୩ ଦୁର୍ଦ୍ଦାନ୍ତ ଡକାୟତ ଗିରଫ, ୬ ଚୋରା ବାଇକ୍‌ ଜବତ

ବୈଶିଙ୍ଗା: ବଡ଼ଧରଣର ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ତିନି ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କଲା ବୈଶିଙ୍ଗା ପୁଲିସ। ସେମାନେ ହେଲେ; ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଅଧୀନ ଆଗ୍ରିଆ ଗ୍ରାମର ମନ୍ମଥ ଗିରିଙ୍କ ପୁଅ ବାବୁ (୩୨), ବଡ଼ଜହତା ଗ୍ରାମର ଗଗନ ମହାନ୍ତିଙ୍କ ପୁଅ ଗଣେଶ୍ୱର (୨୦) ଓ ପୁରୁଣା ବାଲେଶ୍ୱର ଅଞ୍ଚଳର ଗୋପାଳ ମାଝୀ (୪୮)। ଏହି ଥାନା ଅଧୀନ ଅଁଳା ଉପକଣ୍ଠ ହରିପୁର ଜଙ୍ଗଲ ରାସ୍ତାର ନିଛାଟିଆ ସ୍ଥାନରେ ଏକ ବଡ଼ ଧରଣର ଡକାୟତ ପାଇଁ ଯୋଜନା କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଓ ପୁଲିସ ଟିମ୍‌ ସାଦା ପୋଷାକରେ ଯାଇ ଅତର୍କିତ ଚଢ଼ଉ କରିଥିଲେ।

ଘଟଣାସ୍ଥଳରୁ ୩ ଜଣ ଡକାୟତ ଖସି ପଳାଇଯିବାରେ ସକ୍ଷମ ହୋଇଥିଲା ବେଳେ ବାବୁ ଓ ଗଣେଶ୍ବରଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା ପୁଲିସ। ଘଟଣାସ୍ଥଳରୁ ୨ଟି ବାଇକ୍‌, ଲୁହା ରଡ୍‌ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିଲା। ଧରାପଡ଼ିଥିବା ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୁରୁଣା ବାଲେଶ୍ୱରରେ ଚଢ଼ଉ କରି ଗୋପାଳକୁ ଗିରଫ କରିବା ସହ ସେଠାରୁ ୪ଟି ଚୋରା ବାଇକ୍‌ ଜବତ କରିଥିଲା ପୁଲିସ। ଏହି ୩ ଜଣ ଡକାୟତଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ଏକାଧିକ ମାମଲା ଥିବା ପୁଲିସ କହିଛି। ସେମାନଙ୍କ ସହଯୋଗୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ମିଶ୍ର।

ସମ୍ବନ୍ଧିତ ଖବର