ଜାମ୍‌ତରା ଗ୍ୟାଙ୍ଗ୍‌ର ୩ ସାଇବର ଠକ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ୨ ଇଂଜିନିୟରିଂ ଛାତ୍ର 

ସମ୍ବଲପୁର: ସାଇବର୍‌ ଅପରାଧୀଙ୍କ ବିରୋଧରେ ସମ୍ବଲପୁର ପୁଲିସ୍‌କୁ ବଡ଼ ସଫଳତା ମିଳିଛି। ଋଣ ଦେବା ବାହାନା କରି ୨ ଲକ୍ଷ ଟଙ୍କା ଠକେଇ ମାମଲାରେ ସମ୍ବଲପୁର ଅଇଁଠାପାଲି ପୁଲିସ ଜାମତରା ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ଖଗା ଥାନା ଅଧୀନ ମାଲାନ୍ଦି ଗାଁର ରେହମତ୍‌ ଅନ୍‌ସାରି (୨୨), ଝାଡ଼ଖଣ୍ଡ ଗୋବିନ୍ଦପୁର ଥାନାର ବିଶାଲ ପାଣ୍ଡେ (୨୧) ଓ ବିହାର ଜମୁଇ ଥାନା ଅଧୀନ ବରୁଅଟ୍ଟାର ଶେଖର ଗୌତମ(୨୧)। ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ବିଶାଲ ଓ ଶେଖର ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍‌ରେ ପଢ଼ୁଥିବା ବେଳେ ରେହମତ୍‌ ଅନ୍‌ସାରି କେବଳ ଅଷ୍ଟମ ପାସ୍‌ କରିଛି। ଏହି ଅଭିଯୁକ୍ତ ମାନେ ଭୁବନେଶ୍ବରରେ ଏକ ଘର ଭଡ଼ା ନେଇ ଏକାଠି ରହୁଥିଲେ ଓ ସେହିଠାରୁ ସାଇବର୍‌ ଠକେଇର ସାମ୍ରାଜ୍ୟ ତିଆରି କରିଥିଲେ। ଉକ୍ତ ମେସ୍‌ରେ ୫ ଜଣ ରହୁଥିବାବେଳେ ୪ ଜଣ ଇଂଜିନିୟରିଂ ଛାତ୍ର। ସମସ୍ତ ୫ ଜଣଙ୍କୁ ଗତ ୧୪ ତାରିଖ ଦିନ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ସମ୍ବଲପୁର ପୁଲିସ୍‌ ଉଠାଇଥିଲା।

ତେବେ ୨ ଇଂଜିନିୟରିଂ ଛାତ୍ରଙ୍କ ଏହି ଘଟଣାରେ ସଂପୃକ୍ତିର କୌଣସି ପ୍ରମାଣ ନ ମିଳିବାରୁ ସେମାନଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଥିବା ପୁଲିସ୍ ପକ୍ଷରୁ କହାଯାଇଛି। ଅପରପକ୍ଷରେ ପୁଲିସ୍‌ ଚଢ଼ଉର ପୂର୍ବ ସୂଚନା ପାଇ ହେଉ ବା ଅନ୍ୟ କୌଣସି କାରଣରୁ ଉପରୋକ୍ତ ଅଭିଯୁକ୍ତ ମାନେ ଆଗୁଆ ମେସ୍ ଛାଡ଼ି ଦେଇଥିଲେ। ଫଳରେ ପରିବାର ଲୋକ ଭୁବନେଶ୍ବର‌ ତମାଣ୍ଡୋ ଥାନାରେ ସେମାନଙ୍କ ନିଖୋଜ ଥିବା ନେଇ ଗତ ୧୧ ତାରିଖରେ ଅଭି‌ଯୋଗ କରିଥିଲେ। ୧୪ ତାରିଖରେ ପୁଲିସ୍‌ କମିସନର୍‌ଙ୍କୁ ଭେଟି ମଧ୍ୟ ଏ ସଂପର୍କରେ ଜଣାଇଥିଲେ। ଏହାପରେ ସେମାନେ ସମ୍ବଲପୁର ପୁଲିସ୍ ହେପାଜତରେ ଥିବା ଜଣା ପଡ଼ିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ତାରିଖ ଦିନ ଅଇଁଠାପାଲି ଥାନା ଅଧୀନ ଅନୁଗୁଳିଆପଡ଼ା ଅଞ୍ଚଳର ସରୋଜ ଦାଶ (୪୭) ୨ ଲକ୍ଷ ଟଙ୍କା ସାଇବର୍‌ ଠକେଇର ଶିକାର ହୋଇଥିଲେ। ଋଣ ନେବା ପାଇଁ ଅନ୍‌ଲାଇନ୍‌ରେ ସର୍ଚ୍ଚ କରି ଠକେଇର ଶିକାର ହୋଇଥିଲେ। ଏ ନେଇ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବୈଷୟିକ ଜ୍ଞାନକୌଶଳ ସହାୟତା ସାଙ୍ଗକୁ ଅଇଁଠାପାଲି ପୁଲିସର ଆଗ୍ରହ ଓ ପ୍ରୟାସ ଯୋଗୁଁ ଏହି ସଫଳତା ମିଳିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗ୍ୟାଙ୍ଗ୍‌ରେ ଅଷ୍ଟମ ଶ୍ରେଣୀ ପାଠ ପଢ଼ିଥିବା ରେହମତ୍‌ ଅନ୍‌ସାରି ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ ସବୁଠାରୁ ଧୃତ୍ତ। ତା’ ନାଁରେ ୮ଟି ବିଭିନ୍ନ ବ୍ୟାଙ୍କ୍‌ର ଆକାଉଣ୍ଟ ରହିଛି। ଧରାପଡ଼ି ନଥିବା ଅନ୍ୟ ଜଣେ ଅଭିଯୁକ୍ତ ନାଁରେ ୨୭ଟି ଆକାଉଣ୍ଟ ରହିଛି। ଅଭିଯୁକ୍ତମାନେ ସାରା ଭାରତରେ ଠକେଇ କରିଥିବା ଜଣାପଡ଼ିଛି।

ତେବେ ସେମାନଙ୍କ ଆକାଉଣ୍ଟକୁ କେଉଁ କେଉଁଠାରୁ ଟଙ୍କା ନେଣଦେଣ ହୋଇଛି, ଏସବୁ ତର୍ଜମା କରିବା ପରେ ଏହି ଗ୍ୟାଙ୍ଗ୍ କେତେ ଜଣଙ୍କୁ ଠକିଛି ତାହା ଜଣାପଡ଼ିବ ବୋଲି ପୁଲିସ କହିଛି। ଅନ୍ୟପଟେ ଏଥିରେ ଆହୁରି ଅନେକ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ କରି ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ ସେମାନଙ୍କ ପାଖରୁ ୧ ଲକ୍ଷ ୧୩ ହଜାର ୨ ଶହ ଟଙ୍କା ସାଙ୍ଗକୁ ଗୋଟିଏ ଲାପ୍‌ଟପ୍‌, ୯ଟି ମୋବାଇଲ୍‌ ଫୋନ୍‌ ଓ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ କାର୍ଡ ଜବତ କରିଛି।

ସମ୍ବନ୍ଧିତ ଖବର