ଦୁର୍ଘଟଣାରେ ଚାଲିଗଲା ୫ ଜୀବନ: ସ୍କୁଟି ଉପରେ ଚଢ଼ିଗଲା ଟ୍ରଲର୍‌, ୩ ମୃତ

ଟ୍ରକ୍‌ ଚକା ତଳେ ମା’-ପୁଅଙ୍କ ପ୍ରାଣ ଗଲା

କରଞ୍ଜିଆ ଗୋଲେଇ/ସିଙ୍ଗଡା: ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଟ୍ରଲର୍‌ ଚକା ତଳେ ୩ ଜଣଙ୍କର ଜୀବନଦୀପ ଲିଭିଯାଇଛି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ଭଣ୍ଡା ଗାଁର ଛୁଟୁନ ମୁଣ୍ଡା (୪୦), ସୁରସିଂ ମୁଣ୍ଡା (୬୦) ଓ ଖୁଣ୍ଟାପଡ଼ା ଗାଁର ଗୁରୁଚରଣ ମୁଣ୍ଡା (୩୦) ଆଜି ଅପରାହ୍ନରେ ଏକ ସ୍କୁଟି ଯୋଗେ କରଞ୍ଜିଆ ଯାଉଥିଲେ। ସୁରସିଂ ଅସୁସ୍ଥ ଥିବାରୁ ତାଙ୍କୁ ଛୁଟୁନ ଓ ଗୁରୁଚରଣ ଡାକ୍ତରଖାନାକୁ ନେଉଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।

ମଧ୍ୟାହ୍ନ ପ୍ରାୟ ୨ଟା ୩୦ ସମୟରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଫୁଲଗୁନ୍ଥା ଛକ ନିକଟ ଡାଇଭର୍ସନ୍‌ ରାସ୍ତାଠାରେ ସାମ୍‌ନା ପଟୁ ଏକ ଟ୍ରଲର୍‌ (ଜେଏଚ୍‌-୦୫-ଏଏ-୦୫୧୪) ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଗୁରୁଚରଣଙ୍କ ଉପରେ ଟ୍ରଲର୍‌ ଚକ ମାଡ଼ିଯାଇଥିବାବ‌େଳେ ଛୁଟୁନ ଓ ସୁରସିଂ ସ୍କୁଟି ସହ ଟ୍ରଲର ଭିତରେ ଚାପି ହୋଇ ଯାଇଥିଲେ। କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ସତ୍ୟବିକାଶ ଭୂୟାଁ ଓ ଶୁକୃଳି ଅଗ୍ନିଶମ ଅଧିକାରୀ ହେମନ୍ତ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଏକ ଜେସିବି ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରିବା ସହ କରଞ୍ଜିଆ ଡାକ୍ତରଖାନା ନେଇଥିଲେ। ତେବେ ବାଟରେ ଗୁରୁଚରଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଛୁଟୁନ ଓ ସୁରସିଂ ମଧ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି।

ସ୍ବାମୀ ଆଗରେ ଚାଲିଗଲେ, ପୁଅକୁ କାଖେଇଥିବା ଅବସ୍ଥାରେ ମୃତ୍ୟୁ
୨ ଘଣ୍ଟା ଧରି ଉତ୍ତ୍ୟକ୍ତ ‌ଲୋକଙ୍କ ରାସ୍ତା ଅବରୋଧ

ପଡ଼ିଆବାହାଲ/ସମ୍ବଲପୁର: ଆଉ ୪ ଦିନ ପରେ ଭାଇ ଜିଉଁନ୍ତିଆ। ଭାଇର ଶୁଭ ମନାସି ବ୍ରତ କିଣିବାକୁ ପୁଅକୁ ନେଇ ବଜାରକୁ ଯାଇଥିଲେ ଜଣେ ମହିଳା। ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା। ବ୍ରତ କିଣି ଫେରିବା ସମୟରେ ଟ୍ରକ୍‌ ଚାପାରେ ଚାଲିଗଲା ଉଭୟ ମା ଓ ପୁଅଙ୍କ ଜୀବନ। ପୁଅକୁ କାଖେଇ ଧରିଥିବା ଅବସ୍ଥାରେ ହିଁ ତାଙ୍କୁ ଚାପି ଦେଇଥିଲା ଟ୍ରକ୍‌ ପଛ ଚକା। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସଦର ଥାନା ପଡ଼ିଆବାହାଲ ଷ୍ଟେଟ୍‌ ବ୍ୟାଙ୍କ୍‌ ଛକରେ। ମୃତକ ଦ୍ବୟ ହେଲେ ସଦର ଥାନା ବଡ଼ତୁରଙ୍ଗ ଗ୍ରାମର ଗୋବିନ୍ଦ ‌ମେହେରଙ୍କ ପତ୍ନୀ ଆହ୍ଲାଦିନୀ(୩୪) ଓ ପୁଅ ପ୍ରିୟାଂଶୁ(୨)। ଏହି ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଦୀର୍ଘବର୍ଷ ଧରି ଅଧପନ୍ତରିଆ ହୋଇ ରହିଥିବା ରାସ୍ତାକାମ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ୨ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ବଡ଼ତୁରାଙ୍ଗ ଗ୍ରାମର ଗୋବିନ୍ଦ ମେହେର ପଡ଼ିଆବାହାଲ ଛକରେ ଟେଲର୍‌ ଦୋକାନ ଦେଇଛନ୍ତି। ଭାଇ ଜିଉଁନ୍ତିଆ ପାଇଁ ମଙ୍ଗଳବାର ସକାଳୁ ପତ୍ନୀ ଆହ୍ଲାଦିନୀ ପୁଅ ପ୍ରିୟାଂଶୁକୁ ନେଇ ପଡ଼ିଆବାହାଲ ବଜାରକୁ ଯାଇଥିଲେ। ବଜାରରୁ ବ୍ରତ କିଣିବା ପରେ ସେମାନେ ଚାଲିଚାଲି ଦୋକାନ ପାଖକୁ ଫେରୁଥିଲେ। ରାସ୍ତା ପାର୍‌ ହୋଇଥିଲେ ସେମାନେ ନିଜ ଟେଲର୍‌ ଦୋକାନରେ ପହଞ୍ଚିଥାନ୍ତେ। କିନ୍ତୁ ରାସ୍ତାରେ ସମ୍ବଲପୁର ପଟରୁ ଦେବଗଡ଼ ଅଭିମୁଖେ ଆସୁଥିବା ଏକ ଟ୍ରକ୍‌(ଏମ୍‌ଏଚ୍‌ ୪୬ ଏଆର୍‌ ୩୧୪୩)କୁ ଦେଖି ସେମାନେ ରାସ୍ତା କଡ଼ରେ ଅଟକି ଯାଇଥିଲେ। ଟ୍ରକ୍‌ ଯିବା ପରେ ରାସ୍ତା ପାର ହେବେ ବୋଲି ଭାବିଥିଲେ। କିନ୍ତୁ ଦୁର୍ଯ୍ୟୋଗକୁ ଏହି ସମୟରେ ଦ୍ରୁତ ବେଗରେ ପଶି ଆସିଥିଲା ଏକ ବାଇକ୍‌। ଟ୍ରକ୍‌ଟିକୁ ବାମପଟୁ ଓଭରଟେକ୍‌ କରି ପଳାଇବା ବେଳକୁ ରାସ୍ତାକଡ଼ରେ ପୁଅକୁ କାଖେଇ ଛିଡ଼ା ହୋଇଥିବା ଆହ୍ଲାଦିନୀଙ୍କ ଶରୀରରେ ବାଇକ୍‌ଟି ଘସି ହୋଇ ଯାଇଥିଲା। ଫଳରେ ଆହ୍ଲାଦିନୀ ପୁଅକୁ ଧରିଥିବା ଅବସ୍ଥାରେ ହିଁ ତଳେ ପଡ଼ିଯାଇଥିଲେ ଓ ଠିକ୍‌ ଏହି ସମୟରେ ଟ୍ରକ୍‌ଟି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଟ୍ରକ୍‌ ଚାଳକ ବ୍ରେକ୍‌ ଲଗାଇଥିଲେ ହେଁ ଉଭୟେ ଟ୍ରକ୍‌ର ପଛ ଚକା ତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ହିଁ ଆହ୍ଲାଦିନୀ ଓ ତାଙ୍କ କାଖରେ ଥିବା ପ୍ରିୟାଂଶୁଙ୍କ ମୃତ୍ୟୁ ହୋଇଯାଇଥିଲା। ସେପଟେ ଦୋକାନରେ ବସିଥିବା ଗୋବିନ୍ଦ କିଛି ବୁଝିବା ଆଗରୁ ହିଁ ଉଜୁଡ଼ି ଯାଇଥିଲା ‌ତାଙ୍କ ସଂସାର। ଆଖି ଆଗରେ ସ୍ତ୍ରୀ ଓ ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା। ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ରୁ ଡ୍ରାଇଭରକୁ ଟାଣି ଆଣିବା ସହ ନିସ୍ତୁକ ମାଡ଼ ମାରିବା ପରେ ପୁଲିସ୍‌ର ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର