ସୁରତରୁ ଘରକୁ ଫେରିଥିଲେ, ବଜ୍ରପାତରେ ପ୍ରାଣ ଗଲା

ଗଞ୍ଜାମରେ ବଜ୍ରପାତ ଯୋଗୁଁ ୩ ଜଣଙ୍କର ମୃତ୍ୟୁ

ବ୍ରହ୍ମପୁର: ଗୁଜୁରାଟରେ ଲକଡାଉନ ପାଇଁ ଚଳିବାରେ ଅସୁବିଧା ହେବାରୁ ନିଜ ଗାଁକୁ ଫେରିଆସିଥିଲେ ଯୁବକ | ନିଜ ପରିବାର ସହ ଯେନତେନ ଚଳିବାକୁ ଆଶା ବାନ୍ଧି ସୁଦୂର ସୁରତରୁ ଚାଲିଆସିଥିବା ଯୁବକଙ୍କର ବଜ୍ରପାତ ଜୀବନ ନେଇଯାଇଛି | ଗଞ୍ଜାମ ଜିଲ୍ଲାରେ ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି | ଗଞ୍ଜାମରେ କାଳବୈଶାଖୀ ଯୋଗୁଁ ହୋଇଥିବା ବଜ୍ରପାତ ୩ ଜଣଙ୍କର ଜୀବନ ନେଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି |

ଗଞ୍ଜାମର ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ପଂଚାୟତର ବାଘୁଆ ଡ଼େଙ୍ଗାବାଡି ଗାଁରେ ବଜ୍ରପାତ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି | ମୃତକ ଦୁଇ ଜଣ ହେଲେ ଏହି ଗାଁର ସନ୍ତୋଷ ଗୌଡ଼ ଓ ନୀଳାଞ୍ଚଳ ଅଲଟିଆ | ସେହିପରି ବଳରାମ ଗୌଡ଼ ଗୁରୁତର ଆହତ ହୋଇଛନ୍ତି |

DNA India

ତେବେ ସନ୍ତୋଷ ଗୌଡ଼ କିଛି ଦିନ ପୂର୍ବେ ସୁରତରୁ ଫେରିଥିଲେ ବୋଲି ଜଣାପଡିଛି | ସେ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ | ତାଙ୍କର ନମୁନା ନେଗେଟିଭ ଆସିବା ପରେ ଓ ୧୪ ଦିନର ଅବଧି ସରିବା ପରେ ନିଜ ଘରକୁ ଫେରିଥିଲେ | କିନ୍ତୁ ଆଜି ବଜ୍ରାଘାତରେ ତାଙ୍କର ପ୍ରାଣ ଯାଇଛି | ଅନ୍ୟପଟେ ଚିକିଟିର କୁମ୍ଭକାର ସାହିରେ ଭାସ୍କର ବେହେରାଙ୍କ ଝିଅ ନନ୍ଦିନୀ ବେହେରା (୧୭) ମଧ୍ୟ ବଜ୍ରପାତ ଆଘାତରେ ପ୍ରାଣ ହରାଇଛନ୍ତି | ଏହା ପୂର୍ବରୁ କୋରାପୁଟ, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ବାଲେଶ୍ବର, ସୋନପୁର, ବୌଦ୍ଧ ଓ ମାଲକାନଗିରିରେ ବିଜୁଳି ଘଡ଼ ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଥିଲା |

ସମ୍ବନ୍ଧିତ ଖବର