ତିନି ଦିନରେ କରୋନା ନେଲାଣି ୩ ଜୀବନ, ଏସ୍‌ସିବିରେ ଜଣେ ମହିଳା ପଜିଟିଭ୍

୫୦ ସୁସ୍ଥ, ୪୦ ଚିହ୍ନଟ

ଭୁବନେଶ୍ବର: ଗତ ୩ଦିନ ଧରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ହେବାରେ ଲାଗିଛି। ଆଜି ପୁଣି ଜଣେ ବୟସ୍କ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୦ଜଣ ସଂକ୍ରମିତଙ୍କୁ ଚିହ୍ନଟ ମଧ୍ୟ କରାଯାଇଛି। ଫଳରେ କରୋନା ରୋଗୀ ସଂଖ୍ୟା ୧୧୦୩ରେ ପହଞ୍ଚିଛି। ଅପରପକ୍ଷରେ ଆଜି ୫୦ଜଣ ସଂକ୍ରମିତ ସୁସ୍ଥ ହେବା ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୪୦୦ ନିକଟତର ହୋଇଛି।

ଆଜି ୧୧ଟି ଜିଲ୍ଲାରୁ ୪୦ଜଣ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ନୟାଗଡ଼ର ୧୧ଜଣ ସଂକ୍ରମିତଙ୍କ ମଧ୍ୟରୁ ସମସ୍ତ ସୁରତ ଫେରନ୍ତା ଥିବା ବେଳେ କଟକର ୯ଜଣ ତେଲେଙ୍ଗାନାରୁ ଫେରିଛନ୍ତି। ୧୧ ସୁରତ ଫେରନ୍ତା ନୟାଗଡ଼ରେ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜର ୩ଜଣ ଆନ୍ଧ୍ରରୁ ଫେରିଥିବା ବେଳେ ଗଞ୍ଜାମରୁ ଚିହ୍ନଟ ୪ଜଣଙ୍କ ମଧ୍ୟରୁ ୩ ସୁରତ ଓ ଜଣେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସେହିପରି ଯାଜପୁରର ୫ଜଣ ରୋଗୀ ତାମିଲନାଡ଼ୁରୁ ଫେରିଥିବା ବେଳେ ଜଗତସିଂହପୁରର ୨ଜଣ ମହାରାଷ୍ଟ୍ରରୁ ଫେରିଛନ୍ତି। ଅନୁଗୁଳର ୨ ସଂକ୍ରମିତ ତାମିଲନାଡ଼ୁ ଓ ଆନ୍ଧ୍ରରୁ ଫେରିଥିବା ବେଳେ ସମ୍ବଲପୁରର ୨ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ଓ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ମାଲକାନାଗିରିର ଜଣେ ତାମିଲନାଡ଼ୁରୁ ଫେରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୧୭, ଯାଜପୁରରେ ୧୭୯, ବାଲେଶ୍ବରରେ ୧୨୨, ଭଦ୍ରକରେ ୯୫, ଖୋର୍ଧାରେ ୭୧, କଟକ ଓ ପୁରୀରେ ୪୫, କେନ୍ଦ୍ରାପଡ଼ା ୪୦, ବୌଦ୍ଧ ୩୩, ଜଗତସିଂହପୁର ୩୦, ସୁନ୍ଦରଗଡ଼ ୨୭, ନୟାଗଡ଼ ୨୧, ଅନୁଗୁଳ ୧୯, ମୟୂରଭଞ୍ଜ ୧୪, କଳାହାଣ୍ଡିରେ ୧୩ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲା ଗୁଡ଼ିକରେ ୧୦ରୁ କମ୍ ରୋଗୀ ରହିଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରେ କରୋନାରେ ୮୫ବର୍ଷର ସୁରତ ଫେରନ୍ତା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କର ଉଚ୍ଚ ରକ୍ତଚାପ ସହିତ ଅନ୍ୟ ଜଟିଳ ରୋଗ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି।

ସେହିପରି ଆଜି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ୨୨ଜଣ, ବାଲେଶ୍ବରର ୧୫, ଭଦ୍ରକର ୫, ଯାଜପୁର ଓ ବୌଦ୍ଧରୁ ୩ଜଣ ଲେଖାଏ, ମୟୂରଭଞ୍ଜ ଓ ରାଉରକେଲାର ଜଣେ ଲେଖାଏ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୯୩ରେ ପହଞ୍ଚିଛି। ରାଜ୍ୟରେ ୭୦୩ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୯୩୬ଜଣ ପୃଥକବାସରେ ରହିଛନ୍ତି। ଗତକାଲି ମଧ୍ୟରାତ୍ର ସୁଦ୍ଧା ରାଜ୍ୟରେ ୧ଲକ୍ଷ ୮ହଜାର ୪୩୨ କୋଭିଡ ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର