ବଲାଙ୍ଗୀରରେ ହିଟ୍ ଆଣ୍ଡ ରନ୍ ଘଟଣା: ଚିତ୍ତ ମହାନ୍ତି ଓ ତାଙ୍କର ୨ ସହଯୋଗୀ ଅଟକ

ବଲାଙ୍ଗୀର: ବଲାଙ୍ଗୀର ଆରଟିଓ ଛକ ନିକଟରେ ହିଟ୍ ଆଣ୍ଡ ରନ୍ ଘଟଣାରେ ସନ୍ଦେହ ଘେରକୁ ଆସିଥିବା ଚିତ୍ତ ମହାନ୍ତି ଓ ତାଙ୍କର ୨ ସହଯୋଗୀଙ୍କୁ ପୁଲିସ ଅଟକ ରଖିଥିବାର ସୂଚନା ମିଳିଛି। ଚିତ୍ତ ମହାନ୍ତି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଜାତୀୟ ରାଜପଥ ୨୬ର ବଲାଙ୍ଗୀର ଆର୍ଟିଓ ଛକରେ ଗତକାଲି ଦିନ ୧୨ଟା ସମୟରେ ହଠାତ୍ ଏକ ମିନିଟ୍ରକ୍ ବାଇକ୍କୁ ଧକ୍କା ଦେଇଥିଲା। ତାପରେ ବାଇକ ଯାଇ ରାସ୍ତାକଡ଼ ଇନୋଭାରେ ପଶିଯାଇଥିଲା। ବାଇକରେ ଥିବା ଦୁଇ ଜଣକଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ଜଣକ ଶ୍ରୀକାନ୍ତ ବାଗ ଓ ସେ ବରଗଡ଼ର ବୋଲି ଜଣାପଡ଼ିଛି। ଆଉ ଜଣେ ସାନୁ ନାୟକ ଗୁରୁତର ଆହତ ହୋଇ ରାସ୍ତାକଡ଼ରେ ପଡ଼ିଥିଲେ। ଘଟଣାର ପାଖାପାଖି ୧୫ରୁ ୨୦ ମିନିଟ ପରେ ଆମ୍ବୁଲାନ୍ସ ଆସି ସାନୁ ନାୟକଙ୍କୁ ଡାକ୍ତରଖାନା ନେଇଥିଲା। ଆରଟିଓ ଛକ ଅଞ୍ଚଳ ବାସିନ୍ଦା ସାନୁ ନାୟକଙ୍କ ଏକ ଜଳଖିଆ ଦୋକାନ ଅଛି ଏବଂ ଏହି ଦୋକାନରେ ଶ୍ରୀକାନ୍ତ କରୁଥିବା ଜଣାଯାଇଛି।

ଦୁର୍ଘଟଣା ସମୟରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ଗହମ ବୋଝେଇ ଟ୍ରକ୍ ରାସ୍ତା କଡ଼ ଗଛରେ ପିଟି ହୋଇଥିଲା। ପ୍ରାଥମିକ ସୂଚନାରୁ ଜଣାପଡିଥିଲା, ଏକ ଗାଈକୁ ବଞ୍ଚାଇବା ପାଇଁ ଭାରସାମ୍ୟ ହରାଇଥିଲା ମିନିଟ୍ରକ୍। କାରଣ ଧକ୍କାରେ ଗାଈ ବି ଗୁରୁତର ଆହତ ହୋଇଥିଲା। କିନ୍ତୁ ଘଟଣାର ଅଧଘଣ୍ଟା ପରେ ମିନିଟ୍ରକର ଡ୍ରାଇଭରକୁ ଖୋଜାଖୋଜି କଲା ପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ। ଏହି ଘଟଣାରେ ଜଣେ ନୁହେଁ, ଆଉ ଜଣେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଥିଲା। ଅନ୍ୟ ଆହତ ଯୁବକ ଜଣକ ଚିତ୍ତ ମହାନ୍ତି। ସେ ଡାକ୍ତରଖାନାରେ ଯାଇ ଭର୍ତ୍ତି ହୋଇସାରିଥିଲେ। ତାଙ୍କ ଗୋଡ଼ ଭାଙ୍ଗିଥିବା ଓ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଥିଲା। ଆହତ ଚିତ୍ତ ମହାନ୍ତିଙ୍କ ଘର ବି ସେଇ ଆରଟିଓ ଛକ ପାଖରେ।

ସମ୍ବନ୍ଧିତ ଖବର