ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ

ବୀରମହାରାଜପୁର : ଟ୍ରାକ୍ଟର ଓଲଟି ୨ ମୃତ

ସୋର : ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ନାୟକବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି। ରାସ୍ତାରେ ଛିଡ଼ା ହୋଇଥିବା ଦୁଇଟି ଗାଡ଼ିକୁ ଅନ୍ୟ ଏକ ଦ୍ରୁତଗାମୀ ଟ୍ରଲର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କର ବାଲେଶ୍ବର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ଶଙ୍କର୍ଷଣ ମଣ୍ତଳଙ୍କ ଘର ବାଲେଶ୍ବର ମେରାଇନ୍ ଥାନା ଅନ୍ତର୍ଗତ ବାହାବଳପୁର ଓ ଅନ୍ୟ ଡ୍ରାଇଭର ମନମୋହନ ସିଂଙ୍କ ଘର ଭଦ୍ରକ ଆରଡ଼ି ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେହିପରି ମୃତ ହେଲ୍‌ପର ଠାକୁର ସିଂଙ୍କ ଘର ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ବଡ଼ଫେରା ଗ୍ରାମରେ ବୋଲି ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଓଡି୦୧ୟୁ-୧୫୨୧ ଓ ଓଡି୧୧କ୍ୟୁ-୬୯୨୭ ଟ୍ରକ୍‌ ଦୁଇଟି ରାଜଗାଙ୍ଗପୁର କାରଖାନାରୁ ସିମେଣ୍ଟ ନେଇ ବାଲେଶ୍ବର ଯାଉଥିବା ବେଳେ ନାୟକବନ୍ଧ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକିଥିଲେ। ଗାଡ଼ି ଦୁଇଟିର ଡ୍ରାଇଭର ଓ ହେଲ୍‌ପର ତଳେ ଛିଡ଼ା ହୋଇ ଗାଡ଼ି ମରାମତି କରୁଥିବାବେଳେ ଏହି ସମୟରେ ବାଲେଶ୍ବର ଆଡ଼ୁ ଆସୁଥିବା ୟୁପି୧୨ବିଟି-୦୯୨୩ ଟ୍ରଲର୍‌ ଡାଇଭର୍ସନ୍‌ ରୋଡ୍‌ରେ ଆସି ଗାଡ଼ି ଦୁଇଟିକୁ ଧକ୍କା ଦେଇଥିଲା। ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ସୋର ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ଗାଡ଼ିକୁ ରାସ୍ତାରୁ ହଟାଇ ଯାନବାହନ ଚଳାଚଳ ସ୍ବାଭାବିକ କରିଥିଲେ।

ଟ୍ରାକ୍ଟର ଓଲଟି ୨ ମୃତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ମୁର୍ଷୁଣ୍ଢୀ ପଞ୍ଚାୟତ ମାଣିକପୁର ଗ୍ରାମରେ ଟ୍ରାକ୍ଟର ଓଲଟି ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତ ୨ ଜଣ ଗ୍ରାମର ଶେଖର ଭୋଇ (୧୯) ଓ ସଞ୍ଜିବ ଭରାସାଗର (୨୭) ବୋଲି ସୂଚନା ମିଳିଛି। ଦୁର୍ଘଟଣାରୁ ଶତ୍ରୁଘ୍ନ ବେହେରା (୧୬) ବର୍ତ୍ତିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସୋମବାର ଅପରାହ୍ଣରେ ଏହି ୩ ଜଣ ଟ୍ରାକ୍ଟରରେ ରୋଟାଭେଟର ଲଗାଇ ଜମିକୁ ଚାଷ କରିବାକୁ ଯାଉଥିଲା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଟ୍ରାକ୍ଟର ତଳେ ଚାପି ହୋଇଯିବାରୁ ୨ ଜଣଙ୍କ ମୃ୍ତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର