ବଜ୍ରପାତରେ ୩ ମୃତ, ଜଣେ ଗୁରୁତର

ଶ୍ୟାମାଖୁଣ୍ଟା/ବେତନଟୀ/ବୈଶିଙ୍ଗା : ବଜ୍ରପାତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ସୋମବାର ଦିନ ୩ ଜଣଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବାବେଳେ ଜଣେ ୧୮ ବର୍ଷର ଯୁବତୀ ଅଛନ୍ତି।

ସୋମବାର ଅପରାହ୍ନରେ ଶ୍ୟାମାଖୁଣ୍ଟା ବ୍ଲକ ବାହାଦୁରପୁର ଗ୍ରାମର ମାଳତୀ ମହାନ୍ତ (୫୫) ଓ ପାଣ୍ଡୁରା ଗ୍ରାମର ପାର୍ବତୀ ସିଂ (୩୯) ଛେଳି ଚରାଇବା ପାଇଁ ପାଖ ପଡ଼ିଆକୁ ଯାଇଥିଲେ। ଏହିସମୟ‌ରେ ବର୍ଷା ସହ ଘନଘନ ବଜ୍ରପାତ ହୋଇଥିଲା। ଯାହାର ଶିକାର ହୋଇଥିଲେ ମାଳତୀ ଓ ପାର୍ବତୀ। ଉଭୟଙ୍କୁ ନି‌ସ୍ତେଜ୍ ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ବାରିପଦା ପିଆର‌ଏମ୍ ମେଡିକାଲ କଲେଜ ହାସ୍‌ପାତାଳକୁ ନେଇଥିଲେ। ହେଲେ, ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଶ୍ୟାମାଖୁଣ୍ଟା ରାଜସ୍ୱ ନିରୀକ୍ଷକ ମୃତକଙ୍କ ପରିବାରକୁ ଭେଟିବା ସହ ଅନୁକମ୍ପା ରାଶି ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ବାରିପଦା ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି।

ସେହିପରି ବେତନଟୀ ବ୍ଲକ୍‌ ବୈଶିଙ୍ଗା ଅଞ୍ଚଳରେ ଜଣେ ୧୮ ବ‌ର୍ଷୀୟା ଯୁବତୀ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସେ ହେଲେ, ଡେମ୍ଫୌଦା ଗାଁର ଜଟିଆ ସିଂଙ୍କ ଝିଅ ରଞ୍ଜିତା ସିଂ। ମାଆ ପାର ସିଂଙ୍କ ସହିତ ରଞ୍ଜିତା ଓ ସେହି ଗ୍ରାମର ଝାମ୍ପମଣି ସିଂ, କନ ସିଂ ଅପରାହ୍ନରେ ବିଲରୁ କାମ ସାରି ଘରକୁ ଫେରୁଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ। ଏଥିରେ ୪ ଜଣ ଯାକ ଆହତ ହୋଇଥିବାବେଳେ ରଞ୍ଜିତା ଓ କନ ସିଂଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ରଞ୍ଜିତାଙ୍କୁ ବୈଶିଙ୍ଗା ଡାକ୍ତରଖାନା ଓ କନଙ୍କୁ ବେତନଟୀ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ରଞ୍ଜିତାଙ୍କୁ ମୃତ ଘୋଷଣା କରିଥିଲେ। କନ ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏ ନେଇ ବୈଶିଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର