୩ ଦିନ ଭିତରେ କ୍ୱାର୍ଟର୍ସ ଛାଡ଼, ନଚେତ ଏତଲା ! ନିର୍ଦ୍ଦେଶ ନ ମାନିବା ପରେ କଠୋର ହେଲେ ବାଚସ୍ପତି

ଭୁବନେଶ୍ୱର : ୩ ଦିନ ଭିତରେ ସରକାରୀ କ୍ବାର୍ଟର୍ସ ଛାଡ଼। ନଚେତ ସିଧା ପୁଲିସ୍‌ରେ ଏତଲା ଦିଆଯିବ।

ଅମାନିଆ ପୂର୍ବତନ ବିଧାୟକଙ୍କୁ ଆଜି ଏମିତି ଚରମ ଚେତବାନୀ ଶୁଣାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ମାସେ ତଳେ କ୍ବାର୍ଟର୍ସ ଛାଡ଼ିବାକୁ ତାଗିଦ୍ କଲା ପରେ ଅଧିକାଂଶ ଶୁଣିଲେ ନାହିଁ। କ୍ବାର୍ଟର୍ସ ନ ଛାଡ଼ିଲେ ଲାଇନ୍, ପାଣି କାଟିବାକୁ ଧମକ ଦେଇଥିଲେ ବି ତାହା କାଟୁ କଲାନି। ଶେଷରେ ବାଧ୍ୟ ହୋଇ ବାଚସ୍ପତି ପୁଲିସ୍‌ର ସାହାରା ନେବେ ବୋଲି କହିଛନ୍ତି।

ନିର୍ବାଚନ ନ ଲଢ଼ିଥିବା କିମ୍ବା ହାରିଯାଇଥିବା ପ୍ରାୟ ୨୬ ଜଣ ପୂର୍ବତନ ବିଧାୟକ ସରକାରୀ କ୍ବାର୍ଟର୍ସ ଛାଡ଼ି ନାହାନ୍ତି। ଏମାନଙ୍କ ମଧ୍ୟରୁ କିଛି ଏମ୍‌ଏଲ୍‌ଏ କଲୋନିରେ କ୍ବାର୍ଟର୍ସ ପାଇଥିଲା ବେଳେ ଆଉ କିଛି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କ୍ବାର୍ଟର୍ସ ପାଇଥିଲେ। ନିର୍ବାଚନ ପରେ ଗତ ଜୁନ୍ ମାସରେ ସେମାନଙ୍କ ଘର ଖାଲି କରିବା ପାଇଁ ନୋଟିସ୍‌ ଦିଆଯାଇଥିଲା। କିନ୍ତୁ ସେମାନେ ଛାଡ଼ି ନ ଥିଲେ। ଫଳରେ ନୂଆ ବିଧାୟକମାନେ କ୍ବାର୍ଟର୍ସ ପାଇବାରେ ସମସ୍ୟା ଦେଖାଦେଇଥିଲା। ଗତ ସେପ୍ଟେମ୍ବର ମାସ ୧୬ ତାରିଖରେ ବାଚସ୍ପତି ପୂର୍ବତନ ବିଧାୟକମାନଙ୍କୁ କ୍ବାର୍ଟର୍ସ ଛାଡ଼ିବା ପାଇଁ ତାଗିଦ୍ କରିଥିଲେ। ତଥାପି ସେମାନେ କ୍ବାର୍ଟର୍ସ ଖାଲି କରି ନାହାନ୍ତି। କିଛି ପୂର୍ବତନ ବିଧାୟକ କ୍ବାର୍ଟର୍ସ ଖାଲି କରିଛନ୍ତି ବୋଲି ଆଜି ବାଚସ୍ପତି ସୂଚନା ଦେଇଛନ୍ତି। ତେବେ ସେମାନଙ୍କ ସଂଖ୍ୟା ବହୁତ କମ୍। ତେଣୁ ମଙ୍ଗଳବାର ସୁଦ୍ଧା କ୍ବାର୍ଟର୍ସ ଖାଲି ନ କଲେ ପୁଲିସ୍‌ରେ ଏତଲା ଦିଆଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର ରୋକ୍‌ଠୋକ୍ ଜଣାଇ ଦେଇଛନ୍ତି।

ଅପରପକ୍ଷରେ ବିଧାୟକମାନଙ୍କ ପାଇଁ ପ୍ରସ୍ତାବିତ ସାତ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍‌ର ନିର୍ମାଣ ଆସନ୍ତା ମାସରୁ ଆରମ୍ଭ ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଟେଣ୍ଡର୍ ସରିଛି। ଏଥି ପାଇଁ ଲୋକସମ୍ପର୍କ ଭବନ ସାମ୍ନା ଏମ୍‌ଏଲ୍‌ଏ କଲୋନିର କ୍ବାର୍ଟର୍ସଗୁଡ଼ିକ ଭଙ୍ଗା‌ଯିବ। ସେହି କ୍ବାର୍ଟର୍ସରେ ରହୁଥିବା ବର୍ତ୍ତମାନର ବିଧାୟକମାନଙ୍କୁ ମଧ୍ୟ କ୍ବାର୍ଟର୍ସ ଖାଲି କରିବା ପାଇଁ ଜଣାଇ ଦିଆଯାଇଛି। ବର୍ତ୍ତମାନର ବିଧାୟକମାନଙ୍କ ମଧ୍ୟରୁ କିଛି ବିଧାୟକଙ୍କୁ ଏମ୍‌ଏଲ୍‌ଏ କଲୋନିର ବଳକା ଅଂଶରେ ଥିବା କ୍ବାର୍ଟର୍ସ ଓ ଆଉ କିଛି ବିଧାୟକଙ୍କ ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ କ୍ବାର୍ଟର୍ସ ଆବଣ୍ଟନ କରାଯିବ। ତେଣୁ ପୂର୍ବତନ ବିଧାୟକମାନେ ରହୁଥିବା ଉଭୟ ଏମ୍‌ଏଲ୍‌ଏ କଲୋନି ଓ ସାଧାରଣ ପ୍ରଶାସନ ବିଭାଗର କ୍ବାର୍ଟର୍ସଗୁଡ଼ିକୁ ଖାଲି କଲେ ବର୍ତ୍ତମାନର ବିଧାୟକମାନଙ୍କୁ ତାହା ଆବଣ୍ଟନ ହେବ। ପ୍ରସ୍ତାବିତ ଆପାର୍ଟମେଣ୍ଟ୍‌ ନିର୍ମାଣ ସରିଲେ ସେହିଠାରେ ସମସ୍ତ ବିଧାୟକଙ୍କୁ ଘର ଦିଆଯିବ ବୋଲି ବାଚସ୍ପତି ଜଣାଇଛନ୍ତି। ଖୁବ୍ ଶୀଘ୍ର ବିଧାନସଭାରେ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍‌ ବ୍ୟବସ୍ଥା ଗ୍ରହଣ କରାଯିବା ସହ ୟୁନିଫର୍ମ ଡ୍ରେସ୍ କୋଡ୍‌ ଲାଗୁ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର