶୈଳୀ ଓ ଢଳି ରହିଥିବା ଶୈବ ପୀଠର ବିଶେଷତ୍ବ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଭକ୍ତଙ୍କୁ ଆକର୍ଷିତ କରିଥାଏ। ଏହା ବ୍ୟତୀତ ସେଠାରୁ ପୂର୍ବ ଗଙ୍ଗ ବଂଶ ସମୟର ବହୁ ପ୍ରତ୍ନତାତ୍ତ୍ବିକ ଅବଶେଷ ମଧ୍ୟ ମିଳିଛି। ପୂଜା ପାଉଥିବା ମୂର୍ତ୍ତି ମଧ୍ୟ ବହୁ ପ୍ରାଚୀନ। ତେଣୁ ଯଦି ଏହି ମନ୍ଦିର ଓ ନିକଟବର୍ତୀ ସ୍ଥାନଗୁଡ଼ିକର ଉନ୍ନତୀକରଣ କରାଯାଏ ତେବେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇପାରିବ ବୋଲି ସେ କହିଛନ୍ତି।

ଶ୍ରୀ ନାୟକ କହିଛନ୍ତି, ୩ଟି ମନ୍ଦିର ଭୂପୃଷ୍ଠରୁ ଢଳି ରହିବାର ପ୍ରକୃତ କାରଣ ଏବେ ବି ଗବେଷଣା ସାପେକ୍ଷ। ଏ ସମ୍ପର୍କରେ ଗ୍ରାମବାସୀମାନେ ମଧ୍ୟ ଠିକ୍‌ ଭାବେ ଅବଗତ ନୁହନ୍ତି। ମାତ୍ର ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏଭଳି ଘଟିଥିବା ଅନୁମାନ କରାଯାଉଛି। ଏହା ପଛରେ ଯେକୌଣସି କାରଣ ଥିଲେ ମଧ୍ୟ ମନ୍ଦିର ଢଳି ରହିବାର ଦୃଶ୍ୟ ନିଶ୍ଚିତ ପର୍ଯ୍ୟଟକ ଓ ଭକ୍ତଙ୍କୁ ଆକର୍ଷିତ କରିବ। ଏବେ ଗ୍ରାମବାସୀମାନଙ୍କ ଦ୍ବାରା ମନ୍ଦିର ପରିଚାଳନା କରାଯାଉଥିବା ବେଳେ ସରକାରୀ ସୂତ୍ରରୁ ମନ୍ଦିରର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ନେଇ କୌଣସି ପ୍ରକାରର ସହାୟତା ଉପଲବ୍ଧ ହେଉନାହିଁ ବୋଲି ଗ୍ରାମବାସୀମାନେ ଗବେଷଣା ବେଳେ କହିଛନ୍ତି। ଯଦିଓ ହୁମା ମନ୍ଦିର ଭଳି ଏତେ ମନ୍ଦିରଗୁଡ଼ିକ ଏତେ ଉଚ୍ଚ ନୁହେଁ, କିନ୍ତୁ ସାମଞ୍ଜସ୍ୟ ରହିଥିବାରୁ ଏହାର ଉନ୍ନତି କରାଗଲେ ପର୍ଯ୍ୟଟକଙ୍କ ଦ୍ବାରା ବେଶ ଆଦୃତ ହୋଇପାରିବ ବୋଲି ସେ କହିଛନ୍ତି।