ବିଦ୍ୟୁତ୍ ନେଲା ୩ ଜୀବନ : ସେଣ୍ଟ୍ରିଂ ଖୋଲିବା ବେଳେ ସାଉଥକୋ କର୍ମଚାରୀ, ମିସ୍ତ୍ରୀଙ୍କ ଜୀବନ ଗଲା, ପଙ୍ଖା ତାର ଲାଗି ଗୃହକର୍ତ୍ତାଙ୍କ ମୃତ୍ୟୁ
ବ୍ରହ୍ମପୁର/କୁକୁଡ଼ାଖଣ୍ଡି : ବ୍ରହ୍ମପୁର ସହରରେ ଆଜି ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଦୁଇଟି ପୃଥକ୍ ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଛି। ଗୋଟିଏ ଘଟଣାରେ ଘର ମାଲିକ ଓ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଏକ ଘଟଣାରେ ଗୃହକର୍ତ୍ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଳକାପୁରୀ ଷଷ୍ଠ ଲାଇନ୍ର ଏକ ନିର୍ମାଣାଧୀନ ଘର ଛାତ ସେଣ୍ଟ୍ରିଂ ଖୋଲିବାବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘର ମାଲିକ ଓ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଘର ମାଲିକ ହେଉଛନ୍ତି ଖଲ୍ଲିକୋଟ ଧୋବାସାହିର ଶରତ ଚନ୍ଦ୍ର ବେହେରା ଓ ମିସ୍ତ୍ରୀ ଜଣକ ହେଉଛନ୍ତି ସଦାନନ୍ଦ ବିହାରର ଅରୁଣ କୁମାର ସାବତ।
ମିଳିଥିବା ସୂଚନା ଅନୁସାରେ, ଶରତ ସାଉଥ୍କୋରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ସେ ଅଳକାପୁରୀରେ ଏକ ଘର ନିର୍ମାଣ କରୁଛନ୍ତି। ଘର ନିର୍ମାଣ କାର୍ଯ୍ୟରେ ମିସ୍ତ୍ରୀ ଅରୁଣ ନିୟୋଜିତ ଥିଲେ। ଆଜି ଅପରାହ୍ନରେ ଅରୁଣ କିଛି ଶ୍ରମିକଙ୍କ ସହ ମିଶି ଛାତର ସେଣ୍ଟ୍ରିଂ ଖୋଲୁଥିଲେ। ଛାତରେ ଲାଗି ରହିଥିବା କାଠକୁ ଅରୁଣ ଏକ ଶାବଳରେ ବାହାର କରୁଥିଲେ। ଏହି ସମୟରେ ନିର୍ମାଣାଧୀନ ଘର ନିକଟ ଦେଇ ଯାଇଥିବା ୧୧ କେଭି ତାର ଶାବଳ ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଅରୁଣ ତାରରେ ସେମିତି ଝୁଲି ରହିଯାଇଥିଲେ। ଅନ୍ୟ ଶ୍ରମିକ ମାନେ କାଠପଟାର ସାହାଯ୍ୟ ନେଇ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଂଗେ ସଂଗେ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ୧୧ କେଭି ତାର ଉପରେ ରହି ଯାଇଥିବା ଶାବଳକୁ ବାହାର କରିବା ପାଇଁ ଘର ମାଲିକ ଶରତ ଏକ ଝାଡୁ ଧରି ଛାତ ଉପରକୁ ଯାଇଥିଲେ। ସେ ଝାଡ଼ୁରେ ବିଦ୍ୟୁତ ତାର ଉପରୁ ଶାବଳକୁ ବାହାର କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଛିଟିକି ପଡ଼ିଥିଲେ। ତାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଖବରପାଇ ସାଉଥ୍କୋର ବହୁ କର୍ମଚାରୀ ବଡ଼ ମେଡିକାଲରେ ପହଞ୍ଚିଥିଲେ। ସମ୍ପର୍କୀୟଙ୍କ କାନ୍ଦବୋବାଳିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ସଦର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ସେହିପରି ଅନ୍ୟ ଏକ ଘଟଣାରେ ଘରେ ପଙ୍ଖା ତାର ଯୋଡ଼ିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଗଦଳପୁରର ଗୃହକର୍ତ୍ତା କାଳିଆ ସେଠୀଙ୍କ ମୃତ୍ୟୁ ଘଟିଛି।