ପଟାଙ୍ଗୀ/କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କରଞ୍ଜଗୁଡା ନିକଟରେ ଚୁନମାଟି ଖୋଳିବା ବେଳେ ପାହାଡ଼ ଧସିଯିବାରୁ ୨ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଆଘାତ ମଧ୍ୟ ଲାଗିଛି। ସେମାନଙ୍କୁ ପୁକାଲିରେ ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଘଟଣ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ପଟାଙ୍ଗୀ ବ୍ଲକ ଚନ୍ଦକା ପଞ୍ଚାୟତ ଅନ୍ତର୍ଗତ ଦଳପତିଗୁଡାର ପାଖାପାଖି ୧୦ ଜଣ ମହିଳା ଗୋଟିଏ ଅଟୋରେ ପୁକାଲି ନିକଟସ୍ଥ କରଞ୍ଜଗୁଡା ପାହାଡ଼କୁ ଚୁନମାଟି ଆଣିବା ପାଇଁ ଯାଇଥିଲେ। ଆଜି ମଧ୍ୟାହ୍ନରେ ସେମାନେ ଚୁନମାଟି ଖୋଳୁଥିବା ବେଳେ ହଠାତ୍ ସେମାନଙ୍କ ଉପରେ ପାହାଡ଼ ଧସି ପଡ଼ିଥିଲା।
/sambad/media/post_attachments/wp-content/uploads/2019/05/patangi-mati-300x142.jpg)
ଆଉ ପାହାଡ଼ରୁ ଧସିଥିବା ବଡ଼ ବଡ଼ ଅତଡ଼ା ତଳେ ୫ଜଣ ଚାପି ହୋଇ ଯାଇଥିଲେ। ଅନ୍ୟମାନେ ଜୀବନକୁ ବାଜି ଲଗାଇ ସେମାନଙ୍କୁ ଅତଡ଼ା ତଳୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଅତଡ଼ା ତଳେ ଶ୍ବାସରୁଦ୍ଧ ହୋଇ ଚମ୍ପା ପେଲେସି (୧୮), ଜୟନ୍ତୀ ପେଡେକାପୁ (୨୬) ଓ ମୁନା ନାୟକ (୩୫)ଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଦୁଇ ଜଣ ପାଲେସି ଦାନୟା (୩୫) ଓ ପାଲେସି ଧନମତି (୧୭) ଗୁରୁତର ଆହତ ହୋଇଥିଲେ। ମୃତ ଓ ଆହତଙ୍କ ମଧ୍ୟରୁ ମୁନାଙ୍କୁ ଛାଡ଼ି ଆଉ ସମସ୍ତେ ଦଳପତିଗୁଡାର ଗ୍ରାମର। ମୁନା ଜଣେ ଅଟୋ ଡ୍ରାଇଭର ହୋଇଥିଲା ବେଳେ ତାଙ୍କ ଘର ନିକଟସ୍ଥ ବେନେଙ୍ଗଗୁଡା ଗ୍ରାମରେ। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ ପୁକାଲି ଗ୍ରାମରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କୁ କୁନ୍ଦୁଲି ଓ କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ଦେହର ଏକାଧିକ ସ୍ଥାନରେ ଆଘାତ ଲାଗିଥିଲା ବେଳେ ହାତ ଗୋଡ଼ ମଧ୍ୟ ଭାଙ୍ଗି ଯାଇଛି। ସେମାନଙ୍କୁ ସ୍ବତନ୍ତ୍ର ଚିକିତ୍ସା କରାଯାଉଛି ଏବଂ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିଛି। ଏପଟେ ପଟାଙ୍ଗୀ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଆଣି ବ୍ୟବଚ୍ଛେଦ କରାଇଛି। ଏହାପରେ ମୃତଦେହଗୁଡ଼ିକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛି ପ୍ରଶାସନ। ଏକା ସାଙ୍ଗରେ ୩ ଜଣଙ୍କ ମୃତ୍ୟୁ ହେବା ପରେ ଦଳପତିଗୁଡାରେ ଶୋକର ଛାୟା ଖେଳି ଯାଇଛି। କାନ୍ଦ ବୋବାଳିରେ ଗାଁ ଫାଟି ପଡୁଛି। ଏପଟେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ପକ୍ଷରୁ ବହନ କରାଯିବ ବୋଲି ଜଣାପଡିଛି। ପଟାଙ୍ଗୀ ତହସିଲଦାର ଅରୁଣ କୁମାର ଖଣ୍ଡା କହିଛନ୍ତି ଯେ, ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ବୁଝିବ। ସେମାନଙ୍କୁ ଆଉ କ’ଣ ସହାୟତା ଦିଆଯାଇପାରିବ ତାହା ବିଚାର କରାଯାଉଛି ବୋଲି ସେ କହିଛନ୍ତି। ଏପଟେ ପଟାଙ୍ଗୀ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ପାହାଡ଼ରୁ ଅତଡ଼ା ଖସିଲା ଓ କେମିତି ଲୋକଙ୍କ ମୃତ୍ୟୁ ହେଲା ତାହାର ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/patangi-mati1.jpg)