ଟ୍ରକ୍‌ ଚକ ତଳେ ଗଲା ୩ ଜୀବନ

କୁତ୍ରା : ରାସ୍ତା କଡ଼ରେ ଫଳରସ (ଜୁସ୍‌) ବିକି ପରିବାର ପୋଷିବା ଲକ୍ଷ୍ୟରେ ସୁଦୂର ଉତ୍ତରପ୍ରଦେଶରୁ ଛୁଟି ଆସିଥିଲେ କୁତ୍ରାକୁ। ରାସ୍ତା କଡ଼ରେ ଖୋଲିଥିଲେ ଅସ୍ଥାୟୀ ଦୋକାନ। ଦୀର୍ଘ ୫ ବର୍ଷ ଧରି ସେହି ଦୋକାନରେ ମୁଣ୍ଡ ଗୁଞ୍ଜିଥିଲେ ଦୁଇ ଭାଇ। ସବୁ ଦିନ ପରି କାଲି ରାତି ଦୋକାନ ବନ୍ଦ କରି ଦୁଇ ଭାଇ ଓ ସେମାନଙ୍କ ସହାୟକ ଅସ୍ଥାୟୀ ଦୋକାନରେ ମୁଣ୍ଡ ଗୁଞ୍ଜିଥିଲେ । ମଧ୍ୟରାତ୍ରି ପ୍ରାୟ ସାଢ଼େ ଗୋଟାଏ ବେଳେ ଦ୍ରୁତଗାମୀ ଟ୍ରକ୍‌ ଦୋକାନ ଉପରେ ମାଡ଼ିଯାଇଥିଲା। ଚକ ତଳେ ପେଷିି ହୋଇଯାଇଥିଲା ୩ଟି ସଂଘର୍ଷରତ ଜୀବନ। ଦୁଇ ଭାଇଙ୍କ ବାପା ଅନ୍ୟତ୍ର ଆଶ୍ରୟ ନେଇଥିବାରୁ ବର୍ତ୍ତିଯାଇଛନ୍ତି ସତ, ମାତ୍ର ଦୁଇ ଭେଣ୍ଡା ପୁଅଙ୍କୁ ହରାଇ ସେ ପ୍ରଳାପ କରୁଛନ୍ତି। ଏଭଳି ହୃଦୟ ବିଦାରକ ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଛି।

ଉତ୍ତର ପ୍ରଦେଶର ମହାଲାସୁଲପୁର ଗ୍ରାମର ଭରତଲାଲ୍‌ ସୋନକର ଦୁଇ ପୁଅ ଜିଲେଦାର (୨୬) ଓ ଉଦଲ୍‌ (୨୦)ଙ୍କୁ ଧରି ୫ ବର୍ଷ ପୂର୍ବେ ଆସିଥିଲେ। କ୍ରମଶଃ ରୋଜଗାର ବଢ଼ିବାରୁ ରାସ୍ତା କଡ଼ରେ ଅସ୍ଥାୟୀ ଦୋକାନ କରି ଜୁସ୍‌ ବିକିବା ଆରମ୍ଭ କରିଥିଲେ। ଦିନରେ ବେପାର, ରାତିରେ ସେହି ଦୋକନରେ ଆଶ୍ରୟ। ଏମିତି କଟୁଥିଲା ବାପ-ପୁଅଙ୍କ ଜୀବନ। କାଲି ରାତି ଦୁଇ ଭାଇ ଓ ସହଯୋଗୀ ବ୍ରଜେଶ ଦୋକାନରେ ଶୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା କୋଲ୍‌ଡ ଡ୍ରିଙ୍କ୍‌ସ ବୋଝେଇ ଟ୍ରକ୍‌ (ଓଡି୧୪ଡି ୩୮୦୯) ଦୋକାନ ଘର ଭିତରକୁ ମାଡ଼ି ଯାଇଥିଲା। ଟ୍ରକ୍‌ଟି ସିଧା ଉଦଲ ସୋନକରଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଜିଲେଦାର ଓ ବ୍ରଜେଶଙ୍କ ଗୋଡ଼ରୁ ଅଣ୍ଟା ପର୍ଯ୍ୟନ୍ତ ଟ୍ରକ୍‌ ଚକ ତଳେ ଚିପି ହୋଇଯିବାରୁ ଉଭୟ ଗୁରୁତର ଆହତ ହୋଇଥିଲେ। ବଜାରରେ ପାଟ୍ରୋଲିଂ କରୁଥିବା କୁତ୍ରା ପୁଲିସ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ (ଆଇଜିଏଚ୍‌)କୁ ପଠାଇଥିଲେ।

ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲ୍‌ କଲେଜ ହସ୍ପିଟାଲକୁ ପଠାଯାଇଥିଲା। ତେବେ ରାସ୍ତାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଟ୍ରକ୍‌ ମାଡ଼ିଯିବାରୁ କୁତ୍ରା ବଜାରରେ ଆଉ ୬ଟି ଦୋକାନ ଭାଙ୍ଗି ଚୁର୍‌ମାର ହୋଇଛି। ପୁଲିସ ଟ୍ରକ୍‌ ଚାଳକ ବରୁଣ କୁମାର ନାଏକଙ୍କୁ ଅଟକ ରଖି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର