୩ ଦିନ ହେଲାଣି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ ଆଲୋଚନା ଜାରି

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦ ନେଇ ଗୃହରେ ବିରୋଧୀ ନଛୋଡ଼ବନ୍ଦା। ଆଜିକୁ ୩ ଦିନ ହେଲାଣି ବିଲ୍‌ ଉପରେ ଆଲୋଚନା ଜାରି ଅଛି। ବିଲ୍‌ର ସଂଶୋଧିତ ଧାରାକୁ ନେଇ ଅନୁଚ୍ଛେଦ ଓ୍ବାରୀ ଆଲୋଚନା କରିବାକୁ ବିରୋଧୀ ଅଡ଼ି ବସିଥିବା ବେଳେ ବେଳେ ସିଲେକ୍ଟ୍‌ କମିଟିକୁ ପଠାଇବାକୁ ଦାବି କରିଛନ୍ତି। ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେଇ ଶାସକ ଦଳ ମଧ୍ୟ ପ୍ରସ୍ତାବିତ ବିଲ୍‌ ସପକ୍ଷରେ ଯୁକ୍ତି ଦର୍ଶାଇଛନ୍ତି।

ସୋମବାର ଅପରାହ୍ନରେ ଗୃହରେ ବିଲ୍‌ ଉପରେ ଆଲୋଚନା କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ବିଭିନ୍ନ ଗଣମାଧ୍ୟମ ଖବର ପ୍ରକାଶ କରିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ସାଂଘାତିକ କେଳେଙ୍କାରୀ ଶୀର୍ଷକ ଦୈନିକ ଖବରକାଗଜ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଛି। ନୂଆ ବିଲ୍‌ର ଧାରା ୩, ୬, ୧୦, ୧୪, ୧୫, ୧୬ର ଅସଂଗତି ନେଇ ସେ ଯୁକ୍ତି ଦର୍ଶାଇଥିଲେ। ଶ୍ରୀ ମିଶ୍ର କହିଥିଲେ, ପ୍ରସ୍ତାବିତ ବିଲ୍‌ଟି ପାରିତ ହେଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ହାତରେ ଏହାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆହରଣ କିମ୍ବା ବିକ୍ରି କରିବା କ୍ଷମତା ଆଉ ରହିବ ନାହିଁ। ଏସବୁ କ୍ଷମତା ସରକାରଙ୍କ ହାତକୁ ଚାଲିଯିବ। ଅର୍ଥାତ୍‌ କାଗଜ କଲମଟିଏ ପାଇଁ କୁଳପତିଙ୍କୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଯାହାକୁ ଶିକ୍ଷାବିତ୍‌ମାନେ ଗ୍ରହଣ କରିପାରୁନାହାନ୍ତି। ସିଣ୍ଡିକେଟ୍‌ରେ ଉଚ୍ଚଶିକ୍ଷା ସଚିବ କିମ୍ବା ତାଙ୍କ ସ୍ଥାନରେ ଯୁଗ୍ମ ଶାସନ ସଚିବଙ୍କୁ ସଦସ୍ୟ ରଖାଯାଇଛି। ଏହାସହିତ ପିଜି କାଉନସିଲ ଅଧ୍ୟକ୍ଷ କିମ୍ବା ତାଙ୍କ ସମତୁଲ ବ୍ୟବସ୍ଥା କରାଯାଇଛି। ଏହି ସମୁତୁଲ ଶବ୍ଦର ଅର୍ଥ କଣ ବୋଲି ସେ ଆପତ୍ତି ଉଠାଇଥିଲେ। ସେହିପରି ଷ୍ଟୁଣ୍ଡେଣ୍ଟ୍‌ ଓ୍ବେଲଫେୟାର୍‌ ମୁଖ୍ୟ କିଏ ବୋଲି ସେ ପ୍ରଶ୍ନ କରିଥିଲେ। ଏସବୁ ଅସଂଗତି ଦୂର ପାଇଁ ସେ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି। ସିଣ୍ଡିକେଟ୍‌ରେ ୨ ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ରଖାଯାଉ। ଏହାସହିତ ବିଶ୍ବବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ କର୍ପୋରେଟ୍‌ ସଂସ୍ଥାମାନଙ୍କୁ ସ୍ଥାନ ନ ଦେବାକୁ ସେ ସରକାରଙ୍କୁ ସତର୍କ କରାଇଦେଇଥିଲେ।

ବିଲ୍‌କୁ ବିରୋଧ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ପ୍ରସ୍ତାବିତ ବିଲ୍‌ରେ କର୍ମଚାରୀ ଚୟନ ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ନେଇ କିଛି ବି ଉଲ୍ଲେଖ କରାଯାଇନି। ସେହିପରି ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚାକିରି ସ୍ଥାୟୀ କରିବା ନେଇ ମଧ୍ୟ ସରକାର କିଛି କହିନାହାନ୍ତି। ଅନ୍ୟ ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକରେ ସିନେଟ୍‌ ବ୍ୟବସ୍ଥା ଥିବାବେଳେ ଓଡ଼ିଶା ସରକାର ଏହାକୁ ଉଚ୍ଛେଦ କରିବା ପାଇଁ ରଖିଥିବା ପ୍ରସ୍ତାବ ଗ୍ରହଣୀୟ ନୁହେଁ। ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ହେଉଛି ସିଣ୍ଡିକେଟ୍‌। ଏଥିରେ ଢାଞ୍ଚାଗତ ପରିବର୍ତ୍ତନ ପାଇଁ ନୂଆ ବିଲ୍‌ରେ ଯେପରି ପ୍ରସ୍ତାବ ରହିଛି, ସେଥିରୁ ଜଣାପଡ଼ୁଛି ସରକାର ସମ୍ପୂର୍ଣ୍ଣ ଭାବେ ବିଶ୍ବବିଦ୍ୟାଳୟ ପ୍ରଶାସନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଯାଉଛନ୍ତି। ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ଜାତୀୟ ସ୍ତରରେ ପ୍ରଥମ ୫୦ଟି ବିଶ୍ବବିଦ୍ୟାଳୟ ତାଲିକାରେ ସ୍ଥାନ ପାଉଥିବାବେଳେ ୮୦ ବର୍ଷ ତଳର ଉତ୍କଳ ବିଶ୍ବବିଦ୍ୟାଳୟ ସରକାରୀ ହେଲେ ବି ୯୬ତମ ସ୍ଥାନରେ ରହିଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ସରକାରୀ ବିଶ୍ବବିଦ୍ୟାଳୟରେ ଆଉ କେହି ଛାତ୍ରଛାତ୍ରୀ ପଠ ପଢ଼ିବାକୁ ପସନ୍ଦ କରିବେ ନାହିଁ।

ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଥିଲେ, ବହୁ ଦିନରୁ ବିଶ୍ବବିଦ୍ୟାଳୟ ପ୍ରଶାସନିକ ସ୍ତରରେ ସଂସ୍କାର ପାଇଁ ଦାବି ହୋଇଆସୁଥିଲା। ସେ ବିଶ୍ବବିଦ୍ୟାଳୟରେ ଛାତ୍ର ଥିବାବେଳେ ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ କିପରି ଅସୁବିଧା ଭୋଗୁଥିଲେ ସେ ସମ୍ପର୍କରେ ସୂଚନା ଦେଇଥିଲେ। ଓଏପିଏସ୍‌ସି ଦ୍ବାରା ଶିକ୍ଷକ ନିଯୁକ୍ତି କରାଗଲେ ଏକକାଳୀନ ସବୁ ବିଶ୍ବବିଦ୍ୟାଳୟରେ ଖାଲିପଡ଼ିଥିବା ଶିକ୍ଷକ ପଦବିଗୁଡ଼ିକ ପୂରଣ କରାଯାଇପାରିବ। ଫଳରେ ଶିକ୍ଷକ ନିଯୁକ୍ତିରେ ସ୍ବଚ୍ଛତା ଆସିବା ସହିତ ଭଲ ଓ ଦକ୍ଷ ଶିକ୍ଷକ ନିଯୁକ୍ତି ହେବେ। ସେହିପରି ଅଣଶିକ୍ଷକ ନିଯୁକ୍ତି ଷ୍ଟାଫ୍‌ ସିଲେକ୍‌ସନ୍‌ ସଂସ୍ଥା ଦ୍ବାରା କରିବାକୁ ସରକାର ଯେଉଁ ପ୍ରସ୍ତାବ ରଖିଛନ୍ତି, ତାହା ମଧ୍ୟ ସ୍ବାଗତ ଯୋଗ୍ୟ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ ସମୟ ଅଭାବରୁ ଅଣଶିକ୍ଷକ ପଦବିଗୁଡ଼ିକ ବର୍ଷବର୍ଷ ଧରି ଖାଲିପଡ଼ିଛି। ଏ ସମ୍ପର୍କରେ ନିଜର ଅସହାୟତା ଦର୍ଶାଇ ୭ଟିରୁ ଅଧିକ ବିଶ୍ବବିଦ୍ୟାଳୟ ମଧ୍ୟ ସରକାରଙ୍କୁ ଆଗରୁ ଜଣାଇଥିଲେ। ସିନେଟ୍‌ ଉଚ୍ଛେଦ ନେଇ ବିରୋଧୀଙ୍କ ଅଭିଯୋଗ ଅମୂଳକ। ଗୃହରେ ଏ ସମ୍ପର୍କରେ ସଦସ୍ୟମାନଙ୍କ ଅବଗତି ନିମନ୍ତେ ସେ କହିଥିଲେ, ଉତ୍କଳ ବିଶ୍ବବିଦ୍ୟାଳୟରେ ସିନେଟ୍‌ ୧୦ ବର୍ଷ ହେଲାଣି ବସିନାହିଁ। ରାଜ୍ୟରେ ଅନ୍ୟ କେତେକ ବିଶ୍ବବିଦ୍ୟାଳୟରେ ସିନେଟ୍‌ ସଭା ପ୍ରତିବର୍ଷ ମଧ୍ୟ ବସୁନାହିଁ। ସିନେଟ୍‌ ବ୍ୟବସ୍ଥା ଏବେ ଅପ୍ରାସଙ୍ଗିକ ହୋଇପଡ଼ିଛି। ତାଙ୍କ କହିବା କଥା ଏହି ସଂଶୋଧନ ଫଳରେ କୁଳପତିଙ୍କୁ ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣ ବିକାଶ କରିବାରେ ଅଧିକ ସମୟ ମିଳିବ। ଯାହାକୁ ଅଧିକାଂଶ ଛାତ୍ରଛାତ୍ରୀ ସ୍ବାଗତ କରିଛନ୍ତି ବୋଲି ଶ୍ରୀ ରାୟ କହିଥିଲେ।

ଶ୍ରୀରାୟ କହି ସାରିବା ପରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଆଲୋଚନା ଜାରି ରଖିଛନ୍ତି। ସୋମବାର ଏହି ବିଲ୍‌ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର