ରାସ୍ତାକଡ଼କୁ ଓଲଟିଲା କାର୍‌ : ଶାଶୂ, ଶ୍ବଶୁର ଓ ବୋହୂ ମୃତ, ଦୁଇ ଶିଶୁଙ୍କ ସମେତ ୩ ଗୁରୁତର

କାମାକ୍ଷାନଗର/ପଣ୍ଡୁଆ : ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ ତୁମୁସିଂହା ଥାନା ସୋଗର ଶାଳୁଆ ଛକ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ସେଥିରେ ଯାଉଥିବା ଗୋଟିଏ ପରିବାରର ଶାଶୂ, ଶ୍ବଶୁର ଓ ବୋହୂଙ୍କ ଜୀବନ ଦୀପ ଲିଭିଯାଇଛି। ଅନ୍ୟ ତିନିଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ବାଇଶମୌଜା ଡିହସାହିବିରି ଗାଁର ସମୀର ଜେନା(୪୫) ରାଉରକେଲା ଇସ୍ପାତ କାରଖାନରେ ଚାକିରି କରନ୍ତି। ସମୀରଙ୍କ ବାପା, ମାଆ ରାଉରକେଲାରେ ତାଙ୍କ ସହ ରହୁଥିଲେ। ତେବେ ସମୀରଙ୍କ ବାପାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗତକାଲି ରାତିରେ ସେ ଏକ ମାରୁତି କାର୍‌ (ଓଡି ୧୪ଏଫ୍‌-୪୭୮୮)ରେ ସପରିବାର କଟକ ଅଭିମୁଖେ ଯାଉଥିଲେ। ସମୀର ନିଜେ କାର୍‌ ଚଳାଉଥିଲେ। ରାତି ପ୍ରାୟ ୧ଟାବେଳେ ସୋଗର ଶାଳୁଆଛକଠାରୁ କିଛି ଦୂରରେ ଦ୍ରୁତ ଗତିରେ ଯାଉଥିବା କାର୍‌ ସମ୍ମୁଖକୁ

ଏକ ବାର୍‌ହା ଚାଲିଆସିବାରୁ ସମୀର ହଡ଼ବଡ଼େଇ ଯାଇ ଭାରସାମ୍ୟ ହରାଇଥିଲେ। ଫଳରେ କାର୍‌ଟି ପ୍ରାୟ ୪୦ ମିଟର ଦୂରକୁ ଯାଇ ଓଲଟି ପଡ଼ିଥିଲା। କାର୍‌ରେ ଥିବା ସମୀର, ତାଙ୍କ ବାପା ଉପେନ୍ଦ୍ରନାଥ ଜେନା(୭୫), ମାଆ ପ୍ରଫୁଲ୍ଲା ଜେନା(୭୦), ପତ୍ନୀ ପଙ୍କଜିନୀ ଜେନା(୩୭), ପୁଅ ପୁଷି ରଂଜନ ଜେନା(୭), ଝିଅ ପ୍ରୀତିରଂଜନ ଜେନା (୧୦)ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଉପେନ୍ଦ୍ର ଓ ପଙ୍କଜିନୀଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଫୁଲ୍ଲାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠି ଚିକିତ୍ସାଧୀନ ଅବସ୍ଥାରେ ପ୍ରଫୁଲ୍ଲାଙ୍କର ମୃତ୍ୟୁ ଘଟିଛି। ସମୀର ଓ ତାଙ୍କ ପୁଅ, ଝିଅ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପଣ୍ଡୁଆ ଫାଣ୍ଡି ଅଧିକାରୀ ରାମଚନ୍ଦ୍ର ମହାଳିକ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ବ୍ୟବସ୍ଥା କରିଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌ ଜବତ କରିବା ସହ ତଦନ୍ତ ଚଳାଇଥିବା ତୁମୁସିଂହା ଥାନାଧିକାରୀ ବିଷ୍ଣୁ ବାରିକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର