ଟାଙ୍ଗୀ ନିକଟରେ ଘନ କୁହୁଡ଼ି ନେଲା ଜୀବନ : କଣ୍ଟେନର ପଛରେ ପିଟି ହେଲା ଆମ୍ବୁଲାନ୍ସ; ୩ ମୃତ, ୩ ଗୁରୁତର

ଚିକିତ୍ସା ପାଇଁ ଆସୁଥିବା ଶିଶୁ କନ୍ୟା ମୁସ୍କାନ କିନ୍ତୁ ବଂଚିଗଲା

ଟାଙ୍ଗୀ : କଟକ ଜିଲ୍ଲା ଟାଙ୍ଗୀ ଥାନା ବଇଁଚୁଆଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ରାଜପଥ ଉପରେ ଛିଡା ହୋଇଥିବା କଣ୍ଟେନର ପଛରେ ଏକ ଆମ୍ବୁଲାନ୍ସ ପିଟି ହୋଇଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ବାସିନ୍ଦା। ୪ ବର୍ଷର ଝିଅ ମୁସ୍କାନର ଚିକିତ୍ସା ପାଇଁ ସେମାନେ କଟକ ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। କିନ୍ତୁ କୁନି ଝିଅ ମୁସ୍କାନ ବଂଚି ଯାଇଛି। ଏଭଳି ଦୁର୍ଘଟଣା ଘନ କୁହୁଡି ଯୋଗୁଁ ଘଟିଥିବା କୁହାଯାଉଛି।

ଗତକାଲି ରାତିରେ ଶିଶୁ ସହିତ ତାର ପରିବାର ଓ ସଂପର୍କୀୟ ୫ ଜଣ ଏକ ଆମ୍ବୁଲାନ୍ସ (ବୋଲେରୋ, ଡବ୍ଲ୍ୟୁ.ବି -୩୩-ସି-୬୦୬୮)ରେ କଟକ ବାହାରି ଥିଲେ। ଆଜି ଭୋର ପ୍ରାୟ ୬ ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ବଇଁଚୁଆ ଠାରେ ଘନ କୁହୁଡି ଯୋଗୁଁ ଆମ୍ବୁଲାନ୍ସ ଚାଳକ ଜାଣି ନପାରି ରାଜପଥ ଉପରେ ଛିଡା ହୋଇଥିବା ଓଡ଼ି-୦୧-କ୍ୟୁ- ୪୧୭୩ ନମ୍ବର ବିଶିଷ୍ଟ  କଣ୍ଟେନର ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସର ସମ୍ମୁଖ ପାର୍ଶ୍ଵ ଭାଙ୍ଗି କଣ୍ଟେନର ସହିତ ଚାପି ହୋଇଯାଇଥିଲା। ଡ୍ରାଇଭର ଗୁରୁତର ହୋଇ ପଡିଥିବା ବେଳେ ପାଖ ସିଟରେ ବସିଥିବା ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଟାଙ୍ଗୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ କିଛି ସମୟ ଭିତରେ ରାଜପଥ ଆମ୍ବୁଲାନ୍ସ, ୧୦୮ ଆମ୍ବୁଲାନ୍ସ ଓ ଅଗ୍ନି ନିରାପତ୍ତା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଆହତ ମାନଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଥିବା ବେଳେ ମୃତକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିଲା। ହେଲେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଗୁରୁତରଙ୍କର ମୃତ୍ୟୁ ହୋଇଥିଲା। ପ୍ରଥମ ମୃତକ ଜଣକ ହେଉଛନ୍ତି ସେକ୍ ଇକବାଲ୍  ହୁସେନ୍(୨୮)। ସେହିଭଳି ବଡ ମେଡିକାଲରେ ଆମ୍ବୁଲାନ୍ସ ଡ୍ରାଇଭର ସେକ୍ ତରିଫ ଅଲ୍ଲୀ (୨୬) ଓ ସେକ୍ ରମଜାନ୍ (୪୫) ପ୍ରାଣ ହରାଇଛନ୍ତି। ଆହତଙ୍କ ମଧ୍ୟରେ ଅଛନ୍ତି ହଲିମ୍ ବିବି(୪୦), ବେବି ବେଗମ୍ ( ୩୫) ଓ ତାଙ୍କ କୁନି ଝିଅ ମୁସ୍କାନ(୪)। କୁନି ଝିଅ ମୁସ୍କାନର ଦୁର୍ଘଟଣାରେ କିଛି କ୍ଷତ ହୋଇ ନଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର