ସ୍କୁଟିକୁ ଚାପିଦେଲା ଟ୍ରକ୍, ମା’-ଝିଅ ଓ ଝିଆରି ମୃତ
ପର୍ଜଙ୍ଗ : ପର୍ଜଙ୍ଗ ଥାନା ସରାଙ୍ଗ େପେଟ୍ରାଲ୍ ପମ୍ପ ନିକଟରେ ଆଜି ସଂଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ୧୪୯ନମ୍ବର ଜାତୀୟ ରାଜପଥରେ ସ୍କୁଟି ଯୋଗେ ବନ୍ଧୁ ଘରକୁ ଯାଉଥିବା ବେଳେ ଏକ ଟ୍ରକ୍ ପଛ ପଟୁ ଧକ୍କା ଦେବାରୁ ତାଳଚେର କାକୁଡ଼ିଆ ଗାଁର ମା’, ଝିଅ ଓ ଝିଆରିଙ୍କ ଜୀବନ ଅକାଳରେ ଝଡ଼ି ପଡ଼ିଛି। ଘଟଣାକୁ ନେଇ ରାଜରାସ୍ତାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଶବ ରଖି ରାସ୍ତାରୋକ ଆରମ୍ଭ କରିଛନ୍ତି। ଦୁର୍ଘଟଣାରେ ଜୀବନ ହରାଇଥିବା ଏହି ତିନି ଜଣ ହେଉଛନ୍ତି କାକୁଡ଼ିଆ ଗାଁର ଅଙ୍ଗନବାଡ଼ି କର୍ମୀ ନମିତା ଦେବତା(୪୪), ତାଙ୍କ ୨୦ବର୍ଷର ଝିଅ କଲ୍ୟାଣୀ ଦେବତା ଏବଂ ୮ବର୍ଷର ଝିଆରି ରାଜଶ୍ରୀ ଦେବତା।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, କଲ୍ୟାଣୀ ସ୍କୁଟି (ଓଡି୧୯ଜି-୪୮୪୮) ଚଳାଉଥିବା ବେଳେ ହଠାତ୍ ଆଗରୁ ଓ ପଛରୁ ଦୁଇଟି ଟ୍ରକ୍ ରାସ୍ତାରେ ମାଡ଼ି ଆସିଥିଲା। ସାମ୍ନା ଟ୍ରକ୍କୁ ସାଇଡ଼୍ ଦେବାକୁ ଯାଇ ପଛରୁ ଆସୁଥିବା ଟ୍ରକ୍(ଓଆର୍୦୯ଜେ-୫୮୧୧) କଲ୍ୟାଣୀଙ୍କ ସ୍କୁଟିକୁ ଧକା ଦେଇ ପ୍ରାୟ ୨୦/୩୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଝିଅ କଲ୍ୟାଣୀ ଏବଂ ୮ବର୍ଷର ଝିଆରୀ ରାଜଶ୍ରୀଙ୍କୁ ଚାପି ଦେଇଥିଲା ଟ୍ରକ୍। ଝିଟ୍କି ହୋଇ ପଡ଼ିଥିଲେ ନମିତା। ଘଟଣାସ୍ଥଳରେ କଲ୍ୟାଣୀ ଆଖି ବୁଜିଥିଲେ। ରାଜଶ୍ରୀ ଏବଂ ନମିତା ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ରାଜଶ୍ରୀ ଏବଂ ନମିତାଙ୍କୁ ନିଆଯାଇଥିଲା। ସେଠାରେ ରାଜଶ୍ରୀ ମଧ୍ୟ ଆଖି ବୁଜିଥିଲେ। ମଣ୍ଡାପାଳରୁ ନମିତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଅଣାଯାଇଥିଲା। ଶେଷରେ ଅନୁଗୁଳରେ ମଧ୍ୟ ନମିତା ଆଖି ବୁଜିଛନ୍ତି।