ମଠ ଭଙ୍ଗାଯିବା ପୂର୍ବରୁ ୩-ଡି ଭିଜୁଆଲ୍‌ ନିଆଯାଉ

ପଞ୍ଜାବୀ ମଠ, ମଙ୍ଗୁ ମଠ ନଭାଙ୍ଗିବାକୁ ପିଟିସନ୍‌ ଦେବେ ଶିଖ୍‌ ସର୍ଦାର, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା ଇନ୍‌ଟାକ୍‌

ଭୁବନେଶ୍ବର : ମାଟିରେ ମିଶିଛି ଏମାର ଓ ଲଙ୍ଗୁଳି ଭଳି ପ୍ରାଚୀନ ମଠ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ଆହୁରି କେତେକ ପ୍ରାଚୀନ ମଠ ମଧ୍ୟ ବଳି ପଡ଼ିବାକୁ ଯାଉଛି। ତେବେ‌ ଓଡ଼ିଶା ଇତିହାସର ସୁବର୍ଣ୍ଣ ଯୁଗର ଏହି ଐତିହ୍ୟ ସ୍ମାରକୀଗୁଡ଼ିକର ପ୍ରାମାଣିକ ଚିତ୍ରକୁ ଯେଭଳି ସଂଗ୍ରହ କରାଯିବା କଥା, ତାହା କରାଯାଉ ନାହିଁ ବୋଲି ଦି ଇଣ୍ଡିଆନ୍‌ ନାସ୍‌ନାଲ୍‌ ଟ୍ରଷ୍ଟ୍‌ ଫର୍‌ ଆର୍ଟ ଆଣ୍ଡ୍‌ କଲ୍‌ଚରାଲ୍‌ ହେରିଟେଜ୍‌ (ଇନ୍‌ଟାକ୍‌) ଅଭି‌ଯୋଗ ଆଣିଛି। ଆଧୁନିକ ଜ୍ଞାନକୌଶଳ ବହୁ ଉନ୍ନତି କରିଥିବାରୁ ପୁରାତନ ସ୍ମାରକୀର ୩-ଡି ଭିଜୁଆଲ୍‌ ରେକର୍ଡ କରିବାର ଆବଶ୍ୟକତା ରହିଛି ବୋଲି ଇନ୍‌ଟାକ୍‌ର ଅନିଲ୍‌ ଧୀର୍‌ କହିଛନ୍ତି। ଖାଲି ସେତିକି ନ‌ୁହେଁ, ଭାଙ୍ଗିବା ପରେ ଯେଉଁ କଳାକୃତି ଓ ରେକର୍ଡ ମିଳୁଛି ସେଗୁଡ଼ିକର ଟିକିନିଖି ତାଲିକା କରାଯିବା ସହ ତୁରନ୍ତ ସଂରକ୍ଷଣ କରିବା ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଛି ଇନ୍‌ଟାକ୍‌। ଏନେଇ ଇନ୍‌ଟାକ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ଏହା ହୋଇପାରିଲେ ସେସବୁ ସଂଗୃହୀତ କୃତି ଓ ରେକର୍ଡଗୁଡ଼ିକ ଗୋଟେ ସ୍ବତନ୍ତ୍ର ସଂଗ୍ରହାଳୟରେ ପରପିଢ଼ି ପାଇଁ ସାଇତା ଯାଇପାରିବ। ଫଳରେ ତୀର୍ଥ ସହରର ସଂସ୍କୃତି ଓ ପ୍ରାଚୀନ ଐତିହ୍ୟର ମୂକସାକ୍ଷୀ ସାଜିଥିବା ମଠ ପରମ୍ପରା ଭବିଷ୍ୟତ ପିଢ଼ି ପାଖେ ପହଞ୍ଚି ପାରିବ ବୋଲି ଶ୍ରୀ ଧୀର୍‌ କହିଛନ୍ତି।

ଇନ୍‌ଟାକ, ଓଡ଼ିଶାର ଆବାହକ ଅମିୟ ଭୂଷଣ ତ୍ରିପାଠୀ କହିଛନ୍ତି ଯେ ଶ୍ରୀମନ୍ଦିରର ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଉଚ୍ଛେଦ ଅଭିଯାନ ସ୍ବାଗତଯୋଗ୍ୟ। ତେବେ ଅସୁରକ୍ଷିତ ଥିବା ଦୃଷ୍ଟିକୋଣରୁ ଉଚ୍ଛେଦ କରାଯାଉଥିବା କେତେକ ପୁରୁଣା ମଠର ପୁନରୁଦ୍ଧାର ସହ ଉପଯୁକ୍ତ ସଂରକ୍ଷଣ କରାଯାଇପାରିବ। ଆଧୁନିକ ସଂରକ୍ଷଣ ଜ୍ଞାନକୌଶଳ ପ୍ରୟୋଗ କରି କେତେକ ପୁରୁଣା ଷ୍ଟ୍ରକ୍‌ଚର ବା ସଂରଚନାକୁ ପୁନରୁଦ୍ଧାର କରିହେବ। ପୁରୀର ପ୍ରତ୍ୟେକ ମଠ ଜଗନ୍ନାଥ ସଂସ୍କୃତି ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ରୀତିନୀତି ସହ ସଂଶ୍ଳିଷ୍ଟ ଅଛି। ତେଣୁ ଏହାକୁ ମଧ୍ୟ ସରକାର ବିଚାରକୁ ନେବା ଉଚିତ୍‌ ବୋଲି ସେ କହିଛନ୍ତି। ପୂର୍ବରୁ ଇନ୍‌ଟାକ୍‌ ବହୁ ପ୍ରମୁଖ ଐତିହ୍ୟ ଅଂଶବିଶେଷକୁ ପୁନରୁଦ୍ଧାର କରିବାରେ ସକ୍ଷମ ହୋଇଛି। ଜୋବ୍ରା କର୍ମଶାଳାକୁ ମାରିଟାଇମ୍‌ ମ୍ୟୁଜିୟମ, କେତେକ ମନ୍ଦିର ଓ ଐତିହ୍ୟ ବିଲ୍‌ଡିଂକୁ ଇନ୍‌ଟାକ୍‌ ପୁନରୁଦ୍ଧାର କରିଛି। ନିକଟରେ ରାଣୀ ବଖ୍‌ରି ଓ ସମ୍ବଲପୁରର ଟାଉନ୍‌ ହଲ୍‌ର ପୁନରୁଦ୍ଧାର କାମ ଶେଷ କରିବାକୁ ଯାଉଛି। ତେଣୁ ପୁରୁଣା ମଠଗୁଡ଼ିକୁ ମଧ୍ୟ ଆଧୁନିକ ସଂରକ୍ଷଣ ଜ୍ଞାନ କୌଶଳ ଜରିଆରେ ସଂରକ୍ଷଣ କରାଯାଇପାରିବ ବୋଲି ସେ କହିଛନ୍ତି।

ଡ. ବିଶ୍ବଜିତ ମହାନ୍ତିଙ୍କ କହିବା ମୁତାବକ, ବ୍ୟବସାୟିକ କାର୍ଯ୍ୟରେ ନିୟୋଜିତ ଦୋକାନ ଗୃହ ଓ ରହଣି ପାଇଁ ବ୍ୟବହୃତ ଘରଗୁଡ଼ିକୁ ଭାଙ୍ଗିଦେବାରେ ସମସ୍ୟା ନାହିଁ। ମାତ୍ର ମଠ ଆମ ଅତୀତ ଗୌରବ ଓ ଐଶ୍ବର୍ଯ୍ୟର ମୁକସାକ୍ଷୀ ହୋଇଥିବାରୁ ସ୍ମାରକୀଗୁଡ଼ିକୁ ସୁରକ୍ଷା ଦେବା ମଧ୍ୟ ଆବଶ୍ୟକ। ଏଗୁଡ଼ିକ ସୁରକ୍ଷିତ ରହିଲେ ମଠଗୁଡ଼ିକ ମଧ୍ୟ ପରିକ୍ରମାର ଅଂଶବିଶେଷ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବୀ ମଠ ଓ ମଙ୍ଗୁ ମଠ ନଭାଙ୍ଗିବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଶିଖ୍‌ ସର୍ଦାରମାନେ ପିଟିସନ୍‌ ଦେବେ ବୋଲି ଶ୍ରୀ ଧୀର୍‌ ସୂଚନା ଦେଇଛନ୍ତି। ଡ.ବିଶ୍ବଜିତ ମହାନ୍ତି, ଅନିଲ୍‌ ଧୀର୍‌, ଡ.ଡି.ପି ପଟ୍ଟନାୟକ, ସଂଜୀବ ଚନ୍ଦ୍ର ହୋତା, ଡ.ବିମଳେନ୍ଦୁ ମହାନ୍ତି, ବିନୋଦ ପାଢ଼ୀ ଓ ଏସ୍‌.କେ.ବି ନାରାୟଣ ପ୍ରମୁଖଙ୍କ ସ୍ବାକ୍ଷରିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀକୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର