ଅଜଣା ଟ୍ରକ୍‌ ଧକ୍କାରେ ମାରୁତି ଭ୍ୟାନ୍ ଚୂରମାର, ମହିଳା ସମେତ ୩ ମୃତ

ଲହୁଣିପଡ଼ା : ଶନିବାର ବିଳମ୍ବିତ ରାତିରେ ଏକ ମାରୁତି ଓମନି ଭ୍ୟାନ୍‌ରେ ଜଣେ ଅସୁସ୍ଥ ଯୁବକଙ୍କୁ ଡାକ୍ତରଖାନା ନେବା ବାଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଏଥିରେ ଭ୍ୟାନ୍‌ ଚାଳକ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଲହୁଣିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍‌ ୨୧୫ ନଂ ଜାତୀୟରାଜପଥର ସୁଖାବନ୍ଧ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ଗୋଟିଏ ପରିବ‌ାରର ଓ ଲମ୍‌ସି ଗାଁର ବୋଲି ଚିହ୍ନଟ ହୋଇଛି।

ଲମ୍‌ସିର ଜ‌େଣ ଯୁବକ ବିଶ୍ବଜିତ ପାତ୍ର ବିଷ ପିଇ ଗୁରୁତର ହେବାରୁ ଘର ଲୋକେ ତାଙ୍କୁ ଏକ ମାରୁତି ଓମ୍‌ନି ଭ୍ୟାନ୍‌ ଭଡ଼ା କରି ଲହୁଣିପଡ଼ା ଡାକ୍ତରଖାନାକୁ ଆଣୁଥିଲେ। ବାଟରେ ସୁଖାବନ୍ଧ ନିକଟରେ ଏକ ଅଜଣା ଟ୍ରକ୍‌ ସେମାନଙ୍କ ଭ୍ୟ‌ାନ୍‌କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଏଥିରେ ମାରୁତି ଭ୍ୟାନ୍‌ଟି ଚୂରମାର ହୋଇଯିବା ସହ ଭ୍ୟାନ୍‌ରେ ଥିବା ଅସୁସ୍ଥ ବିଶ୍ବଜିତ୍ ପାତ୍ରଙ୍କ ପରିବାରର ହେମଲତା ପାତ୍ର(୫୦), କମଲ ପାତ୍ର(୨୫) ଓ ନରୋତ୍ତମ ପାତ୍ର(୧୨)ଙ୍କର ମୃତ୍ୟୁ ‌ହୋଇଥିଲା। ଖବର ପାଇ ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଚାଳକ ମ‌ନୋଜ ମାହାନ୍ତ(୨୦) ଓ ବିଶ୍ବଜିତ ପାତ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇବା ସହ ୩ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର