ରାତି ଅଧରେ ଘର ଉପରେ ମାଡ଼ିଗଲା ଟିପର : ମା’, ବାପା ଓ ଝିଅ ମୃତ, ବର୍ତିଲା ପୁଅ

କୋରାପୁଟ : ମଧ୍ୟରାତିରେ ମାଡ଼ିଆସିଲା ମୃତ୍ୟୁ ଦୂତ। ଘର ଭାଙ୍ଗି ଭିତିରେ ପଶିଗଲା ବାଲି ବୋଝେଇ ଟିପର। ଆଉ ଚାପି ହୋଇଗଲେ ଗୋଟିଏ ପରିବାରର ୩ ସଦସ୍ୟ। ଶୁକ୍ରବାର ବିଳମ୍ବିତ ରାତିରେ ଦାମନଯୋଡ଼ି ନିକଟ ଭେଜାପୁଟ ଗ୍ରାମ‌େର ଘଟିଛି ଏମିତି ମର୍ମନ୍ତୁଦ ଅଘଟଣ। ବାଲି ବୋଝେଇ ଟିପର ପଶି ଯିବାରୁ ଘର ଭିତରେ ଶୋଇଥିବା ଆନନ୍ଦ ଖୋସ୍ଲା (୪୦), ତାଙ୍କ ପତ୍ନୀ ପଦ୍ମା(୩୫) ଓ ୯ ବର୍ଷର ଝିଅ ଜ୍ୟୋତ୍ସ୍ନାଙ୍କ ମୃତ୍ୟୁ ହୋଇଥିଲା ବେଳେ ସୌଭାଗ୍ୟବଶତଃ ତାଙ୍କ ପୁଅ ଅବିନାଶ ବଞ୍ଚି ଯାଇଛନ୍ତି। ଏହି ଘଟଣାକୁ ନେଇ ଆଜି ଦିନତମାମ ଦାମନଯୋଡ଼ିରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ମିଳିବା ପରେ ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଶୁକ୍ରବାର ରାତି ପ୍ରାୟ ସାଢ଼େ ୨ଟା ସମୟରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରୁ ଦାମନଯୋଡ଼ିକୁ ବାଲି ନେଇ ଯାଉଥିବା ଟିପର(ଓଡି-୧୦-ଏ ୭୩୭୭)ଟି ଭେଜାପୁଟ ପୁରୁଣା ପେଟ୍ରୋଲ୍ ପମ୍ପ
ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଘର ଉପରେ ଚଢ଼ିଯାଇ ଓଲଟି ପଡ଼ିଥିଲା। ଫଳରେ ଘରର ପ୍ରଥମ ବଖରାରେ ଶୋଇଥିବା ମା’, ବାପା ଓ ଝିଅଙ୍କ ଉପରେ କାନ୍ଥ ଓ ବାଲି ଚାପି ହୋଇ ଯାଇଥିଲା। ତେଣୁ ସେମାନେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଅନ୍ୟ ଏକ ବଖରାରେ ଶୋଇଥିବା ଆନନ୍ଦଙ୍କ ୧୪ବର୍ଷର ପୁଅ ଅଭିନାଶ ଅଳ୍ପକେ ବର୍ତି ଯାଇଥିଲେ। ଅଧ ରାତିରେ ଦୁର୍ଘଟଣାର ପ୍ରଚଣ୍ଡ ଶଦ୍ଦ ଶୁଣି ପଡ଼ୋଶୀମାନଙ୍କ ନିଦ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ସଂପର୍କରେ ଜାଣିବା ପରେ ସେମାନେ ଆନନ୍ଦ, ପଦ୍ମା ଓ ଜ୍ୟୋତ୍ସ୍ନାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଆନନ୍ଦଙ୍କ ନିଜ ଘର କୋରାପୁଟ ବ୍ଲକ୍‌ ମସ୍ତିପୁଟ ଗ୍ରାମରେ ହୋଇଥିବା ବେଳେ ସେ ନାଲକୋର ଏକ ଠିକା ସଂସ୍ଥାରେ ଠିକ‌ା ଶ୍ରମିକ ଭାବେ କାମ କରୁଥିଲେ। ଦୀର୍ଘ ଦିନ ହେଲା ସେ ଭେଜାପୁଟରେ ଏହି ଘର ନିର୍ମାଣ କରି ରହି ଆସୁଥିଲେ। ଦୁର୍ଘଟଣା ପରେ ଟିପର ଡ୍ରାଇଭର ଫେରାର୍ ହୋଇ ଯାଇଥିଲା। ଆଜି ସକାଳେ ପୁଲିସ ପହଂଚିବ‌ା ପରେ ଘଟଣାସ୍ଥ‌ଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣକୁ ନେଇ ସ୍ଥାନୀୟ ଲୋକେ ଦାମନଯୋଡ଼ି-ସେମିଳିଗୁଡ଼ା ମୁଖ୍ୟ ରାସ୍ତାର ଭେଜାପୁଟ ପୁରୁଣା ପେଟ୍ରୋଲ୍ ପମ୍ପ ନିକଟରେ ରାସ୍ତା ଅବରୋଧ କରିଥିଲେ। ମୃତ ଆନନ୍ଦଙ୍କ ପୁଅ ଅବିନାଶକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ସହ ଘର ପ୍ରଦାନ, ଅବିନାଶର ପଢ଼ା ଖର୍ଚ ପ୍ରଶାସନ ବହନ କରିବା, ପାଠପଢ଼ା ପରେ ଅବିନାଶକୁ ଚାକିରି ଦେବା ଦାବି କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଗ୍ରାମବାସୀ ଦାବି ପୂରଣ ପାଇଁ ରାସ୍ତାରୋକ କରିଥିଲା ବେଳେ ଟିପର ମାଲିକ ରହୁଥିବା ନାଲକୋ କ୍ୱାର୍ଟର୍ସ ସେକ୍ଟର-୨ବି/ ୨୧୦ ସମୁଖରେ ଶବ ରଖି ଆନ୍ଦୋଳନ କରିଥିଲେ। ଏହାକୁ ନେଇ ଦାମନଯୋଡ଼ି ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ପୁଲିସ କିଛି କରି ପାରି ନ ଥିଲା। ପଟ୍ଟାଙ୍ଗି ବିଧାୟକ ପୀତମ ପାଢି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ୍, କୋରାପୁଟ ବିଡିଓ ନରେନ୍ଦ୍ର ନାୟକ, ସୁନାବେଡ଼ା ଏସ୍‌ଡିପିଓ ନିରଂଜନ ବେହେରା, ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ, ସେମିଲିଗୁଡ଼ା ଥାନା ଅଧିକାରୀ ସମ୍ବିତ ବେହେରା, ସୁନାବେଡ଼ା ଥାନା ଅଧିକାରୀ ସୁମିତ୍ରା ଜେନା, ମସ୍ତିପୁଟ ପଂଚାୟତର ସମିତି ସଭ୍ୟ ବାବୁଲା ବେନ୍ୟା ପ୍ରମୁଖ ଘଟଣାସ୍ଥଳରେ ରହି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ବହୁ ସମୟ ଆଲୋଚନା କରିବା ପରେ ସମାଧାନର ବାଟ ଫିଟିଥିଲା। ଗ୍ରାମବାସୀ, ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରାଯାଇ ମୃତକଙ୍କ ଉତ୍ତରାଧିକାରୀ ଅବିନାଶକୁ ଟିପର ମାଲିକଙ୍କ ପକ୍ଷରୁ ୩ ଲକ୍ଷ ୨୫ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ସହ ଘର ମରାମତି, ଜିଲ୍ଲା ପ୍ରଶାସନ ତରଫରୁ ରେଡକ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ ୬ ହଜାର ଟଙ୍କା ସହାୟତା ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆଇନ୍ ଅନୁଯାୟୀ ସହାୟତା ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା। ଆଜି ସନ୍ଧ୍ୟାରେ ‌କୋରାପୁଟ ଏସଏଲଏନ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବା ପରେ ସେମାନଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର