ସୁନ୍ଦରଗଡ଼/ବାଲିଶଙ୍କରା : ହକି ମ୍ୟାଚ୍ ଚାଲିଥିବା ବେଳେ ବଜ୍ରପାତ ଘଟି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଅନ୍ତର୍ଗତ ତଳସରା ସାଗବାହାଲ ଗ୍ରାମରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଆଜି ଅପରାହ୍ନ ୪ଟା ସମୟରେ ସାଗବାହାଲ ଗ୍ରାମରେ ହକି ମ୍ୟାଚ୍ ଚାଲିଥଲା। ପଡ଼ିଆରେ ଖେଳ ଦେଖିବାକୁ ବହୁ ଲୋକ ଉପସ୍ଥିତ ଥିଲେ। ଖେଳାଳି ଓ ଆୟୋଜକମାନେ ଖେଳ ତଦାରଖ କରୁଥିଲେ। ବର୍ଷା ହେବାରୁ ଆୟୋଜକମାନେ ପଡ଼ିଆ ପାର୍ଶ୍ୱରେ ଥିବା ଏକ ଗଛ ତଳେ ଠିଆ ହୋଇଥିଲେ। ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୫ ଜଣ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ସେମାନଙ୍କୁତୁରନ୍ତ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ମ୍ୟାଚ୍ ଆୟୋଜନ କମିଟିର ସଦସ୍ୟ ଶଙ୍କରାବାହାଲ ଗ୍ରାମର ଦୁଇ ଭାଇ ସୁମନ୍ତ ଗଉଡ଼(୨୯), ସୁଶାନ୍ତ ଗଉଡ଼(୨୦) ଏବଂ ସାଗବାହାଲ ଗ୍ରାମର ରବିନାରାୟଣ ତନ୍ତୀ(୨୫)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଗୁରୁତର ଜହରୁ ତନ୍ତୀ ଓ ମହେଶ୍ୱର ତନ୍ତୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Lightning-dreams.jpg)