ବଜ୍ରପାତ ଆଣିଲା ଅଘଟଣ : ସ୍ବାମୀ-ସ୍ତ୍ରୀଙ୍କ ସମେତ ୩ ମୃତ, ୨୩ ଗୋରୁଙ୍କ ଜୀବନ ଗଲା

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ରେ ଆଜି ବଜ୍ରପାତରେ ଦମ୍ପତିଙ୍କ ସମେତ ୩ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ହରିଚନ୍ଦନପୁର ବ୍ଲକ୍‌ ସୁନାପେଣ୍ଠ ପଞ୍ଚାୟତ ବଡ଼ଶିଆଡ଼ିମାଳ ଗ୍ରାମର ଚୈତନ୍ୟ ମହାନ୍ତ(୪୦), ତାଙ୍କ ସ୍ତ୍ରୀ ମୀନା ମହାନ୍ତ(୩୫) ଏବଂ ଠାକୁରପଡ଼ା ଗ୍ରାମର ରବୀନ୍ଦ୍ର ମହାନ୍ତଙ୍କ ପତ୍ନୀ ଜୟନ୍ତୀ ମହାନ୍ତ (୩୮)।

ଆଜି ଅପରାହ୍‌ଣରେ ବଡ଼ଶିଆଡ଼ିମାଳ ଗ୍ରାମର ଚୈତନ୍ୟ ମହାନ୍ତ ଓ ତାଙ୍କ ସ୍ତ୍ରୀ ମୀନା ମହାନ୍ତ ବିଲରେ କାମ କରୁଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ଦମକଳ ବାହିନୀ ଉଭୟଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ଠାକୁରପଡ଼ାର ଜୟନ୍ତୀ ମହାନ୍ତ ମଧ୍ୟ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଟଳି ପଡ଼ିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ହରିଚନ୍ଦନପୁର ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସେହିପରି କମଳାଙ୍ଗି ଗ୍ରାମର ରଘୁନାଥ ମହାନ୍ତଙ୍କ ପତ୍ନୀ ଲାବଣ୍ୟବତୀ ମହାନ୍ତ(୩୨) ବଜ୍ରପାତରେ ଗୁରୁତର ହୋଇଛନ୍ତି। ସେ ମଧ୍ୟ ବିଲରେ କାମ କରୁଥିଲା ବେଳେ ବଜ୍ରପାତ ହୋଇଥିଲା। ତାଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।

୨୩ ଗୋରୁଙ୍କ ଜୀବନ ଗଲା

ପାଳଲହଡା : ହଠାତ୍‌ ମେଘ ଘୋଟିଗଲା, ବିଜୁଳି ଆସିଲା। ତା’ପରେ ବଜ୍ରପାତ। ଏହି ବଜ୍ରପାତରେ ୨୩ଟି ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଆଜି ଦିନ ସାଢେ ୧୨ଟା ବେଳେ ପାଳଲହଡ଼ା ବ୍ଲକ୍ ନଗିରା ପଞ୍ଚାୟତର ବାଲିବାହାଳ ଗାଁ’ରେ ଏହି ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ମେଘ, ଘଡ଼ଘଡ଼ି ସମୟରେ ଏହି ୨୩ଟି ଗୋରୁ ଗୋଟିଏ ଗଛମୂଳେ ଠୁଳ ହୋଇ ରହିଥିଲେ। ହଠାତ୍‌ ବଜ୍ରପାତ ହେବାରୁ ଏହି ଗୋରୁପଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଖବର ପାଇ ପାଳଲହଡ଼ା ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନ ସଙ୍ଗେ ସଙ୍ଗେ ତଦନ୍ତ ପାଇଁ ପାଳଲହଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଓ କନ୍ତଳା ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାଣୀ ଚିକିତ୍ସକ ଓ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହି ଅଞ୍ଚଳ ପାଉଡ଼ି ଭୂୟାଁ ସଂସ୍ଥା ଅଧୀନ ହୋଇଥିବାରୁ ଶବ ବ୍ୟବଚ୍ଛେଦ ପରେ ଗାଇଡ ଲାଇନ ଅନୁଯାୟୀ ଗରିବ ତଥା ଆଦିବାସୀ ହିତାଧିକାରୀଙ୍କୁ ପ୍ରତି ଗୋରୁ ପିଛା ୩୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର