୫୫ ନମ୍ବର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା : ୨ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ୩ ମୃତ

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ କୋରିହାଁ ଅଞ୍ଚଳରେ ଆଜି ସକାଳେ ଏକ ଟ୍ରକ୍ ୨ଟି ବାଇକ୍‌କୁ ଧକ୍କା ଦେବାରୁ ୩ ଜଣ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଟ୍ରକ୍‌ ଚାଳକ ପ୍ରଥମେ ଏକ ବାଇକ୍‌କୁ ଧକ୍କା ଦେଇ ଦ୍ରୁତ ବେଗରେ ଖସି ପଳାଉଥିବାବେଳେ ମାତ୍ର ଅଧ କିଲୋମିଟର ଦୂରରେ ଦ୍ବିତୀୟ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ଚାରିଜଣ ଗୁରୁତର ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଓଡ଼ାପଡ଼ା ବ୍ଲକ ସିମିନଇ ଗ୍ରାମର ସୁମିତ୍ରା ସାହୁ (୨୫), ଭୁବନ ବ୍ଲକ୍ ସୁରପ୍ରତାପପୁର ଗ୍ରାମର ରତିକାନ୍ତ ସ୍ୱାଇଁ (୨୯) ଏବଂ ଯମୁନାକୋଟ ଗ୍ରାମର ଅନିଲ୍ ବାରିକ ୨୬)।

ସୂଚନା ଅନୁଯାୟୀ, ସଦର ଥାନା ସିମିନଇ ଗ୍ରାମର ପ୍ରଦୀପ ସାହୁ(୩୦) ଆଜି ସକାଳେ ଅସୁସ୍ଥ ପତ୍ନୀ ସୁମିତ୍ରା(୨୫)ଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇ ଉଭୟେ ବାଇକ୍‌ରେ ସକାଳ ପ୍ରାୟ ସାଢେ ୧୦ ଟାରେ ଘରକୁ ଫେରୁଥିଲେ। ଏହି ସମୟରେ ଅନୁଗୁଳ ଆଡ଼େ ଦ୍ରୁତଗତିରେ ଯାଉଥିବା ଏକ ଲୁହାଗୁଣ୍ଡ ବୋଝେଇ ୧୨ଚକିଆ ଟ୍ରକ୍ (ଓଡି୦୫ଏଡି୩୭୫୩) ୫୫ ନମ୍ବର ରାଜପଥର କୋରିହାଁ ଛକ ହମ୍ପସ୍‌ରେ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ବାଇକ୍ ଚାଳକ ପ୍ରଦୀପ ଦୂରକୁ ଛିଟିକି ପଡିଥିବା ବେଳେ ପଛରେ ବସିଥିବା ପତ୍ନୀ ସୁମିତ୍ରା ସେଠାରେ ଖସିପଡିବାରୁ ଟ୍ରକ୍‌ଟି ତାଙ୍କ ଉପରେ ଚଢିଯାଇଥିଲା। ଦୁର୍ଘଟଣାରେ ପ୍ରଦୀପ ସାମାନ୍ୟ ଆହତ ହୋଇଥିବା ବେଳେ ସୁମିତ୍ରା ଗୁରୁତର ହୋଇଥିଲେ। ସୁମିତ୍ରାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ସେଠାରୁ ଦ୍ରୁତ ଗତିରେ ପଳାଇଯାଉଥିବା ବେଳେ ପ୍ରାୟ ଅଧ କି.ମି. ଦୂର ଉତ୍କଳ ଆଜବେଷ୍ଟସ୍ ସମ୍ମୁଖରେ ଅନ୍ୟ ଏକ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଦୁଇ ବାଇକ୍‌ ଆରୋହୀ ଭୁବନ ବ୍ଲକ୍ ସୁରପ୍ରତାପପୁର ଗ୍ରାମର ରତିକାନ୍ତ ସ୍ୱାଇଁ ଓ ଯମୁନାକୋଟ ଗ୍ରାମର ଅନିଲ୍ ବାରିକ ତଳେ ପଡ଼ିଯିବାରୁ ଟ୍ରକଟି ତାଙ୍କ ଉପରେ ଚଢିଯାଇଥିଲା। ଏଥିରେ ରତିକାନ୍ତଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ଅନୀଲଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଦୁଇଟି ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଚାଳକ ସେଠାରେ ଟ୍ରକ୍‌କୁ ଛାଡ଼ି ଫେରାର୍ ହୋଇଯାଇଥିଲା। ଉଭୟ ଦୁର୍ଘଟଣା ରାସ୍ତା ମଝିରେ ହୋଇଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ବହୁସଂଖ୍ୟାରେ ଗାଡି ଅଟକି ରହିଥିଲା।

ଖବର ପାଇ ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଟାଉନ୍ ଥାନା ଅଧିକାରୀ ଜ୍ଞାନରଂଜନ ସାମଲ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ଦିନ ୧୨ ଟାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ଏ ସଂପର୍କରେ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ ଜବତ କରିବା ସହ ଫେରାର ଚାଳକକୁ ଧରିବା ଲାଗି ଖୋଜୁଥିବା ଥାନା ଅଧିକାରୀ ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର