ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ତିନିଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏହି ତିନିଜଣଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ରାଜ୍ୟରେ ୨୧ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏମାନଙ୍କ ଭତରୁ କଟକ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ। ଠିକ୍ ସେହିପରି ଭୁବନେଶ୍ୱରର ଜଣେ ୭୩ ବର୍ଷ ବୟସ୍କ ପୁରୁଷ, ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ। ଆରଜଣକ ଗଞ୍ଜାମ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ, ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ |
ଏହାଫଳରେ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାର ୫ଜଣ, କଟକ ଜିଲ୍ଲାର ୪ଜଣ ଓ ପୁରୀ ଓ ବରଗଡ଼ ଜିଲ୍ଲାର ଜଣେ ଲେଖାଏଁ କରୋନାରେ ମୃତ୍ୟୁମୁଖରେ ପଡ଼ିଛନ୍ତି।

ଏବେ ରାଜ୍ୟରେ ମୋଟ୍ ୪୬୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୦ ରହିଛି। ଅପରପକ୍ଷରେ ୨୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।