ଆରମ୍ଭରୁ ଜଗିଲାନି ବାଲେଶ୍ବର ପ୍ରଶାସନ, ଏବେ ତିନି ଜିଲ୍ଲାରେ ସ୍ଥିତି ଅସମ୍ଭାଳ

ନୀଳିଆବାଗ କଣ୍ଟେନମେଣ୍ଟ ଅଞ୍ଚଳ ବୁଲିଲେ ଡବ୍ଲୁଏଚ୍‌ଓ ପ୍ରତିନିଧି

ବାଲେଶ୍ବର : ଆରମ୍ଭରୁ ଜଗିଲେନି। ମୁକୁଳା ବାଟ ଦେଖି ପଶ୍ଚିମବଙ୍ଗ ପଟୁ ଶହଶହ ଓଡ଼ିଆ ଶ୍ରମିକ ଯାଜପୁର, ଭଦ୍ରକ, ବାଲେଶ୍ବରକୁ ପଳାଇ ଆସିଲେ। କିଛି ଘରେ ଲୁଚି ରହିଲେ ତ ଆଉ କିଛି ଖୋଲାମେଲା ଲୋକଙ୍କ ସହ ମିଶିଲେ। ହାଟବଜାର ବୁଲିଲେ, ଗାଁ ଦାଣ୍ଡରେ ତାସ୍‌ ବି ଖେଳିଲେ। ଆଉ ଏହାରି ଭିତରେ ବାଣ୍ଟିଦେଲେ ମହାମାରୀ ଭୂତାଣୁ। ଏବେ ସେମାନଙ୍କ ସଂଖ୍ୟା ବଢୁଛି। ପଶ୍ଚିମବଙ୍ଗ କୋଲକାତାରୁ ସଂକ୍ରମଣ ଆଣିଥିବା ରୋଗୀଙ୍କ ସଂଖ୍ୟା ଏହାମଧ୍ୟରେ ୫୦ ପାର୍‌ ହୋଇଗଲାଣି। ଯାହା ରାଜ୍ୟର ଏ ପର୍ଯ୍ୟନ୍ତ ମୋଟ (୧୨୫) ସଂଖ୍ୟାର ୪୫ ପ୍ରତିଶତ। ସରକାର ଯେତେ ନମୁନା ପରୀକ୍ଷା କରୁଛନ୍ତି ସଂକ୍ରମିତଙ୍କ ସଂଖ୍ୟା ସେତେ ବଢୁଛି। ଖାଲି ଯାଜପୁର (୧୯), ଭଦ୍ରକ (୧୯), ବାଲେଶ୍ବର ଜିଲ୍ଲା (୧୯)ରୁ ଆଜି ସୁଦ୍ଧା ୫୭ ରୋଗୀ ଠାବ ହୋଇଛନ୍ତି। ଆଉ ଏମାନେ ସମସ୍ତେ କୋଲକାତା ଫେରନ୍ତା। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି କରାଯାଇଥିବାବେଳେ ଏପ୍ରିଲ ମାସ ୨୧ରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୌରାଞ୍ଚଳକୁ ୫୭ ଜଣ, ଗ୍ରାମାଞ୍ଚଳକୁ ୨୮୧ ଜଣ; ୨୪ ତାରିଖରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ନରେନ୍ଦ୍ରପୁରକୁ ୨୪ ଜଣ ଏବଂ ୨୬ ତାରିଖରେ ଧାମନଗର ଅଞ୍ଚଳକୁ ଶତାଧିକ ଲୋକ ପଶ୍ଚିମବଙ୍ଗରୁ ଓଡ଼ିଶା ସୀମା ବାଲେଶ୍ବର ବାଟ ଦେଇ ନିଜ ନିଜ ଘରକୁ ଫେରିଛନ୍ତି। ଏହା ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୨ ପରେ ବହୁ ଓଡ଼ିଆ ଶ୍ରମିକ ଯେଉଁମାନେ କୋଲକାତାରେ ରହି କାମ କରୁଥିଲେ ସେମାନେ ମଧ୍ୟ ବିଭିନ୍ନ ସମୟରେ ଘଳିଆ ବାଟ ଦେଖି ନିଜ ନିଜ ଘରକୁ ପଳାଇ ଆସିଛନ୍ତି। ପଶ୍ଚିମବଙ୍ଗ-ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳକୁ କଡ଼ାକଡ଼ି କରିବାରେ ବାଲେଶ୍ବର ଜିଲ୍ଲା ପ୍ରଶାସନ କେତେ ତତ୍ପର ଆଉ ସଜାଗ ଥିଲା, ଇଏ ସବୁ ହେଉଛି ତାର ଗୋଟିଏ ଗୋଟିଏ ଉଦାହରଣ। ସୀମାରେ ହୁଗୁଳା କଟକଣା ଯୋଗୁଁ ଏବେ ଭଦ୍ରକ, ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି। ଗାଁ ଗାଁରେ ଲୁଚିଛନ୍ତି କୋଲକାତା ଫେରନ୍ତା। ଖାଲି ସେତିକି ନୁହେଁ, ପଶ୍ଚିମବଙ୍ଗରୁ ଫେରିଥିବା ହଜାର ହଜାର ଲୋକ କରୋନା ସନ୍ଦେହରେ କ୍ବାରାଣ୍ଟିନରେ ବି ରହିଛନ୍ତି।

ମାର୍ଚ୍ଚ ୨୪ ତାରିଖରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ପରଠୁ ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ, ଦୋକାନବଜାର, ସରକାରୀ, ବେସରକାରୀ ସଂସ୍ଥାଠାରୁ ଆରମ୍ଭ କରି ଟ୍ରେନ୍‌, ବିମାନ, ଗାଡ଼ି ଚଳାଚଳ ସବୁକିଛି ବନ୍ଦ ରହିଛି। ରାଜ୍ୟ ରାଜ୍ୟ ମଧ୍ୟରେ ରହିଥିବା ସମସ୍ତ ସୀମାକୁ ମଧ୍ୟ ସିଲ୍‌ କରାଯାଇ ସେଠାରେ ପୁଲିସଫୋର୍ସ ମୁତୟନ କରାଗଲା। ହେଲେ ଆରମ୍ଭରୁ ବାଲେଶ୍ବର ଜିଲ୍ଲା ପ୍ରଶାସନ ସୀମା ଜଗାରଖା କାମକୁ ଗୁରୁତ୍ବ ଦେଇଥିଲେ, ପରିସ୍ଥିତି ଏପରି ହୋଇନଥା’ନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି। ପଶ୍ଚିମବଙ୍ଗ ସୀମାକୁ ବାଦ୍‌ ଦେଲେ ଜାତୀୟପଥକୁ ଲାଗି ବାଲେଶ୍ବର ଜିଲ୍ଲାର ୯ଟି ଥାନା, ଏକାଧିକ ପୁଲିସ ଫାଣ୍ଡି ଓ ଟୋଲଗେଟ୍‌ ରହିଛି। ଲକ୍‌ଡାଉନ୍‌ରେ ସୀମା ସିଲ୍‌ ସାଙ୍ଗକୁ ବିଭିନ୍ନ ଚେକ୍‌ ପଏଣ୍ଟରେ ପୁଲିସ ମୁତୟନ କରାଯାଇଛି। ତଥାପି ଏତେ ସଂଖ୍ୟାରେ ଓଡ଼ିଆ ପଶ୍ଚିମବଙ୍ଗରୁ କେମିତି ନିଜ ନିଜ ଘରକୁ ଫେରିଲେ ଓ ସେମାନଙ୍କୁ କାହିଁକି ଅଟକା ଗଲାନାହିଁ, ତାହାସାଧାରଣରେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ନୀଳିଆବାଗ କଣ୍ଟେନମେଣ୍ଟ ଅଞ୍ଚଳ ବୁଲିଲେ ଡବ୍ଲୁଏଚ୍‌ଓ ପ୍ରତିନିଧି
ବାଲେଶ୍ବର : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ପ୍ରତିନିଧି ଡା. ଅର୍ଚ୍ଚନା ଗାୟନ ଆଜି ବାଲେଶ୍ବର ନୀଳିଆବାଗ କଣ୍ଟେନମେଣ୍ଟ ଜୋନ୍‌ ପରିଦର୍ଶନ କରିଛନ୍ତି। ଜିଲ୍ଲାରେ ପ୍ରଥମ ଆକ୍ରାନ୍ତ ତଥା ସୁପର ସ୍ପ୍ରେଡର କୁହାଯାଉଥିବା ଆକ୍ରାନ୍ତଙ୍କ ଘର ଏହି ଅଞ୍ଚଳରେ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବା ନେଇ ସେଠାରେ କି ପ୍ରକାର ପଦକ୍ଷେପ ନିଆଯାଉଛି ସେଗୁଡ଼ିକ ଅନୁଧ୍ୟାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଡବ୍ଲୁଏଚ୍‌ଓ ପ୍ରତିନିଧି ସାନିଟାଇଜେସନ କାମରେ ଲାଗିଥିବା ଅଗ୍ନିଶମ କର୍ମଚାରୀ, ସଫେଇ କାମ କରୁଥିବା ପୌର କର୍ମଚାରୀ, ଲୋକଙ୍କୁ ସଚେତନତା ଓ ସର୍ଭେ କାମ କରୁଥିବା ଥିବା ଆଶା-ଅଙ୍ଗନବାଡ଼ି କର୍ମୀଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣୟ ଜେନା ଓ ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ପରାନ ସୋରେନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର