ପିକ୍‌ନିକ୍‌ ନେଲା ୩ ଜୀବନ: କୋଏଲ ନଦୀରେ ବୁଡ଼ି ୨ ଛାତ୍ର ମୃତ, ଜଣେ ନିଖୋଜ

ବ୍ରାହ୍ମଣୀରେ ବୁଡ଼ି ଯୁବକ ମୃତ

ରାଉରକେଲା: କାଳ ହେଲା ପିକ୍‌ନିକ୍‌। କୋଏଲନଦୀା ଝିରପାଣି ଜାମସେରା ଘାଟ ଏବଂ ବ୍ରାହ୍ମଣୀ ନଦୀର ବିରତୋଳା ଘାଟରେ ପୃଥକ ପୃଥକ ଦୁଇଟି ଅଘଟଣ ଘଟିଛି। ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ କୋଏଲ ନଦୀରେ ବୁଡ଼ି ଦୁଇ ଜଣ ସ୍କୁଲ ଛାତ୍ରଙ୍କର ମୃତ୍ୟୁ ‌ହୋଇଛି। ସେମାନେ ହେଲେ ସେକ୍ଟର-୧୮ର ଭୂ‌ବେଶ ପ୍ରସାଦ (୧୬) ଓ ଛେଣ୍ଡ କଲୋନିର ସୁଜନ ଶର୍ମା (୧୬)। ସେକ୍ଟର-୫ର କୌଶିକ ମଲ୍ଲିକ ନ‌‌ାମକ ସେମାନଙ୍କର ଆଉ ଜଣେ ଛାତ୍ର ନିଖୋଜ ହୋଇଯାଇଛି। ଏହି ତିନି ଜଣ ଯାକ ରାଉରକେଲା ସେକ୍ଟର-୫ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି। ଅନୁରୂପ ଭାବେ ପିକ୍‌ନିକ୍ କରିବାକୁ ଯାଇ ବ୍ରାହ୍ମଣୀ ନଦୀ‌ରେ ବୁଡି ଜଣେ ଯୁବକ ମଧ୍ୟ ପ୍ରାଣ ହରାଇଛନ୍ତି। ମୃତ ଯୁବକ ହେଲେ ଲହୁଣୀପଡା କୋଡପଟା ଗାଁର ମାନସ ରଞ୍ଜନ ମହନ୍ତ (୨୭)।

ମିଳିଥିବା ସୂଚନା ମୁତାବକ ଆଜି ରବିବାର ଛୁଟି ଦିନ ଥିବାରୁ ସକାଳ ପ୍ରାୟ ୧୦ଟାରେ ସେକ୍ଟର-୫ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ୯ ଜଣ ଛାତ୍ର ପିକ୍‌ନିକ୍‌ କରିବାକୁ ଘରୁ ବାହାରିଥିଲେ। କରୋନା କଟକଣାରେ ବଣଭୋଜି ବାରଣ ଥିବାରୁ ଛାତ୍ରମାନେ ନିଜ ନିଜ ଘରେ ମିଛ କହିଥିଲେ। ଜଣେ ସାଙ୍ଗଙ୍କ ଘରେ ଭୋଜି କରୁଛୁ କହି ଘରୁ ବାହାରି ଆସି ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ। ତାପରେ ମୋଟର ବାଇକ୍‌ ଓ ସ୍କୁଟି ଯୋଗେ କୋଏଲ ନଦୀ ଜାମସେରା ଘାଟକୁ ପିକ୍‌ନିକ୍‌ କରିବାକୁ ବାହାରି ଯାଇଥିଲେ। ନଦୀଘାଟରେ ସମସ୍ତେ ଗାଡ଼ି ରଖି ଅପରାହ୍ନ ପ୍ରାୟ ଅଢ଼େଇଟାରେ କୋଏଲ ନଦୀ‌ରେ ପଶି ଗାଧୋଇବା ସହ ପ୍ଲାଷ୍ଟିକ୍‌ ବୋତଲ ପିଙ୍ଗାଫିଙ୍ଗି କରି ‌ଖେଳୁଥିଲେ। ଜଣେ ପ୍ଲାଷ୍ଟିକ ବୋତଲକୁ ନଦୀ ଭିତରେ ଟିକିଏ ଦୂରକୁ ଫିଙ୍ଗି ଦେଇଥିଲେ। ଆଉ ବୋତଲକୁ ଆଣିବାକୁ ଯାଇ ଜଣେ ପରେ ଜଣେ ୪ ଜଣ ସାଙ୍ଗ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ୪ ସାଙ୍ଗ ବୁଡ଼ି ଯାଉଥିବା ଦେଖି ଅନ୍ୟମାନେ ଚିତ୍କାର କରିଥିଲେ। ଜାମସେରା ଗାଁର ସୁରେନ୍ଦ୍ର କଚ୍ଛପ ନାମକ ଜଣେ ଯୁବକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ। ହେଲେ ୪ ଜଣଙ୍କ ମଧ୍ୟରୁ ସେ ମାତ୍ର ଜଣଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଅନ୍ୟ ତିନି ସାଙ୍ଗ ପାଣିରେ ବୁଡି ନି‌‌ଖୋଜ ହୋଇଯାଇଥିଲେ।

ଗାଁର ଅନ୍ୟ ଦୁଇଜଣ ଯୁବକ ତୁଷାର ନାଗ ଓ ରାଜେଶ ଓରାମ ମଧ୍ୟ ନିଖୋଜ ତିନି ଛାତ୍ରଙ୍କୁ ବହୁ ‌ଖୋଜାଖୋଜି କରିଥିଲେଳ ମଧ୍ୟ ନ ପାଇବାରୁ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୪୦ ମିନିଟ୍‌ ଖୋଜା‌ଖୋଜି କରିବା ପରେ ପ୍ରଥମେ ଭୂବେଶଙ୍କର ମୃତ‌ଦେହ ଉଦ୍ଧାର କରା ଯାଇଥିଲା। ତାର ପ୍ରାୟ ୪୫ ମିନିଟ୍‌ ପରେ ସୁଜନଙ୍କର ମୃତଦେହ ମିଳିଥିଲା। ସଂଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ହେଁ କୌଶିକଙ୍କୁ ଠାବ କରିବା ସମ୍ଭବ ହୋଇ ନଥିଲା। ଅନ୍ଧାର ହୋଇଯିବାରୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର