ସୁଧୁରିଲାନି ବ୍ୟାଙ୍କ ଆଇଏଫ୍ଏସ୍ସି କୋଡ୍ ସମସ୍ୟା
ଚାଷୀ ହନ୍ତସନ୍ତ, ଅଭିଯୋଗ କରି ନୟାନ୍ତ ହେଲେଣି
ଭୁବନେଶ୍ବର : ମାସେ କି ଦୁଇମାସ ନୁହେଁ, ପ୍ରାୟ ବର୍ଷେ ହେଲାଣି ପିଏମ୍ କିଷାନ ସହାୟତା ଅର୍ଥ ଚାଷୀମାନେ ପାଇନାହାନ୍ତି। ଏକାଧିକ ସମବାୟ ବ୍ୟାଙ୍କ ଶାଖାରେ ଗୋଟିଏ ଆଇଏଫ୍ଏସ୍ସି କୋଡ୍ ଯୋଗୁ ଚାଷୀଙ୍କ ଆକାଉଣ୍ଟ୍କୁ କେନ୍ଦ୍ର ପଠାଇଥିବା ସହାୟତା ଅର୍ଥ ଆସିପାରିଲାନି। ଏ ନେଇ ବହୁ ତନାଘନା ହେଲା। ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇଲା। ରାଜ୍ୟ ସମବାୟ ବ୍ୟାଙ୍କ ନୂଆ ଆଇଏଫ୍ଏସ୍ସି କୋଡ୍ ଜାରି କଲେ। ହେଲେ ଯଥା ପୂର୍ବଂ ତଥା ପରଂ। ଏ ଯାଏ ଅନୁଗୁଳ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ କେତେକ ଅଞ୍ଚଳର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍ରେ ଦେଣନେଣ ଫେଲ୍ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଖୋଦ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚାଷୀମାନଙ୍କ ଅଭିଯୋଗକୁ ଆଧାର କରି ଗତ ଡିସେମ୍ବର ୩ ତାରିଖରେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ। ଯୁଦ୍ଧକାଳୀନ ଭିତ୍ତିରେ ଆଇଏଫ୍ଏସ୍ସି କୋଡ୍ ସମସ୍ୟା ଦୂର କରିବା ପାଇଁ ନିର୍ଦ୍ଦେଶ ଦେଲେ। କିନ୍ତୁ ଫଳ ଶୂନ। ମନ୍ତ୍ରୀଙ୍କୁ ଅଧିକାରୀମାନେ କ’ଣ ବୁଝାଇଦେଲେ କେଜାଣି, ସେ ବି ଏହି ପ୍ରସଙ୍ଗରେ ଆଉ ତନାଘନା କରୁ ନାହାନ୍ତି। ସେପଟେ ହଜାର ହଜାର ଚାଷୀ ପିଏମ୍ କିଷାନ ସହାୟତା ଅର୍ଥ ପାଇବାରୁ ବଞ୍ଚିତ ହେଉଛନ୍ତି। କୃଷି ବିଭାଗରେ ପିଏମ୍ କିଷାନ ସେଲ୍ କାମ କରୁଛି। ଏକାଧିକ ଥର ଚାଷୀମାନେ କୃଷି ନିର୍ଦ୍ଦେଶକ ଓ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଲେଣି। ହେଲେ ରାଜ୍ୟ କୃଷି ମନ୍ତ୍ରୀ ସମ୍ପୂର୍ଣ୍ଣ ନିରବ। ଚାଷୀଙ୍କୁ ସମସ୍ତ ସୁବିଧା ମିଳୁଛି ବୋଲି ସଭା ସମିତିରେ ଡିଣ୍ଟିମ ପିଟୁଛନ୍ତି। କିନ୍ତୁ କୃଷି ମନ୍ତ୍ରୀ ଥରୁଟିଏ ତଦବିର କଲେନି।
ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରାୟ ୮୦ ହଜାର ଚାଷୀଙ୍କୁ ପିଏମ୍ କିଷାନ ସହାୟତା ମିଳୁନି ବୋଲି ପ୍ରଥମେ ‘ସମ୍ବାଦ’ରେ ଖବର ଗତ ବର୍ଷ ଅଗଷ୍ଟ ୪ ଓ ୨୭ ତାରିଖରେ ପ୍ରକାଶ ପାଇଥିଲା। ଏ ନେଇ କୃଷି ବିଭାଗର ପିଏମ୍ କିଷାନ୍ ସେଲ୍ ସହିତ ଯୋଗାଯୋଗ କରିବାରୁ ତତ୍କାଳୀନ ନୋଡାଲ୍ ଅଧିକାରୀ କହିଥିଲେ ଯେ ସମବାୟ ବ୍ୟାଙ୍କର ଏକାଧିକ ଶାଖା ପାଇଁ ଗୋଟିଏ ଆଇଏଫ୍ଏସ୍ସି କୋଡ୍ ଥିବାରୁ ଏହି ସମସ୍ୟା ଦେଖାଦେଇଛି। ଏ ନେଇ ଯାଞ୍ଚ ଚାଲିଛି। ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଶାଖାରେ ସ୍ବତନ୍ତ୍ର ନୂଆ ଆଇଏଫ୍ଏସ୍ସି କୋଡ୍ ଜାରି କରାଯାଇଛି। ଏନ୍ଆଇସି ଚାଷୀମାନଙ୍କ ନୂଆ ତାଲିକା ଅପଲୋଡ୍ କରିବା ପରେ କେନ୍ଦ୍ରକୁ ତାଲିକା ପଠାଯିବ। ଅଳ୍ପଦିନ ଭିତରେ ଚାଷୀଙ୍କ ଆକାଉଣ୍ଟକୁ ପିଏମ୍ କିଷାନ୍ ସହାୟତା ଅର୍ଥ ଚାଲିଆସିବ। ସମ୍ପୃକ୍ତ ଅଧିକାରୀ ଏହି ପ୍ରତିଶ୍ରୁତି ଦେବାର ଦୀର୍ଘ ୪ ମାସ ବିତିଗଲେ ବି ସମସ୍ୟା ସୁଧୁରିଲାନି କି ଚାଷୀ ସହାୟତା ଅର୍ଥ ପାଇଲେନି।
ଏ ନେଇ ପୁଣି ଯୋଗାଯୋଗ କରିବାରୁ ପିଏମ୍ କିଷାନ୍ ସେଲ୍ ଦାୟିତ୍ବ ଥିବା ନୂଆ ଅଧିକାରୀ କହିଥିଲେ, ଯାଞ୍ଚ ପରେ ପ୍ରାୟ ୨୦ ହଜାର ଚାଷୀ ଆଇଏଫଏସ୍ସି କୋଡ୍ ସମସ୍ୟା ଯୋଗୁ ପିଏମ୍ କିଷାନ ସହାୟତା ପାଇନାହାନ୍ତି। କାମ ଚାଲିଛି। ଖୁବ ଶୀଘ୍ର ଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ଆସିବ। ଦିନ ଦିନ ପରେ ଦିନ ଗଡ଼ିଚାଲିଛି ପଛେ ଚାଷୀମାନେ ଅର୍ଥ ପାଉ ନାହାନ୍ତି। ଏନ୍ଆଇସି ପୋର୍ଟାଲ୍ରେ ସେମାନଙ୍କ ଆକାଉଣ୍ଟ ନ ଥିବା କେତେକ ଚାଷୀ ଅଭିଯୋଗ କରିଛନ୍ତି। ୨୦୨୦ ବର୍ଷର ପିଏମ୍ କିଷାନ ସହାୟତା ଅର୍ଥ କେନ୍ଦ୍ର ସରକାର ଦେଇସାରିଛନ୍ତି। ୨୦୨୧ ବର୍ଷ ପାଇଁ ପ୍ରଥମ କିସ୍ତି ପିଏମ୍ କିଷାନ୍ ସହାୟତ ଅର୍ଥ ଆସନ୍ତା ମାର୍ଚ୍ଚରେ ପ୍ରଦାନ କରାଯିବ। କିନ୍ତୁ ଓଡ଼ିଶାର ଚାଷୀ ଏ ଯାଏ ପୁରୁଣା ବର୍ଷର ଅର୍ଥ ପାଇପାରିନାହାନ୍ତି। ଏହାକୁ ନେଇ ପୁଣି ଥରେ ସରକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ବି କିଛି ଉତ୍ତର ମିଳିଲାନି। କେବେ ଚାଷୀଙ୍କ ଆକାଉଣ୍ଟକୁ ଏହି ଅର୍ଥ ଆସିବ ତାକୁ କିଏ ସୁନିଶ୍ଚିତ କରିବ?
କେନ୍ଦ୍ର ହେଉ କି ରାଜ୍ୟ ସରକାର, ଚାଷୀଙ୍କୁ ନେଇ ରାଜନୀତି ରୁଟି ସେକିବାକୁ କେହି ପଛାନ୍ତି ନାହିଁ। ୨୦୧୯ ନିର୍ବାଚନ ପୂର୍ବରୁ ଉଭୟ ସରକାର ଚାଷୀଙ୍କ ପାଇଁ କାଳିଆ ଓ ପିଏମ୍ କିଷାନ୍ ସହାୟତା ଘୋଷଣା କରି ଫାଇଦାରେ ରହିଲେ। ରାଜ୍ୟ ସରକାର ବି କାଳିଆ ଯୋଜନା ଚଳାଇବା ପାଇଁ ପିଏମ୍ କିଷାନ୍ର ସାହାରା ନେବାକୁ ପଛାଇନାହାନ୍ତି। ଏଭଳି ସ୍ଥଳେ ବ୍ୟାଙ୍କ ଆଇଏଫ୍ଏସ୍ସି କୋଡ୍ ହେଉ କି ଏନ୍ଆଇସିରେ ଚାଷୀଙ୍କ ତାଲିକା ଅପଲୋଡ୍ କରିବାକୁ କେତେଦିନ ଲାଗିବ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।