ବାଇକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍‌ସ, କୁନି ଝିଅ ସହ ବାପାମା’ ମୃତ

ଧର୍ମଶାଳା : କଟକ-ବାଲେଶ୍ବର ୧୬ନମ୍ବର ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ଆଜି ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କୁନି ଝିଅ ସହ ବାପାମା’ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ କଟକ ବିଡ଼ାନାସୀ ଥାନା ଅନ୍ତର୍ଗତ ଗୋପାଳସାହିର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ହେଲେ, ଶଙ୍କର୍ଷଣ ସାହୁ(୪୨), ପତ୍ନୀ ମାମିନା ସାହୁ(୩୬) ଓ ଝିଅ ସମ୍ପୂର୍ଣ୍ଣା ସାହୁ(୭)।

ମିଳିଥିବା ସୂଚନା ଅନୁଯାୟୀ, ଶଙ୍କର୍ଷଣ ନିଜ ପତ୍ନୀ ଓ ଝିଅଙ୍କୁ ନେଇ କଟକରୁ ପାଣିକୋଇଲି ନିଜ ମୋଟରସାଇକଲ୍‌ (ଓଡି୦୫ଜେ ୧୧୮)ରେ ଆସୁଥିଲେ। ଭଦ୍ରକ ଅଗରପଡ଼ାରୁ ଜଣେ ବିଷ ଖାଇଥିବା ରୋଗୀଙ୍କୁ ନେଇ କଟକ ବଡ଼ଡାକ୍ତରଖାନାକୁ ଯାଉଥିବା ଆମ୍ବୁଲାନ୍ସ(ଓଡି ୨୨ଏନ୍ ୪୯୫୭)ର ସମ୍ମୁଖଭାଗ ବାମ ଚକା ଫାଟିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ତାଙ୍କ ମୋଟରସାଇକଲ୍‌କୁ ଜୋର୍‌ରେ ଧକ୍କା ଦେଇଥିଲା। ଆମ୍ବୁଲାନ୍ସ ମୋଟରସାଇକଲ୍‌କୁ ପାଖାପାଖି ୧୦୦ ଫୁଟରୁ ଅଧିକ ଘୋଷାରି ନେଇଥିଲା। ଫଳରେ, ୩ ଜଣଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସରେ ଯାଉଥିବା ରୋଗୀ ଏବଂ ସମ୍ପର୍କୀୟଙ୍କୁ ଛାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଦୁର୍ଘଟଣା ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିଷ ପିଇ ଗୁରୁତର ହୋଇଥିବା ରୋଗୀ ରଂଜୁଲତା ପାତ୍ର(୧୯)ଏବଂ ସମ୍ପର୍କୀୟଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ରଞ୍ଜୁଲତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଆମ୍ବୁଲାନ୍ସରେ ଥିବା ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜିର ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଶହଶହ ଲୋକ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଦୀର୍ଘ ସମୟ ଧରି ଗାଡ଼ିଚଳାଚଳ ବ୍ୟାହତ ହୋଇଥିଲା। ଖବର ପାଇ ଧର୍ମଶାଳା ପୁଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଶବ ଜବତ କରି ପୁଲିସ ବ୍ୟବ‌ଚ୍ଛେଦ ଡାକ୍ତରଖାନାକୁ ପଠାଇବା ସହିତ ଗାଡ଼ି ଚଳାଚଳକୁ ସ୍ବାଭାବିକ କରାଇଥିଲା।

ସୂଚନାଥାଉକି, ଦୀର୍ଘଦିନ ହେଲା ୧୬ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ରାଜପଥର ବିଭିନ୍ନ ସ୍ଥାନରେ ରୋଡ ଡାଇଭର୍ସନ କରାଯାଇଥିବାବେଳେ ସେଠାରେ କୌଣସି ଜଗୁଆଳି ରହୁନାହାନ୍ତି କି ଟ୍ରାଫିକ୍ ନୟମ ଅନୁଯାୟୀ କୌଣସି ସୂଚନା ଦିଆଯାଉନାହିଁ। ମରାମତି ନାମରେ ଦୀର୍ଘଦିନ ହେଲା ରାସ୍ତା ଅବରୋଧ ଫଳରେ ୱାନୱେ କରାଯାଇଛି। ୱାନୱେ ଫଳରେ ଭୟଙ୍କର ଟ୍ରାଫିକ ଜାମ୍ ‌ହେଉଥିବାବେଳେ ଡାଇଭର୍ସନ ସ୍ଥଳରେ ଦୁର୍ଘଟଣା ଘଟୁଛି। ଆଜିର ଏହି ଭୟଙ୍କର ଦୁର୍ଘଟଣା ସେହିପରି ୱାନୱେରେ ହୋଇଛି। ଭୟଙ୍କର ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ତିନିଟି ମୂଲ୍ୟବାନ ଜୀବନ ହାନି ଘଟିଛି।

ସମ୍ବନ୍ଧିତ ଖବର