ଭୁବନେଶ୍ବର : ଏମ୍ସରେ ବି ଚାଲିଛି ଦଲାଲି। ଆଜି ଭୁବନେଶ୍ବର ଏମ୍ସରୁ ୩ ଜଣ ଦଲାଲ୍ଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଏହି କଥା ପଦାକୁ ଆସିଛି। ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା କୋଲିୟରି ଥାନା ହାଣ୍ଡିଧୁଆର ଜ୍ୟୋତିରଂଜନ ସାହୁ(୩୬), ନୟାଗଡ଼ ଜିଲ୍ଲା ରଣପୁର ଥାନା କୁଲାସାରର ସୀମାଞ୍ଚଳ ଖୁଣ୍ଟିଆ(୩୦) ଓ ଖଣ୍ଡଗିରି ସରକନ୍ତରାର ରାକେଶ କୁମାର ଖୁଣ୍ଟିଆ(୨୧)। ଅଭିଯୁକ୍ତ ଜ୍ୟୋତିରଂଜନ ନିକଟସ୍ଥ ଏକ ଘରୋଇ ପା ଥୋଲାବ୍ର କର୍ମଚାରୀ ଓ ସେ ଅନ୍ୟ ଦୁଇ ସହଯୋଗୀଙ୍କ ଜରିଆରେ ଦଲାଲି କରୁଥିବା ପୁଲିସ ସୂଚନା ଦେଇଛି।
ସୂଚନାନୁସାରେ ଘରୋଇ ପାଥୋଲାବ୍ରୁ ହିଁ ଅପରେସନ୍ କାର୍ଯ୍ୟକାରୀ ହେଉଥିଲା। କର୍ମଚାରୀ ଜ୍ୟୋତିରଂଜନ ଏବଂ ତା’ର ଦୁଇ ସହଯୋଗୀ ଏମ୍ସ ଆସୁଥିବା ରୋଗୀମାନଙ୍କୁ ଓପିଡି ଟିକେଟ୍ କରାଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମରେ ସହଯୋଗ କରୁଥିଲେ। ତେବେ ସେମାନଙ୍କ ବଡ଼ ବେପାର ଥିଲା ରୋଗୀମାନଙ୍କ ପାଇଁ ଡାକ୍ତରଙ୍କ ଦ୍ବାରା ସୁପାରିସ୍ ହେଉଥିବା ବିଭିନ୍ନ ପରୀକ୍ଷାକୁ ଉକ୍ତ ପାଥୋଲାବ୍ରେ କରାଇବା। ଦୂରରୁ ଆସିଥିବା ରୋଗୀମାନଙ୍କ ପାଇଁ ସହଜରେ ଓପିଡି ଟିକେଟ୍ କରାଇ ଦେଇଥିବାରୁ ସେମାନେ ପାଥୋଲାବ୍ରେ ସମସ୍ତ ପରୀକ୍ଷା କରିବାକୁ ରାଜି ହେଉଥିଲେ। ଫଳରେ ପାଥୋଲାବ୍ରୁ କମିସନ ପାଇ ଅଭିଯୁକ୍ତମାନେ ରୋଗୀମାନଙ୍କୁ ଶୋଷଣ କରୁଥିଲେ। ରାଜ୍ୟରେ ଦଲାଲ ଧରପଗଡ଼ ଅଭିଯାନ ଜୋରଦାର ହେବା ପରେ ରୋଗୀ ସମ୍ପର୍କୀୟମାନଙ୍କ ସୂଚନା ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରିଛି।