ବଜ୍ରପାତରେ ୩ ମୃତ, ୫ ଗୁରୁତର

ବିଷମକଟକ/ଆନନ୍ଦପୁର : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଚାଞ୍ଚଡ଼ାଗୁଡ଼ା ପଞ୍ଚାୟତର କାଳିପୋଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ଗୋଟିଏ ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେହିଭଳି, କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ନାରଙ୍ଗପୁର ଗ୍ରାମରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଏହିଭଳି ଭାବେ ଦୁଇଟି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବିଷମକଟକର କାଳିପୋଙ୍ଗା ଗାଁର ବୁର୍ଷା ମିଣିଆକା (୬୫), ପତ୍ନୀ ରାମୀ ମିଣିଆକା (୬୦), ପୁଅ କାଶୀରାମ ମିଣିଆକା (୪୦) ଏବଂ ବୋହୂ ମାଳା ମିଣିଆକା (୩୦) ଆଜି ସକାଳେ ପୋଡ଼ୁଚାଷ ପାଇଁ ଜମି ସଫା କରିବାକୁ ନିକଟସ୍ଥ କେରାଣ୍ଡିଗୁଡ଼ା ଜଙ୍ଗଲକୁ ଯାଇଥିଲେ। ଲଟାବୁଦା ସଫା କରିବା ସମୟରେ ଅପରାହ୍ନ ପ୍ରାୟ ୩ଟାରେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଯାଇଥିଲା। ତେଣୁ ସମସ୍ତେ ଜଙ୍ଗଲରେ ଥିବା ଗୋଟିଏ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଆଶ୍ରୟ ନେଇଥିବା ତେନ୍ତୁଳି ଗଛ ନିକଟରେ ହିଁ ବଜ୍ରପାତ ହୋଇଥିଲା। ତେଣୁ ଘଟଣାସ୍ଥଳରେ ଚେତା ହରାଇ ସମସ୍ତ ୪ଜଣ ଯାକ ପଡ଼ି ଯାଇଥିଲେ। ଏହି ଖବର ପାଇ ଗ୍ରାମବାସୀ ଜଙ୍ଗଲରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ବୁର୍ଷା ଏବଂ ରାମୀଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର କାଶୀରାମ ଏବଂ ମାଳାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବାରୁ ପରବର୍ତ୍ତୀ ସମୟରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସେହିଭଳି, ଘସିପୁରାର ନାରଙ୍ଗପୁର ଗ୍ରାମ ମୃତକ ଜଣଙ୍କ ହେଲେ ସେହି ଗ୍ରାମର କାହ୍ନୁଚରଣ ସାହୁ (୫୮)। ଆଜି ପୂର୍ବାହ୍‌ଣ ସାଢ଼େ ୧୧ଟାବେଳେ କାହ୍ନୁଚରଣ ଅନ୍ୟମାନଙ୍କ ସହିତ ବିଲକୁ ଧାନତଳି ପକାଇବାକୁ ଯାଇଥିଲେ। ହଠାତ୍ ବର୍ଷା ଆସିବାରୁ ସମସ୍ତେ ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ କାହ୍ନୁଚରଣ ସେଠାରେ ଟଳି ପଡ଼ିଥିଲେ। ସେହିପରି ଗଛମୂଳେ ଥିବା ରମେଶ ସାହୁ (୪୫), ରଂଜନ ନାୟକ (୪୨) ଓ କାର୍ତ୍ତିକ ନାୟକ (୪୪) ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ କାହ୍ନୁଚରଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରମେଶଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର