ରେଳଧାରଣାରେ ଗଲା ୩ ଜୀବନ

ସୋର/ତିହିଡ଼ି: ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନ୍‌ ଏବଂ ଭଦ୍ରକର ତିହିଡ଼ିଠାରେ ରେଳଧାରଣାରେ ୩ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ଦୁର୍ଭାଗ୍ୟଜନକ ଭାବେ କଟି ଯାଇଥିବାବେଳେ ଅନ୍ୟ ଜଣେ ବୃଦ୍ଧା ପାରିବାରିକ କଳହରୁ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁସାରେ, ସୋର ରେଳ ଷ୍ଟେସନ୍‌ ଦକ୍ଷିଣ ପାର୍ଶ୍ୱ କ୍ୟାବିନ୍ ନିକଟରେ ଆଜି ଭୋର୍‌ରେ ଜଣେ ମହିଳା ଟ୍ରେନ୍‌ରେ କଟି ଯାଇଥିଲେ। ସ୍ଥାନୀୟ ରେଳ ଲାଇନ୍ ନିକଟରେ ରହୁଥିବା କିଛି ଲୋକ ଶୌଚ ହେବାକୁ ଦକ୍ଷିଣ କ୍ୟାବିନ୍ ନିକଟକୁ ଆସିଥିଲେ। ସେଠାରେ ଜଣେ ମହିଳାଙ୍କର କ୍ଷତବିକ୍ଷତ ଶରୀର ରେଳଧାରଣା କଡ଼ରେ ପଡ଼ିଥିବା ଦେଖି ଷ୍ଟେସନ୍‌ ମ୍ୟାନେଜରଙ୍କୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ବାଲେଶ୍ୱର ପୁଲିସ ପହଞ୍ଚିବା ସହ ଶବ ଜବତ କରିଥିଲା। ସେହିପରି ଅପରାହ୍ନରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ଶବ ଦକ୍ଷିଣ କ୍ୟାବିନ୍‌ଠାରୁ କିଛି ଦୂର ରେଳଲାଇନ୍‌ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଉଭୟ ମୃତକଙ୍କର ଏଯାଏ କୌଣସି ପରିଚୟ ମିଳି ପାରିନଥିବା ବେଳେ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଅନ୍ୟପଟେ ଗୋଟିଏ ଦିନରେ ଟ୍ରେନ୍‌ ଲାଇନ୍‌ରେ ପାଖାପାଖି ଦୂରତାରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ଶବ ମିଳିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।ଅନ୍ୟପକ୍ଷରେ, ପାରିବାରିକ କଳହରୁ ମାନସିକ ଭାରସାମ୍ୟ ହରାଇ ତିହିଡି ଥାନା ବିଭୂତିପୁର ଗାଁର ନିରୋଦ ରାଉତ (୮୦) ନାମ୍ନୀ ଜନୈକା ବୃଦ୍ଧା ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର