ଧରାକୋଟ/ବ୍ରହ୍ମପୁର: ଗୁଣିଗାରେଡ଼ିକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଓ ବଡ଼ଗଡ଼ ଥାନା ଅଧୀନ ଖାରିପଲ୍ଲୀ ଗାଁ ଆଜି ରାତିରେ ରକ୍ତରଞ୍ଜିତ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଓ ହଣାକଟାରେ ବାପପୁଅ ସମେତ ୩ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଖଦାଳ ବେହେରା (୬୫) ଓ ତାଙ୍କ ପୁଅ ରତ୍ନାକର ବେହେରା (୩୫) ଏବଂ ଅନ୍ୟ ଗୋଷ୍ଠୀର ରମେଶ ବେହେରା (୪୫)। ୩ ଗୁରୁତର ଅରୁଣ ବେହେରା (୩୦), ଭିକାରି ବେହେରା (୧୮) ଓ ଜଗା ବେହେରା (୧୮)ଙ୍କୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାପ ପୁଅଙ୍କ ଶବ ରାତି ସୁଦ୍ଧା ଗାଁ ମଝିରେ ପଡ଼ିଥିବା ବେଳେ ପୁଲିସ ଜଗି ରହିଛି।
ଗୁଣିଗାରେଡ଼ିକୁ ନେଇ ଗତ ୫ ବର୍ଷ ହେଲା ଖାରିପଲ୍ଲୀ ଗ୍ରାମରେ ଅଶାନ୍ତି ଲାଗି ରହିଥିଲା। ଖଦାଳ ବେହେରା ଓ ବନବାସ ବେହେରା ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମବାସୀ ସବୁବେଳେ ସନ୍ଦେହ କରୁଥିଲେ। ଏଣୁ କିଛିବର୍ଷ ତଳେ ସେମାନଙ୍କୁ ଗ୍ରାମବାସୀ ଗାଁରୁ ବାହାର କରିଦେଇଥିଲେ। ତଥାପି ଗାଁର ଦୁଇ ଗୋଷ୍ଠୀ ଭିତରେ ବିବାଦ ଥମୁ ନଥିଲା। ଉଭୟ ପକ୍ଷର ଦୁଇଟି ବାଇକ୍ ଓ ସାଇକଲ୍ ପୋଡ଼ି ପରେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ଏଥିରେ ହସ୍ତକ୍ଷେପ କରି ଖଦାଳ ଓ ବନବାସଙ୍କ ପରିବାରକୁ ପ୍ରାୟ ଏକ ମାସ ଧରି ସୁରକ୍ଷା ଦେଇଥିଲା। ଧୀରେ ଧୀରେ ପରିସ୍ଥିତି ସୁଧୁରିବା ପରେ ଗାଁରୁ ଚଳିତମାସରେ ପୁଲିସବାହିନୀ ପ୍ରତ୍ୟାହୃତ ହୋଇଥିଲା। ତଥାପି ଖଦାଳ ଓ ବନବାସଙ୍କ ପରିବାର ଗାଁରେ ଭିନ୍ନେ ହୋଇ ଚଳୁଥିଲେ। କିଛି ଦିନ ହେଲା ପୁଣିଥରେ ଖଦାଳ ନିଜ ଘରକୁ ଫେରିଥିଲେ।
ଖଦାଳ ପୁନର୍ବାର ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ଗାଁରୁ ତଡ଼ିବା ପାଇଁ ଯୋଜନା କରିଥିଲେ। ପୁଲିସ କ୍ୟାମ୍ପ୍ ଗାଁରୁ ହଟିବା ପରେ ପରେ ଭିତରେ ଭିତରେ କୁହୁଳୁଥିବା ପ୍ରତିଶୋଧର ପରିଣତି ସ୍ବରୂପ ଆଜି ଏତେବଡ଼ ଘଟଣା ଘଟିଗଲା।
୩ ମୃତକଙ୍କ ମଧ୍ୟରେ ଅଛନ୍ତି ବାପପୁଅ, ୩ ଗୁରୁତର
ପୁଲିସ କ୍ୟାମ୍ପ୍ ଉଠିଲା ପରେ ରକ୍ତପାତ
ଆଜି ସନ୍ଧ୍ୟାରେ ଗାଁ ପୋଖରୀ ନିକଟରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପରେ ଏହା ହିଂସାର ରୂପ ଧାରଣ କରିଥିଲା। ସାଢ଼େ ୭ଟା ବେଳେ ଗ୍ରାମବାସୀ ଏକଜୁଟ୍ ହୋଇ ଖଦାଳଙ୍କ ଘରକୁ ଯାଇଥିଲେ। ଘର ବାହାରେ ପ୍ରବଳ ପାଟିତୁଣ୍ଡ କରିବା ସହିତ ଗାଁ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ଖଦାଳ ଓ ପୁଅ ରତ୍ନାକର ଏହାର ପ୍ରତିବାଦ କରିଥିଲେ। ଏହାପରେ ଗ୍ରାମବାସୀ ବାପପୁଅକୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ରତ୍ନାକର ମଧ୍ୟ ଖଣ୍ଡା ଧରି ସେମାନଙ୍କୁ ପାଲଟା ଆକ୍ରମଣ କରିଥିଲେ। ଗ୍ରାମବାସୀ ପଥରରେ ଛେଚି ଉଭୟ ବାପପୁଅଙ୍କୁ ହତ୍ୟା କରିଥିଲେ। ସେପଟେ ରତ୍ନାକରଙ୍କ ଖଣ୍ଡା ଚୋଟରେ ରମେଶ ଗୁରୁତର ହୋଇଥିବା ବେଳେ ଧରାକୋଟ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଖବର ମିଳିବା ସୁଦ୍ଧା ଖାରିପଲ୍ଲୀ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଆସିକା ଏସ୍ଡିପିଓ ସନ୍ତୋଷ କୁମାର ଜେନା, ବଡ଼ଗଡ଼ ଥାନାଧିକାରୀ ସନ୍ତୋଷ କୁମାର ବେହେରା, ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ଶିଅଳ, ଧରାକୋଟ ଥାନାଧିକାରୀ ଚନ୍ଦ୍ରିକା ସ୍ୱାଇଁ, ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ପ୍ରମୁଖ ପହଞ୍ଚିଛନ୍ତି। ତଦନ୍ତ ଜାରି ରହିଥିବା ବେଳେ ପୁଲିସ ୫ରୁ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଗ୍ରାମରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।