ରାସ୍ତାପାର୍ଶ୍ବକୁ ପିକ୍‌ଅପ୍‌ ଓଲଟି ୩ ମୃତ, ୮ ଗୁରୁତର, କ୍ରସର୍‌କୁ ଯାଉଥିଲେ ୧୪ ଶ୍ରମିକ

ଗଞ୍ଜାମ : ଶ୍ରମିକଙ୍କୁ ନେଇ ଏକ କ୍ରସରକୁ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୩ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ବିରୁଳିଗଡ଼-ପୁରୁଷୋତ୍ତମପୁର ରାସ୍ତାର ଖଣ୍ଡଦେଉଳି ନିକଟ ପାଲଙ୍ଗ ଛକରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବସ୍ଥ ଏକ ଖାଲକୁ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ୩ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଡିଆଁଡେଇଁ ଗ୍ରାମର ଶରତ ନାହାକ, ସୁପ୍ରସନ୍ନ ନାହାକ ଓ ବିଟି ନୂଆଗାଁର କବିରାଜ ନାହାକ।

ସୂଚନା ଅନୁଯାୟୀ, ରମ୍ଭା ଥାନା ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତର ପ୍ରାୟ ୧୪ଜଣ ଶ୍ରମିକ ପୁରୁଷୋତ୍ତମପୁର ନିକଟ ଭାବନ୍ଧର ଏକ କ୍ରସରରେ କାମ କରିବା ଲାଗି ଆଜି ଭୋରରୁ ପିକ୍‌ଅପ୍‌ ଭ୍ୟାନ୍‌(ଓଡି-୦୭-ଜେ-୪୮୪୧)ରେ ଯାଉଥିଲେ। ଲକ୍‌ଡାଉନ୍‌ ଯୋଗୁଁ ଯାତାୟାତ ବନ୍ଦ ଥିବା ଯୋଗୁଁ ପିକ୍‌ଅପ୍‌ ଚାଳକ ଜାତୀୟ ରାଜପଥରେ ନ ଯାଇ ହୁମ୍ମା-ପୁରୋଷତ୍ତମପୁର ରାସ୍ତାରେ ଭୋର ଭୋରରୁ ଶ୍ରମିକଙ୍କୁ ନେଇ ଯାଉଥିଲା। ବିରୁଳିଗଡ଼-ପୁରୁଷୋତ୍ତମପୁର ରାସ୍ତାର ଖଣ୍ଡଦେଉଳି ପାଲଙ୍ଗ ଛକ ନିକଟରେ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ଡିଆଁଡେଇଁ ଗ୍ରାମର ଦେବାଶିଷ ନାହାକ, ପ୍ରଶାନ୍ତ ନାହାକ, ରୋହିତ ନାହାକ, ପ୍ରକାଶ ପ୍ରଧାନ, ଯୋଗେନ୍ଦ୍ର ନାହାକ ପ୍ରମୁଖ ଗୁରୁତର ଆହତ ହୋଇଥିଲେ। ରମ୍ଭା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ ଓ ହୁମ୍ମା ଫାଣ୍ଡି ଅଧିକାରୀ ରାମ ବେହେରା ପହଞ୍ଚି ଆହତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ମୃତକଙ୍କ ଶବ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଛେଦ ପରେ ତାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି। ଘଟଣାସ୍ଥଳରୁ ପିକ୍‌ଅପ୍‌ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

ପ୍ରକାଶଥାଉ କି, କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଦେଶ ଲକ୍‌ଡାଉନ୍‌ ହୋଇଛି। ଏଭଳି ସ୍ଥିତିରେ ସବୁକିଛି ଠପ୍‌ ହୋଇଯାଇଥିବା ବେଳେ ପୁରୁଷୋତ୍ତମପୁର ନିକଟସ୍ଥ ହିଞ୍ଜିଳି ବ୍ଲକ ଅର୍ନ୍ତଗତ ଭାବନ୍ଧ ଠାରେ ଉକ୍ତ କ୍ରସର କିଭିଳି ଶ୍ରମିକମାନେ ଯାଉଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ କ୍ରସରକୁ ଗଞ୍ଜାମ ବ୍ଲକ ଅର୍ନ୍ତଗତ ଗୌରାଙ୍ଗ ପାଟଣା, ଡିଆଁଡେଇଁ, ବିଟି ନୂଆଁଗାଁ, ଗୁବୁଡି, ବୁରୁଡ଼ି, ଆଦି ଅଞ୍ଚଳର ପ୍ରାୟ ସତୁରିରୁ ଊର୍ଦ୍ଧ୍ବ ଶ୍ରମିକ ଲକ୍‌ଡାଉନ୍‌ ସମୟରେ ଲୁକ୍କାୟିତ ଭାବେ କାମ କରିବାକୁ ଯାଉଥିବା କୁହାଯାଉଛି। ବିଜେପି ନେତା ପ୍ରଶାନ୍ତ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟିବା ସହ ସେମାନଙ୍କୁ ପାଞ୍ଚଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର